ସମାଜ ଡଜିଟାଲ ଡେସ୍କ: କିରାନା ହିଲ୍ସ… ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଅବସ୍ଥିତ ଏକ ସ୍ଥାନ ଅଟେ । ଯାହାକି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଉତ୍ତେଜନା ପରିସ୍ଥିତି ମଧ୍ୟରେ ଖବରର ଶିରୋନାମା ପାଲଟିଥିଲା । ଅପରେସନ ସିନ୍ଦୂର ଅଧୀନରେ ଭାରତ ପାକିସ୍ତାନରେ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରି ଧ୍ୱଂସ କରିଥିଲା । ଫଳରେ ରକ୍ତମୁଖା ହୋଇ ପାକିସ୍ତାନ ଭାରତ ଉପରେ ଡ୍ରୋନ ଓ ମିସାଇଲ ମାଡ କରିଥିଲା । ଏହା ପରେ ଭାରାତୀୟ ସେନା କଡା ଜବାବ ଫଳରେ ପାକିସ୍ତାନର ଚେତା ପଶିଥିଲା । ଭାରତୀୟ ବାୟୁସେନା ମାତ୍ର ୩ଘଣ୍ଟା ମରେ ପାକିସ୍ତାନର ପ୍ରତିରକ୍ଷା ଗଠନ ଏବଂ ସାମରିକ କ୍ଷମତାକୁ ଧ୍ୱଂସ କରିଦେଇଥିଲା । ଏହି ଆକ୍ରମଣରେ ପାକିସ୍ତାନ ବାୟୁସେନାର ୧୧ଟି ବିମାନ ଘାଟି ଏବଂ ୨୦ପ୍ରତିଶତ ଭିତ୍ତିଭୂମି ଧ୍ୱଂସ ପାଇଥିଲା । ଭାରତର ଏହି ଆକ୍ରମଣ ମଧ୍ୟରେ କିରାନା ହିଲ୍ସ ସ୍ଥାନ ଚର୍ଚ୍ଚାର ପରିସରକୁ ଆସିଥିଲା । ଭାରତ ଏହା ଉପରେ ଟାର୍ଗେଟ କରିଛି ବୋଲି ଗୁଜବ ବ୍ୟାପିଥିଲା । ହେଲେ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ବାୟୁସେନା ସ୍ପଷ୍ଟ କରିଛି ଯେ ସେମାନେ ଏହା ଉପରେ କୌଣସି ପ୍ରକାର ଆକ୍ରମଣ କରିନାହାଁନ୍ତି ।
କିରାନା ପାହାଡ ପାକିସ୍ତାନ ପଞ୍ଜାବର ସରଗୋଡା ଜିଲ୍ଲାରେ ଅବସ୍ଥିତ । ଏହି ଅଞ୍ଚଳ ଦୀର୍ଘ ଦିନ ଧରି ପାକିସ୍ତାନର ପରମାଣୁ କାର୍ଯ୍ୟକ୍ରମ ସହିତ ଜଡିତ । ଏଠାରେ ପାକିସ୍ତାନର ପରମାଣୁ କ୍ଷମତା ବିକଶିତ ଏବଂ ସଂରକ୍ଷଣ କରାଯାଇଥିବା କୁହାଯାଉଛି । ସୂଚନା ଅନୁସାରେ ୧୯୮୦ ଦଶକରେ ଏଠାରେ ଭୂତଳ ସୁଡଙ୍ଗ ଏବଂ ବଙ୍କର ନିର୍ମାଣ କରାଯାଇଥିଲା । ଯେଉଁଠାରେ ପାକିସ୍ତାନ ଏହାର ପରମାଣୁ ଅସ୍ତ୍ରଶସ୍ତ୍ର ଏବଂ କ୍ଷେପଣାସ୍ତ୍ର ଲୁଚାଇ ରଖିଛି । କିନ୍ତୁ ପାକିସ୍ତାନ ଏପର୍ଯ୍ୟନ୍ତ ଏହି ସ୍ଥାନ ବିଷୟରେ ସ୍ପଷ୍ଟ ଭାବରେ କିଛି କହିବାକୁ ଏଡାଇ ଦେଇଛି ।
ରହସ୍ୟପୂର୍ଣ୍ଣ ଅଞ୍ଚଳ ଯୋଗୁ ଏହି ସ୍ଥାନକୁ ‘ପାକିସ୍ତାନର କ୍ଷେତ୍ର ୫୧ ବୋଲି କୁହାଯାଏ । ଭାରତ ଯେତେବେଳେ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନର ସମାରିକ ଘାଟିଗୁଡିକ ଉପରେ ଟାର୍ଗେଟ କରିଥିଲା । ସେତେବେଳେ ସୋସେିଆଲ ମିଡ଼ିଆରେ କିରାନା ପାହାଡ ବିଷୟରେ କଳ୍ପନାଜଳ୍ପନା ତୀବ୍ର ହୋଇଥିଲା । କିଛି ରିପୋର୍ଟରେ ଦାବି କରାଯାଇଛି ଯେ ଭାରତୀୟ କ୍ଷେପଣାସ୍ତ୍ରଗୁଡିକ ପାକିସ୍ତାନର ସେହି ଅଞ୍ଚଳକୁ ଟାର୍ଗେଟ କରି ଆତଙ୍କ ସୃଷ୍ଟି କରିଛି ।



