ଅହିଂସା ରଥକୁ ସ୍ଵାଗତ
ରେଙ୍ଗାଲିକ୍ୟାମ୍ପ : ଓଡ଼ିଶା ପରିକ୍ରମା କରୁଥିବା ଅହିଂସା ରଥ ଗତ କାଲି ଏହା ବରଗଡ଼ ଜିଲ୍ଲାର ଅତାବିରାରେ ଆସି ପହଞ୍ଚିଥିଲା । ରବିବାର ସକାଳେ ଦୁଇଟି ରଥ ଦୁଇଟି ଦିଗରେ ଅଗ୍ରସର ହୋଇଥିଲା । ଗୋଟିଏ ରଥ କୁଲୁଣ୍ଡା ରାସ୍ତା ଦେଇ ଭେଡେନ ବ୍ଲକ ଆଡ଼କୁ ଓ ଅନ୍ୟଟି ପାହାରଶ୍ରିଗିଡା ଦେଇ ଭଟଲି ବ୍ଲକ ଅଭିମୁଖେ ଯାଇଥିଲା। ଏହି ରଥର ପରିକ୍ରମା ରାସ୍ତାରେ ରହିଥିବା ପ୍ରତି ଶିକ୍ଷା ଅନୁଷ୍ଠାନ ଗୁଡିକରେ ଏହି ରଥକୁ ସ୍ଵାଗତ କରିବା ପାଇଁ ନିର୍ଦ୍ଦେଶ ରହିଥିଲା। ତେଣୁ ଟୋପ ହାଇସ୍କୁଲ, ତଥା ଟୋପ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅତି ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ ରଥକୁ ସ୍ଵାଗତ କରିବା ପାଇଁ। ଶିକ୍ଷକ ଶିକ୍ଷୟତ୍ରୀ ମାନେ ମଧ୍ୟ ଆଜି ରବିବାର ହେଲେ ସୁଦ୍ଧା ସକାଳ ଆଠଟାରୁ ବିଦ୍ୟାଳୟରେ ପହଞ୍ଚି ସ୍ଵାଗତ ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରସ୍ତୁତ କରିଥିଲେ। ବିଦ୍ୟାଳୟ ସମ୍ମୁଖରେ ରଙ୍ଗୋଲିର ସୁନ୍ଦର ସୁନ୍ଦର ଝୋଟି ସହ ଦୀପ କଳସ ବସାଇ ଥିଲେ। ଭାରତୀୟ ପରମ୍ପରା ଅନୁଯାୟୀ କୌଣସି ଶୁଭ କାର୍ଯ୍ୟରେ ପୂର୍ଣ୍ଣ କୁମ୍ଭରେ ଆମ୍ବଡ଼ାଳ ସହ ଦୀପ ଜଳାଯାଏ । ତେଣୁ ଦୀପ କଳସ ସହ ରଥକୁ ସ୍ଵାଗତ କରିଥିଲେ।
ଏହା ସହ ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ର ରେ ମଧ୍ୟ ପୂଜାର୍ଚ୍ଚନା କରାଯାଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଛାତ୍ରଛାତ୍ରୀ ମାନେ ଭାରତ ମାତା, ସୁରେନ୍ଦ୍ର ସାଏ, ମହାତ୍ମା ଗାନ୍ଧୀ ଆଦି ବେଶ ପୋଷାକ ପିନ୍ଧି ଲୋକଙ୍କ ମନରେ ସେଇ ମହାପୁରୁଷ ମାନଙ୍କୁ ମନେପକାଇଥିଲେ। ଯେଉଁମାନଙ୍କ ବଳିଦାନରେ ଆଜି ଆମେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛୁ ,ସେମାନଙ୍କୁ ଭୁଲି ଯିବା ନାହିଁ ,ଅହିଂସାର ଭାବନା ରଖିବା ଆଦି ଉପରେ ସ୍ଲୋଗାନ ଦେଇ ଥିଲେ । ରଥ ଗାଆଁ ମୁଣ୍ଡରେ ପହଞ୍ଚିଲା ପରେ ସେଠାରୁ ଛତ୍ର ମାନେ ଘଣ୍ଟ ଓ ଶଙ୍ଖ ବଜାଇ ରଥକୁ ବିଦ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ । ବିଦ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ତାକୁ ପୁଷ୍ପମାଲ୍ୟ ଅର୍ପଣ କରି ବାପୁଜୀଙ୍କର ପ୍ରିୟ ଭଜନ “ରଘୁପତି ରାଘବ ରାଜାରାମ” ଗୀତ ବୋଲିଥିଲେ । ଭାରତ ମାତା କି ଜୟ ଧ୍ବନିରେ ଅଞ୍ଚଳ ମୁଖରିତ ହୋଇ ଉଠି ଥିଲା। ପ୍ରବଳ ଖରା ରେ ମଧ୍ୟ ଏହି ସ୍ଵାଗତରେ ଛାତ୍ର ଛାତ୍ରୀ ମାନେ ଏମିତି ଖୁସିରେ ମଜ୍ଜି ଯାଇଥିଲେ ,ସେମାନଙ୍କୁ କିଛି ଜଣା ପଡୁ ନଥିଲା। ତେବେ ଏହିପରି ଯଦି ପିଲାଙ୍କୁ ଛୋଟ ଦିନରୁ ଜାତୀୟତା ଭାବ, ଅହିଂସା ନୀତି ଆଦି ବିଷୟରେ ଶିକ୍ଷା ଦିଆଯାଏ ତେବେ ଭବିଷ୍ୟତରେ ସେମାନେ ଦେଶ ଗଠନରେ ଏକ ଉନ୍ନତ ଚିନ୍ତାଧାରା ସମ୍ପନ୍ନ ନାଗରିକ ହୋଇ ଦେଶକୁ ବିକାଶ ଦିଗରେ ଆଗେଇ ନେବେ ।
Comments are closed.