ଅସ୍ୱାଭାବିକ ତାପମାତ୍ରା

୭ରେ ଲଘୁଚାପ ; ବିଳମ୍ବରେ ମୌସୁମୀ ଫେରିବ

ଭୁବନେଶ୍ୱର : ଚଳିତ ବର୍ଷ ଅଗଷ୍ଟ ଶେଷ ସପ୍ତାହରୁ ତାପମାତ୍ରାରେ ଅସ୍ୱାଭାବିକ ବୃଦ୍ଧି ପରିଲକ୍ଷିତ ହେଉଛି। କାଁ ଭାଁ ବର୍ଷା ସହିତ ଦିନ ଓ ରାତି ସମୟର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହୁଛି। ଅନ୍ୟପକ୍ଷରେ ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ଅଧିକ ଅଛି। ଫଳରେ ଚଳିତ ମାସ ୭ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଦେଖାଦେଇଛି। ଏଥିସହିତ ସ୍ୱାଭାବିକ ଭାବରେ ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ଦେଶରେ ଦକ୍ଷିଣ ପଶ୍ଚିମ ବାୟୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହେଉଥିବାବେଳେ ଚଳିତ ବର୍ଷ ତାହା ବିଳମ୍ବିତ ହେବ। ଏପରିକି ଚଳିତ ସେପ୍ଟେମ୍ବର ମାସରେ ଅଧିକ ବର୍ଷା ହେବାନେଇ ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।
ସୂଚନାଯୋଗ୍ୟ ଯେ ଅଗଷ୍ଟ ମାସ ତୃତୀୟ ସପ୍ତାହ ସୁଦ୍ଧା ରାଜ୍ୟରେ ବୃଷ୍ଟିପାତ ହ୍ରାସପାଇବା ସହିତ ଆକାଶ ନିର୍ମଳ ରହିବା ଦ୍ୱାରା ସୂର୍ଯ୍ୟକିରଣ ସିଧାସଳଖ ଭୂପୃଷ୍ଠ ଉପରେ ପଡୁଛି। ଏହି କାରଣରୁ ଦିନ ସମୟର ତାପମାତ୍ରା ବୃଦ୍ଧିପାଇଛି। ତାହାସହିତ ବର୍ଷା ଯୋଗୁ ବାୟୁମଣ୍ଡଳରେ ଏବେ ଧୂଳିକଣା ନଥିବା ଏବଂ ଆର୍ଦ୍ରତା ଅଧିକ ରହୁଥିବାରୁ ତାପମାତ୍ରା ଯେତିକି ରହୁଛି, ତାହାଠାରୁ ୧୦ଗୁଣ ଅଧିକ ଗରମ ଅନୁଭୂତ ହେଉଛି। ଗୁରୁବାର ରାଜ୍ୟର ଚାନ୍ଦାବାଲିରେ ଦିନବେଳା ସର୍ବାଧିକ ତାପମାତ୍ରା ୩୬.୭ ଡିଗ୍ରୀ ସେଲ୍‍ସିୟସ ରେକର୍ଡ କରାଯାଇଛି। ଏଥିସହିତ କଟକ ୩୫.୮, ଭୁବନେଶ୍ୱର ୩୫.୧, ଅନୁଗୁଳ ୩୫.୭, ସମ୍ବଲପୁର ୩୫.୫, ତାଳଚେର ୩୫.୬, ମାଲକାନଗିରି ୩୫.୫, ବରଗଡ଼ ୩୫.୨ ଏବଂ ବାଲେଶ୍ୱରରେ ତାପମାତ୍ରା ୩୫.୩ ଡିଗ୍ରୀ ସେଲ୍‍ସିୟସ ରହିଥିବା ଜଣାଯାଇଛି। ତାହାସହିତ ଗୁରୁବାର କୋରାପୁଟରେ ବାୟୁମଣ୍ଡଳରେ ଆର୍ଦ୍ରତା ସର୍ବାଧିକ ୯୫%, ନୂଆପଡ଼ା ୯୩, ଭଦ୍ରକ ୯୦, ବରଗଡ଼ ୯୨, କଟକ ୭୭, ଭୁବନେଶ୍ୱର ୭୮, ବାଲେଶ୍ୱର ୬୮, ପୁରୀରେ ୬୭% ଥିବା ଜଣାଯାଇଛି। ଉତ୍ତାପ ବୃଦ୍ଧି ସହିତ ବାୟୁମଣ୍ଡଳରେ ଥିବା ଆର୍ଦ୍ରତା କାରଣରୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଅନ୍ୟପକ୍ଷରେ ପାଣିପାଗ ବିଭାଗ ତଥ୍ୟ ଅନୁଯାୟୀ ସେପ୍ଟେମ୍ବରରେ ଦିନବେଳା ହାରାହାରି ଯେତିକି ତାପମାତ୍ରା ରହିବା କଥା, ସମ୍ପ୍ରତି ତାପମାତ୍ରା ତାହାଠାରୁ ପାଖାପାଖି ୩ ଡିଗ୍ରୀ ସେଲ୍‍ସିୟସ ଅଧିକ ରହିଛି।
ଏଭଳି ପରିସ୍ଥିତିରେ ଚଳିତ ମାସ ୭ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବାନେଇ ଅନୁମାନ କରିଛି ପାଣିପାଗ ବିଭାଗ। ଏହା ପଶ୍ଚିମ-କେନ୍ଦ୍ରୀୟ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାରରେ ସୃଷ୍ଟି ହୋଇପାରେ। ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଚଳିତ ମାସ ୫ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ ମୌସୁମୀ ଦୁର୍ବଳ ରହିବ। ତାହାପରେ ବର୍ଷା ପରିମାଣ ବଢ଼ିବ। ଦେଶର କେତେକ ଅଞ୍ଚଳରେ ସେପ୍ଟେମ୍ବରରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବା ସମ୍ଭାବନା ଥିବାବେଳେ ଉତ୍ତର-ପୂର୍ବ, ପୂର୍ବାଞ୍ଚଳର କିଛି ଭାଗ ଏବଂ ଉତ୍ତର-ପଶ୍ଚିମାଞ୍ଚଳର କିଛି ଅଂଶରେ ସ୍ୱାଭାବିକରୁ କମ୍‍ ବର୍ଷା ହୋଇପାରେ। ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡଘଡି ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ବର୍ଷା ଲାଗିରହିବା ସମ୍ଭାବନା ଦୃଷ୍ଟିରୁ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତ୍ୟାହାର ବିଳମ୍ବିତ ହେବ ବୋଲି ପାଣିପାଗ ମହାନିର୍ଦ୍ଦେଶକ କହିଛନ୍ତି। ପୂର୍ବରୁ ପାଣିପାଗ ବିଭାଗ ମୌସୁମୀ ବାୟୁ ପ୍ରତ୍ୟାହାର ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବାନେଇ ସୂଚନା ଦେଇଥିଲା, ଯେତେବେଳେ ଏହା ପ୍ରତ୍ୟାହାରର ସ୍ୱାଭାବିକ ସମୟ ସେପ୍ଟେମ୍ବର ୧୭। ବର୍ଷା ଲାଗିରହିବା ଦ୍ୱାରା ଅଗଷ୍ଟ ଶେଷସୁଦ୍ଧା ଯେଉଁସବୁ ସ୍ଥାନରେ ନିଅଣ୍ଟିଆ ବର୍ଷା ହୋଇଛି, ସେଠାରେ ତାହା ଭରଣା ହୋଇପାରିବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଚାଷୀଙ୍କ କହିବା କଥା, ଓଡ଼ିଶାର ଅଧିକାଂଶ ଜିଲାରେ ବର୍ଷା ଓ ବନ୍ୟାରେ ବ୍ୟାପକ ଫସଲ ହାନି ଘଟିଥିବା ଏବଂ ଅନ୍ୟ ଅନେକ ସ୍ଥାନରେ ଚାଷକାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ସେହି ଜମିରେ ସେମାନେ ରବି ଫସଲ ଓ ପନିପରିବା ଚାଷ କରିବାକୁ ପ୍ରସ୍ତୁତ ହେଉଥିବାବେଳେ ପୁଣି ବର୍ଷାହେଲେ ସେମାନଙ୍କ ସବୁ ଯୋଜନା ଧୂଳିସାତ୍‍ ହୋଇଯିବ।

kalyan agarbati

Comments are closed.