ଝାଡା ବାନ୍ତିରେ ଜଣେ ମୃତ, ୨୦ଆକ୍ରାନ୍ତ – ଉକ୍ତ ଅଞ୍ଚଳରୁ ସଂଗ୍ରହ କରାଗଲା ପାନୀୟ ଜଳ

କଲ୍ୟାଣସିଂହପୁର – ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଝାଡା ବାନ୍ତିରେ ଅଭିନ କାଲାଟିଆ ନାମକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ସୂଚନା ମିଳିଛି, ତେବେ ତାଙ୍କର ଫୁଡ୍‌ ପଏଜନିଂରୁ  ଅଭିନଙ୍କର ମୃତ୍ୟୁ ହୋଇଥିବା ଚିକିତ୍ସା କରିଥିବା ଡାକ୍ତର କହିଛନ୍ତି । ସିକରପାଇ ପଞ୍ଚାୟତର ଲକ୍ଷ୍ମୀନଗରର ଅଭିନ କାଲାଟିଆ ଙ୍କୁ ଝାଡା ବାନ୍ତି ହେବାପରେ ଗତ ସୋମବାର ଦିନ ସିକରପାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରିଥିଲେ । ତାଙ୍କର ଅବସ୍ଥା ଖରାପ ଥିବାରୁ ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଭଉଣୀ ୱାରାଲକ୍ଷ୍ମୀ କାଟାଡ଼ିଆ ସୂଚନା ଦେଇଛନ୍ତି ।

୨୨ତାରିଖରୁ କଲ୍ୟାଣସିଂହପୁର ବ୍ଲକରେ ଝାଡା ବାନ୍ତି ବ୍ୟାପୁଛି । ବୁଡ଼ାଗୁଡା ପଞ୍ଚାୟତର ଗୁରୁତୁଲୀ ଗାଁର ଲକି କୁଲେସିକା (୬୦)ଙ୍କୁ ପ୍ରଥମେ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇ ସିକରପାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହୋଇଥିଲେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ତାପର ଦିନ ତାଙ୍କ ବୋହୁ ବାସନ୍ତୀ କୁଲେସିକା(୨୭)ଆକ୍ରାନ୍ତ ହୋଇ ଚିକିତ୍ସା ହେଉଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ଜିଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ।

ବୁଡ଼ାଗୁଡ଼ା ପଞ୍ଚାୟତର ଗୁରୁତୁଲୀ ରେ ଓ ସିକରପାଇ ପଞ୍ଚାୟତର କୃଷ୍ଣ ନଗର ଗାଁରେ ଗୁରୁବାରରେ ୧୦ ଜଣ ଝାଡ଼ାବାନ୍ତି ରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଥିଲା । ଏହାପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭ୍ରାମ୍ୟମାଣ ଦଳ ଗସ୍ତ କରି ରୋଗୀଙ୍କୁ ଚିକିତ୍ସା କରିଥିଲେ । ବର୍ତ୍ତମାନ ସିକରପାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାଶୀପୁର ବ୍ଲକ ଗୋଡିବାଲି ପଞ୍ଚାୟତ ଅଧିନସ୍ଥ ପୁସୁଘାଟି ଗାଁ ର ସାବିତ୍ରୀ ମାଝୀ( ୧୨) ଗୋଡିବାଲି ପଞ୍ଚାୟତ ପଣସଗୁଡା ଗାଁର ଜାଗବ ନାୟକ, ଗୁରୁତୁଲୀ ଗାଁର ମୁତୁଲି କାଡ୍ରାକା(୬୦),ସଦାନନ୍ଦ ନିସିକା(୨୦), କୁମ୍ଭାର ଗୁରୁତୁଲୀ ର ସନମା ନାୟକ (୪୦),ଭବନ ଗୌଡ଼ (୩୦),କାଡ୍ରାକା କିଷାନ,ବେଲକଣା ଗାଁର ଗିରଞ୍ଜଲି ନାୟକ (୧୧), କୃଷ୍ଣନଗର ବିଶ୍ୱନାଥ କାଲଟିଆ(୫୦) ,କୁମ୍ଭାରଗୁରୁତୁଲି ଗାଁର ଜଇନାଥ ନାୟକଙ୍କର ଚିକିତ୍ସା ଚାଲିଛି ।
ଭ୍ରାମ୍ୟମାଣ ଦଳ ବୁଲି ବୁଲି ଚିକିତ୍ସା କରୁଥିବା ବେଳେ ଗାଁରେ ବ୍ଲିଚିଙ୍ଗ ପାଉଢପ ସିଚଂନ, ଭ୍ରାମ୍ୟମାଣ ଦଳ ଘରଘରକୁ ବୁଲି ରୋଗୀ ପରୀକ୍ଷା କରିବା ସହିତ ଓଆରଏସ ପାଉଡର ଓ କ୍ଲୋରକୁଇନ ବଟିକା ଦେଇଛନ୍ତି ।

ଏହି ଅଞ୍ଚଳର ନଳକୂପ ରୁ ପାଣି ସଂଗ୍ରହ କରାଯାଇ H2S ପରୀକ୍ଷା କରାଯାଉଛି ବୋଲି ଡାକ୍ତର କହିଛନ୍ତି । ଡାଇରିଆ ଅଞ୍ଚଳକୁ ଜିଲା ଜଳ ଓ ପରିମଳ ବିଭାଗୀୟ ଅଧିକାରୀ ମାନେ ଗସ୍ତ କରି ସମସ୍ତ ନଳକୂପରୁ ପାଣି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି ।

Comments are closed.