କାବୁଲ ବିମାନ ବନ୍ଦରରେ ପାଣି ବୋତଲ ୩୦୦୦ ଟଙ୍କା, ଭାତ ପ୍ଲେଟ ୭୦୦୦ ଟଙ୍କା

କାବୁଲ: ଦିନକୁ ଦିନ ଆଫଗାନିସ୍ତାନ ପରିସ୍ଥିତି ଅଧିକରୁ ଅଧିକ ଭୟଙ୍କର ହେବାରେ ଲାଗିଛି। ତାଲିବାନ ଆତଙ୍କି ଦେଶକୁ ନିଜ ଅକ୍ତିଆରକୁ ନେବା ସହିତ ଦେଶକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ବନ୍ଦ କରିଦେଇଛନ୍ତି। ଏଥିସହିତ ଆକାଶମାର୍ଗରେ ଏହି ଦେଶକୁ ସାମଗ୍ରୀ ପରିବହନ ମଧ୍ୟ ବନ୍ଦ ରହିଛି। ଏଥିସହିତ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଏବଂ ବିଶ୍ୱବ୍ୟାଙ୍କ ଆଫଗାନିସ୍ତାନର ସମସ୍ତ ଆକାଉଣ୍ଟକୁ ଅଚଳ କରିଦେଇଛନ୍ତି। ଯଦ୍ଦ୍ୱାରା ତାଲିବାନ ଆତଙ୍କି ଆଉ ଉକ୍ତ ଆକାଉଣ୍ଟରେ ଥିବା ଅର୍ଥ ଓ ସୁନା ଆଦି ସମ୍ପତ୍ତିକୁ ବ୍ୟବହାର କରିପାରିବେ ନାହିଁ। ଅନ୍ୟପକ୍ଷରେ ତାଲିବାନ ଭୟରେ ନିଜ ଜୀବନ ନେଇ ଦେଶରୁ ଅନ୍ୟତ୍ର ଚାଲିଯିବାକୁ ଲୋକମାନେ ପ୍ରତି ମୁହୂର୍ତ୍ତରେ ଉଦ୍ୟମ କରୁଛନ୍ତି। ତାଲିବାନ ଆତଙ୍କି ସେମାନଙ୍କ ଉପରକୁ ଗୁଳି ଚଳାଉଥିଲେ ମଧ୍ୟ ତାହାକୁ ସେମାନେ ଖାତିର ନକରି ଏବେ ଏକମାତ୍ର ଯୋଗାଯୋଗ ସ୍ଥଳ ପାଲଟିଥିବା କାବୁଲ ବିମାନ ବନ୍ଦରରେ ପହଞ୍ଚିବାକୁ ଚେଷ୍ଟା ଚଳାଇଛନ୍ତି। ଏପରିକି ପାସପୋର୍ଟ, ଭିସା ନଥିବା ଆଫଗାନ ନାଗରିକ ମଧ୍ୟ ସେଠାରୁ ପଳାଇ ଆସିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି। ଅଗଷ୍ଟ ୧୫ରେ ତାଲିବାନ ଆତଙ୍କି ଆଫଗାନିସ୍ତାନରେ ବାକିଥିବା କାବୁଲକୁ ନିଜ ଅକ୍ତିଆରକୁ ନେବାପରେ ସେମାନଙ୍କ ବର୍ବରତା ଢେର ବଢିଯାଇଛି। ଦିନ ରାତି କାବୁଲ ବିମାନ ବନ୍ଦର ବାହାରେ ହଜାର ହଜାର ଆଫଗାନ ନାଗରିକ ଜମା ହୋଇ ବିମାନ ବନ୍ଦର ମଧ୍ୟକୁ ପ୍ରବେଶ ଉଦ୍ୟମ କରୁଛନ୍ତି। ସଂପ୍ରତି ସେଠାରେ ପରିସ୍ଥିତି ଏଭଳି ହୋଇଛି ଯେ ପାଣି ବୋତଲ ଦାମ ୩୦୦୦ ଟଙ୍କା ଏବଂ ଭାତ ପ୍ଲେଟ ୭୦୦୦ ଟଙ୍କାରେ ବିକ୍ରି ହେଉଛି।
ଭାରତର ଏକ ପ୍ରମୁଖ ଘରୋଇ ଟେଲିଭିଜନ ଚାନେଲ ସୂତ୍ରରୁ ଜଣାଯାଇଛି ଯେ କାବୁଲ ବିମାନ ବନ୍ଦର ବାହାରେ ଓ ଭିତରେ ପରିସ୍ଥିତି ଦିନକୁ ଦିନ ଅଧିକ ବିଗିଡିବାରେ ଲାଗିଛି। ଏକ ଆକଳନ ଅନୁଯାୟୀ ପ୍ରାୟ ୧୦ ଲକ୍ଷ ଆଫଗାନ ନାଗରିକ ଅଥବା ଅନ୍ୟକୌଣସି ରାଷ୍ଟ୍ରର ପାସପୋର୍ଟ ଓ ଭିସା ଥିବା ଲୋକ ସେଠାରୁ ପଳାଇଯିବା ଚେଷ୍ଟାରେ ଅଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ସେଠାରୁ ମାତ୍ର ପ୍ରାୟ ୮୨ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇପାରିଛି। ସେମାନେ ମୁଖ୍ୟତଃ ବିଦେଶୀ ନାଗରିକ ଅଥବା ଅନ୍ୟ କୌଣସି ରାଷ୍ଟ୍ରର ଭିସା ହାସଲ କରିଥିବା ବ୍ୟକ୍ତି ଅଟନ୍ତି। ଅନେକ ଲୋକଙ୍କ ନିକଟରେ ଖାଇବା ତ ଦୂରର କଥା ପାଣି କିଣିବାକୁ ଅର୍ଥ ନାହିଁ। ଏଭଳି ପରିସ୍ଥିତିରେ କାବୁଲ ବିମାନ ବନ୍ଦର ବାହାରେ ଏବେ ପାଣି ବୋତଲ ୪୦ ଆମେରିକୀୟ ଡଲାର ଅଥବା ୩୦୦୦ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ଭାତ ପ୍ଲେଟର ଦାମ ୧୦୦ ଡଲାର (୭୦୦୦ ଟଙ୍କା)ରେ ବିକ୍ରି ହେଉଛି। ତାହା ମଧ୍ୟ ସେଠାରେ ଲାଗିଥିବା ଭିଡ ପାଇଁ ଯଥେଷ୍ଟ ହେଉନାହିଁ। ଜଣାଯାଇଛି ଯେ କାବୁଲ ବିମାନ ବନ୍ଦର ବାହାରେ ଏବେ ମଧ୍ୟ ପ୍ରାୟ ୫୦ ହଜାର ଲୋକ ଜମା ହୋଇ ରହିଛନ୍ତି। ବିମାନ ବନ୍ଦର ଭିତରକୁ ପ୍ରବେଶ କରିବା ସୁଯୋଗ ପାଉଥିବା ଲୋକମାନେ ନିଜକୁ ଭାଗ୍ୟବାନ ବୋଲି ମନେ କରୁଛନ୍ତି।

kalyan agarbati

Comments are closed.