ବିଦେଶ ମାଟିରେ ସଫଳତମ ଟେଷ୍ଟ ଅଧିନାୟକ ହେଲେ କୋହଲି 

ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଟେଷ୍ଟମ୍ୟାଚ୍‌ରେ ଭାରତର ବିଜୟ ପରେ ବିରାଟ କୋହଲି ବିଦେଶ ମାଟିରେ ସଫଳତମ ଭାରତୀୟ ଟେଷ୍ଟ ଅଧିନାୟକ ହୋଇଛନ୍ତି। ଏହି କ୍ରମରେ ସେ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଅତିକ୍ରମ କରିଛନ୍ତି।

prayash

ଅଦ୍ୟାବଧି କୋହଲିଙ୍କ ଅଧୀନରେ ଭାରତ ବିଦେଶରେ ୧୨ଟି ଟେଷ୍ଟମ୍ୟାଚ୍ ଜିତିପାରିଛି। କୋହଲି ବିଦେଶମାଟିରେ ୨୬ଟି ଟେଷ୍ଟମ୍ୟାଚ୍‌ରେ ଭାରତର ନେତୃତ୍ବ ନେଇ ୧୨ଟି ଟେଷ୍ଟରେ ଭାରତକୁ ଜିତାଇଛନ୍ତି। ପ୍ରିନ୍‌ସ ଅଫ୍ କଲକାତା ସୌରଭ ଗାଙ୍ଗୁଲି ବିଦେଶମାଟିରେ ୨୮ଟି ଟେଷ୍ଟମ୍ୟାଚ୍‌ରେ ଭାରତୀୟ ଦଳର ନେତୃତ୍ବ ନେଇ ୧୧ଟିରେ ଟିମ୍ ଇଣ୍ଡିଆକୁ ଜିତାଇଥିଲେ। ତାଙ୍କ ପଛକୁ ମହେନ୍ଦ୍ର ସିଂହ ଧୋନି ବିଦେଶରେ ୩୦ଟି ଟେଷ୍ଟରେ ଭାରତର ଅଧିନାୟକ ଥିବା ବେଳେ ଦଳ ୬ଟିରେ ଜିତିଛି, ରାହୁଲ ଦ୍ରାବିଡ଼ ୧୭ଟିର ନେତୃତ୍ବ ନେଇ ୫ଟିରେ ଦଳକୁ ଜିତାଇଛନ୍ତି ଏବଂ ମନ୍‌ସୁର ଅଲୀ ଖାଁ ପଟୌଦି ବିଦେଶରେ ୧୩ଟି ଟେଷ୍ଟରେ ଅଧିନାୟକ ଥିବା ବେଳେ ଭାରତୀୟ ଦଳ ୩ଟିରେ ଜିତିଛି।

ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟମ୍ୟାଚ୍‌କୁ ୩୧୮ ରନ୍‌ର ବିପୁଳ ବ୍ୟବଧାନରେ ଜିତିବା ସହ ଭାରତ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ରେ ୬୦ ପଏଣ୍ଟ ପାଇଛି ଓ ୨ ମ୍ୟାଚ୍‌ର ଟେଷ୍ଟ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଛି। ରନ୍ ହିସାବରେ ବିଦେଶମାଟିରେ ୩୧୮ ରନ୍ ଭାରତର ସର୍ବବୃହତ୍ ବିଜୟ। ୨୦୧୭ରେ ଗଲ୍‌ରେ ଘରୋଇ ଶ୍ରୀଲଙ୍କାକୁ ଭାରତ ୩୦୪ ରନ୍‌ରେ ପରାସ୍ତ କରିଥିଲା; ଯାହାକୁ ଏହି ମ୍ୟାଚ୍‌ରେ ଭାରତୀୟ ଦଳ ଅତିକ୍ରମ କରିପାରିଛି।
ରନ୍ ଅନୁସାରେ ମୋଟଉପରେ ଏହା ଭାରତର ୪ର୍ଥ ସର୍ବବୃହତ୍ ବିଜୟ। ୨୦୧୫ରେ ନୂଆଦିଲ୍ଲୀରେ ଦକ୍ଷିଣ ଆଫ୍ରିକାକୁ ୩୩୭ ରନ୍‌ରେ, ୨୦୧୬ରେ ଇନ୍ଦୋରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩୨୧ ରନ୍‌ରେ ଏବଂ ୨୦୦୮ରେ ମୋହାଲିରେ ଅଷ୍ଟ୍ରେଲିଆ ବିପକ୍ଷରେ ୩୨୦ ରନ୍‌ରେ ଭାରତ ଜିତିଥିଲା। ରବିବାର ଭାରତର ୩୧୮ ରନ୍‌ର ବିଜୟ ମୋଟ ଉପରେ ୪ର୍ଥ ସର୍ବାଧିକ ଥିଲେ ହେଁ ବିଦେଶମାଟିରେ ସର୍ବାଧିକ। ପୁଣି ଅଧିନାୟକ ଭାବେ ବିରାଟ କୋହଲି ଏହି ମ୍ୟାଚ୍‌ରେ ୨ଟି ରେକର୍ଡ ହାସଲ କରିଛନ୍ତି। ପ୍ରଥମେ ଅଧିନାୟକ ଭାବେ ୨୭ଟି ବିଜୟ ହାସଲ କରି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସମକକ୍ଷ ହୋଇଛନ୍ତି କୋହଲି। ଅଦ୍ୟାବଧି ୪୭ଟି ଟେଷ୍ଟରେ ଭାରତୀୟ ଦଳର ନେତୃତ୍ବ ନେଇ ବିରାଟ କୋହଲି ଦଳକୁ ୨୭ଟି ମ୍ୟାଚ୍‌ରେ ବିଜୟୀ କରିଛନ୍ତି। ୬୦ଟି ଟେଷ୍ଟରେ ଭାରତର ନେତୃତ୍ବ ନେଇଥିବା ମହେନ୍ଦ୍ର ସିଂହ ଧୋନିଙ୍କ ଅଧୀନରେ ମଧ୍ୟ ଭାରତ ୨୭ଟି ମ୍ୟାଚ୍‌ରେ ବିଜୟୀ ହୋଇଛି। ଆଉ ମାତ୍ର ଗୋଟିଏ ଟେଷ୍ଟମ୍ୟାଚ୍‌ରେ ଭାରତ ବିଜୟୀ ହେଲେ ବିରାଟ କୋହଲି ଭାରତୀୟ କ୍ରିକେଟ ଇତିହାସରେ ସଫଳତମ ଟେଷ୍ଟ ଅଧିନାୟକ ହେବେ।

kalyan agarbati

Comments are closed.