ଶୁଣିଲାନି ପ୍ରଶାସନ, ଗ୍ରାମବାସୀ ନିର୍ମାଣ କଲେ ରାସ୍ତା

ଫୁଲବାଣୀ : ରାସ୍ତା ମରାମତି ପାଇଁ  ବାରମ୍ବାର ଦରଖାସ୍ତ ଲେଖି ଗ୍ରାମବାସୀ ହତାଶ,ବାରମ୍ବାର  ରାସ୍ତା ଖଣ୍ଡେ ପାଇଁ ପଲ୍ଲୀସଭାରେ ପଞ୍ଚାୟତ ସଭାରେ କହି କହି ନିରାଶ ହେଲେ। ଶେଷରେ ପ୍ରଶାସନ ଉପରୁ ଆଶା ଓ ଭରସା ତୁଟିଯିବା ପରେ ଗ୍ରାମସାଥୀ ପ୍ରଭାତ କହଁରଙ୍କ ଆହ୍ବାନ କ୍ରମେ ବାରିକୁମ୍ପା, ନୂଆଁସାହି ଏବଂ ଲଣ୍ଡୁରୁପଡା ଗ୍ରାମର ଯୁବକମାନେଏକତ୍ରିତ ହୋଇ ଘାଟି ରାସ୍ତା ମରାମତି କରିବା ସହିତ ମାଟି ପକେଇ ରାସ୍ତା ନିର୍ମାଣ କଲେ।
ଏଭଳି ଘଟଣା ଘଟିଛି ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ବଲସକୁମ୍ପା ଗ୍ରାମ ପଞ୍ଚାୟତ ଅଧିନସ୍ତ  ଲଣ୍ଡ୍ରୁ ପଡା ଗାଁରେ। ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ପ୍ରାୟ ୩ କିମି ଏବଂ ଫୁଲବାଣୀ ସହର ଏବଂ ବ୍ଲକ କାର୍ଯ୍ୟାଳୟ ଠାରୁ ପ୍ରାୟ ୧୨ କିମି ଦୂରରେ ଅବସ୍ଥିତ ଏହି ଗ୍ରାମ। ପ୍ରତିଦିନ ଏହି ଗାଁ ପାଖରେ ଥିବା  ଗ୍ରାମ ନୂଆଁ ସାହି,ଦରଗଡ ଗଣ୍ଡା, ଗେଡ୍ରି ପାଜୁ, ଖେତା ପାଜୁ, ବଡ଼ ଭୂଇଁ, ଭୁକ୍ତା କନାଲି,ସାତ ପଂଗା, ଗ୍ରାମର ଲୋକ ବିଭିନ୍ନ କାମରେ ବଲସକୁମ୍ପା ବଜାରକୁ ଏବଂ ପଞ୍ଚାୟତ କାର୍ଯ୍ୟାଳୟକୁ ଓ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଏବଂ ମେଡ଼ିକାଲ ବାରୀକୁମ୍ପାକୁ ଯାତାୟାତ କରୁଛନ୍ତି । ହେଲେ ମରଣ ଜନ୍ତା ପାଲଟିଛି ଘାଟି ରାସ୍ତା। ଦେଶରେ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ଅମୃତ ଦିବସ ପାଳନ ହେଉଥିବା ବେଳେ ଆଜି ପର୍ଯ୍ୟନ୍ତ ମଧ୍ୟ ଜନସାଧାରଣ ରାସ୍ତାଘାଟ ସମସ୍ୟା ମଧ୍ୟରେ ବୁଡ଼ି ରହିଛନ୍ତି । ଅନ୍ୟ ପକ୍ଷରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗ୍ରାମାଞ୍ଚଳର ବିକାଶ ପାଇଁ ଗାଁ ଗୁଡ଼ିକୁ ପକ୍କା ରାସ୍ତା ନିର୍ମାଣ କରାଯିବ ସହିତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ମାଧ୍ୟମରେ ପିଚୁ ରାସ୍ତା ନିର୍ମାଣ କରାଯାଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଲଣ୍ଡ୍ରୁ ପଡା, ନୂଆଁ ସାହି ଏବଂ ଦରଗଡ଼ ଗଣ୍ଡା ଗାଁକୁ ପକ୍କା ରାସ୍ତା ଟିଏ ହେଉ ଅବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ପିଚୁ ରାସ୍ତାଟିଏ ମଧ୍ୟ ନିର୍ମାଣ ହୋଇ ପାରିନାହିଁ।
ଗ୍ରାମସାଥୀ, ପ୍ରଭାତ କହଁର ଏବଂ ରାଜେନ୍ଦ୍ର ବେହେରାଙ୍କ  କହିବା ଅନୁଯାୟୀ ଆମ୍ଭେ ବାରି କୁମ୍ପା ଛକରୁ ଲଣ୍ଡ୍ରୁପଡା ଗ୍ରାମକୁ ସଂଯୋଗ କରୁଥିବା  ଘାଟି ରାସ୍ତା  ନିର୍ମାଣ କରିବା ପାଇଁ ପଞ୍ଚାୟତ ସଭାରେ ହେଉ କିମ୍ବା ପଲ୍ଲୀ ସଭାରେ ହେଉ କହି କହି ନିରାଶ ହୋଇ ଗଲୁଣି ତଥାପି ବ୍ଲକ ପ୍ରଶାସନ,ପଞ୍ଚାୟତ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ଶୁଣିଲା ନାହିଁ । କୁମ୍ଭ କର୍ଣ୍ଣ ନିଦ୍ରାରେ ପ୍ରଶାସନ ଶୋଇଲା ଭଳି ଶୋଇ ରହିଛି ।ସେହି ପରି ନୂଆଁ ସାହି ଗ୍ରାମକୁ ରାସ୍ତା ସମସ୍ୟା ଲାଗି ରହିଛି ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ସୁଦ୍ଧା ଦେଖି ନ ଦେଖିବା ସଦୃଶ ଚୁପ୍ ରହିଛି ପ୍ରଶାସନ। ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଗାଁକୁ ମାଟି ରାସ୍ତା ହୋଇଛି। ଯାହା ସ୍ଥାନେ ସ୍ଥାନେ ଖାଲ ଢିପ ହୋଇଛି। ଘାଟିରେ ପଥର ମେଟାଲ ଓ ବଡ ବଡ ପଥର ସହିତ ଅର୍ଦ୍ଧ ନିର୍ମିତ ପକ୍କା ରାସ୍ତା ଯୋଗୁଁ ଅନେକ ସମୟରେ ସାଇକେଲ, ବାଇକ ଏବଂ ଗାଡ଼ି ଭାରସାମ୍ୟ ହରାଇ  ଦୁର୍ଘଟଣା ଘଟୁଛି । ସେହି ପରି ବର୍ଷା ଦିନରେ କାଦୁଅ ପାଣିରେ ରାସ୍ତା ଜୁଡୁବୁଡୁ ହୋଇ ରହିବା ସହିତ ପାଦଖସି ଅନେକ ଲୋକ ରାସ୍ତାରେ ପଡୁଛନ୍ତି ବୋଲି କହିଛନ୍ତି। ସେହିପରି ନିତିଦିନ ପାଠ ପଢ଼ିବା ପାଇଁ ବାରି କୂମ୍ପା ଓ ବଲସକୁମ୍ପା ସରକାରୀ ଉଚ୍ଚ ବିଦ୍ୟାଳୟକୁ ଛାତ୍ର ଛାତ୍ରୀ ପାଠ ପଡିବା ପାଇଁ ଯାଉଛନ୍ତି । ବିପଦ ସଙ୍କୁଳ ଅବସ୍ଥାରେ ଆମ୍ଭେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇ ଏହି ରାସ୍ତା ଦେଇ ଯାତାୟାତ କରୁଛୁ ଏବଂ  ଗାଁରେ କାହାର ଦେହ ଖରାପ ହେଲେ ଚିକିତ୍ସା ପାଇଁ ମେଡ଼ିକାଲ ଯିବାଲାଗି  ଆମ୍ବୁଲାନ୍ସ ଡାକିଲେ ଆମ୍ବୁଲାନ୍ସ  ଆସିବା ସମୟରେ ଏହି ଘାଟି ରାସ୍ତାର କଦର୍ଯ୍ୟ ଅବସ୍ଥା ଯୋଗୁଁ ଗାଡ଼ି ଗାଁକୁ ଯାଇ ପାରୁ ନାହିଁ ତେଣୁ ବେଳେ ବେଳେ ରୋଗୀକୁ ଖଟିଆରେ ଭାର କରି ଗାଡ଼ି ପର୍ଯ୍ୟନ୍ତ ନେବାକୁ ପଡୁଛି ବୋଲି କହିଛନ୍ତି । ତେଣୁ ସ୍ଥାୟୀ ରାସ୍ତା ଖଣ୍ଡେ  ନିର୍ମାଣ କରିବା ପାଇଁ ସରକାରଙ୍କୁ ବାରମ୍ବାର ଗୁହାରି କରି ହତାଶ ହେଲା ପରେ ଗ୍ରାମସାଥୀ ପ୍ରଭାତ କହଁରଙ୍କ ଆହ୍ବାନ କ୍ରମେ ଆଜି ଆମେ ସମସ୍ତେ ମିଶି ନିଜ ପରିଶ୍ରମ ଦ୍ବାରା ଘାଟି ରାସ୍ତା ମରାମତି କରୁଛୁ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିବା ସହିତ ଆମ ଗ୍ରାମକୁ ପକ୍କା ରାସ୍ତା ହେଉ କିମ୍ବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ହେଉ ସ୍ଥାୟୀ ରାସ୍ତା ଖଣ୍ଡେ ନିର୍ମାଣ କରିବା ପାଇଁ ସରକାରଙ୍କୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

Comments are closed.