ଆଶ୍ରୟ ସ୍ଥଳୀ ପାଲଟିଛି ସ୍ବଚ୍ଛ ଭାରତ ପାଇଖାନା
ଲକ୍ଷ୍ମୀପୁର: ସ୍ବଚ୍ଛ ପରିବେଶ ପାଇଁ ସରକାର ଆରମ୍ଭ କରିଛନ୍ତି ସ୍ବଚ୍ଛ ଭାରତ ଯୋଜନା । ଏଥିପାଇଁ ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସ୍ବଚ୍ଛ ଭାରତ ଯୋଜନାରେ ଘରେ ଘରେ ପାଇଖାନା ଯୋଗାଇ ଦିଆଯାଉଛି । କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଖଟଲାମାରି ଗାଁରେ ଏସବୁ ଏକ ପ୍ରହସନ ପାଲଟିଛି। ସ୍ବଚ୍ଛ ଭାରତ ଯୋଜନାରେ ନିର୍ମିତ ହୋଇଥିବା ପାଇଖାନା ପିଲା ମାନଙ୍କ ଆଶ୍ରୟ ସ୍ଥଳୀ ପାଲଟିଥିବା ଦେଖିବାକୁ ମିଳିଛି । ଗାଁରେ ୧୧ ଟି ପରିବାର ବସବାସ କରୁଛନ୍ତି । ସମସ୍ତେ ଅନୁସୂଚିତ ଜନଜାତି ବର୍ଗର ଓ ଦାରିଦ୍ର୍ୟ ସୀମାରେଖା ତଳେ । ଏମାନଙ୍କ ମଧ୍ୟରୁ କେବଳ ଦୁଇଟି ପରିବାରକୁ ଆବସିକ ଯୋଜନା ଘର ମିଳିଛି । ଅନ୍ୟ ମାନେ ଏଥିରୁ ବଞ୍ଚିତ ହୋଇଛନ୍ତି । ସମସ୍ତେ କୁଲି ମଜୁରୀ କରି ଚଳନ୍ତି । କଣ ପାଇଁ ସମସ୍ତ ପରିବାରକୁ ଆବାସ ଯୋଜନାରେ ସାମିଲ କରାଯାଇନାହିଁ ତାହା ଆଶ୍ଚର୍ଯ୍ୟର କଥା । ଏହି ଗାଁର ଦୁଇଟି ସ୍ଥାନରେ ଦୁଇ ଗୋଟି ଲେଖାଏଁ ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମିତ ହୋଇଛି। କିନ୍ତୁ ତାହାକୁ ପାଇଖାନା ରୂପେ ବ୍ୟବହାର ନକରି ପିଲା ଓ ବୁଢା ବୁଢୀ ଲୋକମାନେ ଆଶ୍ରୟ ସ୍ଥଳୀ ଭାବେ ବ୍ୟବହାର କରୁଛନ୍ତି । ଅନ୍ୟପକ୍ଷରେ ସରକାର ସମସ୍ତ ଆଦିବାସୀ ପରିବାରକୁ ଆବାସ ଯୋଜନା ଜରିଆରେ ଘର ଯୋଗାଇ ଦେବାକୁ ଡିଣ୍ଡିମ ପିଟୁଛନ୍ତି। ହେଲେ ଏଠାରେ ମାତ୍ର ୧୧ ପରିବାର ଥିଲେ ମଧ୍ୟ , ସମସ୍ତ ପରିବାରକୁ ଆଜି ଯାଏଁ ଏଥିରେ ସାମିଲ୍ କରାଯାଇନାହିଁ । ଯାହା ଫଳରେ ଖଟଲାମାରି ଗାଁରେ ଥିବା ଆଦିବାସୀ ପରିବାର ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି । ଏବଂ ସ୍ବଚ୍ଛ ଭାରତ ଯୋଜନାରେ ଉଦ୍ଦିଷ୍ଟ ପାଇଖାନା କୁ ଆଶ୍ରୟ ସ୍ଥଳୀ ଭାବେ ବ୍ୟବହାର କରୁଛନ୍ତି।
Comments are closed.