ଉତ୍କଳ ବିଶ୍ବବିଦ୍ୟାଳୟ ଏବଂ କେନ୍ଦ୍ରୀୟ ଆୟୁର୍ବେଦିକ ବିଜ୍ଞାନ ଅନୁସଂଧାନ ପରିଷଦ (ସିସିଆରଏଏସ) ମଧ୍ୟରେ ଏମଓୟୁ ସ୍ବାକ୍ଷରିତ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ଏବଂ ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ ଆୟୁର୍ବେଦିକ ବିଜ୍ଞାନ ଅନୁସଂଧାନ ପରିଷଦ (ସିସିଆରଏଏସ) ମଧ୍ୟରେ ଏକ ବୁଝାମଣା ପତ୍ର (ଏମଓୟୁ) ସ୍ବାକ୍ଷରିତ ହେବା ସହିତ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ଥିତ ପରିଜା ପାଠାଗାରରେ ଥିବା ପ୍ରାଚୀନ ଆୟୁର୍ବେଦୀୟ ଚିକିତ୍ସା ବିଜ୍ଞାନ ସମ୍ବନ୍ଧୀୟ ତାଳପତ୍ର ପୋଥିର ସଂରକ୍ଷଣ ଏବଂ ପୁନରୁଦ୍ଧାର ଦିଗରେ ଏକ ଗୁରୁତ୍ବପୂର୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଉତ୍କଳ ବିଶ୍ବବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳସଚିବ ଡ଼. କାହ୍ନୁଚରଣ ଧୀର ଏବଂ ସିସିଆରଏଏସ୍ ର ମହାନିର୍ଦ୍ଦେଶକ ବୈଦ୍ୟ (ଡ.) ରବି ନାରାୟଣ ଆଚାର୍ଯ୍ୟ ସ୍ବାକ୍ଷର କରିଥିଲେ। ଏହି ବୁଝାମଣା ପତ୍ରର ପ୍ରାଥମିକ ଉଦ୍ଦେଶ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ଥିତ ପରିଜା ପାଠାଗାରରେ ଥିବା ପ୍ରାଚୀନ ଆୟୁର୍ବେଦୀୟ ଚିକିତ୍ସା ବିଜ୍ଞାନ ସମ୍ବନ୍ଧୀୟ ତାଳପତ୍ର ପୋଥିକୁ ଡିଜିଟାଇଜେସନ ମାଧ୍ୟମରେ ପୁନରୁଦ୍ଧାର କରିବା ଏବଂ ସେଗୁଡ଼ିକର ଜ୍ଞାନକୁ ଆଧୁନିକ ଚିକିତ୍ସା ଗବେଷଣା ଏବଂ ଅଭ୍ୟାସରେ ସମନ୍ବିତ କରିବା।

କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଏହି ଭାବନାକୁ ପ୍ରତିଧ୍ବନିତ କରି ଭାରତୀୟ ଜ୍ଞାନ ବ୍ୟବସ୍ଥାର ଶୈକ୍ଷିକ ଓ ଗବେଷଣାତ୍ମକ ସହଯୋଗ ଉପରେ ଆଲୋକପାତ କରିଥିଲେ, ଯାହା ଜାତୀୟ ଶିକ୍ଷା ନୀତି ୨୦୨୦ ରେ ଏକ ଜନାଦେଶ ଓ ଉତ୍କଳ ବିଶ୍ବବିଦ୍ୟାଳୟ ଏହି ପଦକ୍ଷେପର ଅଂଶବିଶେଷ ହୋଇଥିବାରୁ ଗର୍ବିତ। ସିସିଆରଏଏସ ସହିତ ଉତ୍କଳ ବିଶ୍ବବିଶ୍ବବିଦ୍ୟାଳୟର ଏହି ସହଯୋଗ ଯୁଗାନ୍ତକାରୀ ଗବେଷଣା ପାଇଁ ପଥ ପରିଷ୍କାର କରିବ ଏବଂ ଭାରତୀୟ ଚିକିତ୍ସା ଐତିହ୍ୟକୁ ବିଶ୍ବ ସ୍ବୀକୃତି ଦେବାରେ ଯୋଗଦାନ କରିବ । ଏହି ସ୍ବାକ୍ଷର ସମାରୋହରେ ଉଭୟ ଅନୁଷ୍ଠାନର ସମ୍ମାନିତ ସଦସ୍ୟ ଏବଂ ଗବେଷକମାନେ ଯୋଗ ଦେଇଥିଲେ ଓ ପାରମ୍ପରିକ ଚିକିତ୍ସା କ୍ଷେତ୍ରରେ ଗବେଷଣା ଏବଂ ବିକାଶକୁ ଆଗକୁ ନେବାର ପ୍ରତିବଦ୍ଧତା ସହିତ ଏହି କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।

Comments are closed.