ବିଗୁଡ଼ୁଛି ଆମେରିକାର ଅର୍ଥନୀତି, ସୁଧ ଦେଇ ଦେଇ ସରକାର ବେହାଲ୍
ସମାଜ ଡିଜିଟାଲ ଡେସ୍କ: ବିଶ୍ୱର ବୃହତ୍ତମ ତଥା ଶକ୍ତିଶାଳୀ ଅର୍ଥବ୍ୟବସ୍ଥା ସମ୍ପନ୍ନ ଦେଶ ଆମେରିକାର ଋଣ ଭାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆମେରିକା ସରକାରଙ୍କ ଋଣ ବର୍ତ୍ତମାନ ୩୫ ଟ୍ରିଲିୟନ ଡଲାରରୁ ମାତ୍ର ୨.୫ ବିଲିୟନ ଡଲାର ଦୂରରେ। ୨୦୧୯ ପରେ ଏଥିରେ ୧୩ ଟ୍ରିଲିୟନ ଡଲାର ବୃଦ୍ଧି ଘଟିଛି, ଯାହା ଭାରତୀୟ ଅର୍ଥନୀତିର ପ୍ରାୟ ତିନି ଗୁଣ। ଦେଶର ଋଣ ତୁଳନାରେ ଜିଡିପିର ଅନୁପାତ ୧୨୨ ପ୍ରତିଶତରେ ପହଞ୍ଚିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ଏହା ୧୯ ପ୍ରତିଶତ ବୃଦ୍ଧି ପାଇଛି। ଆମେରିକା ଇତିହାସରେ ସରକାରଙ୍କ ଋଣରେ ଏତେ ଦ୍ରୁତ ବୃଦ୍ଧି ପୂର୍ବରୁ କେବେ ଦେଖାଯାଇ ନଥିଲା। ପରିସ୍ଥିତି ଏପରି ହୋଇଛି ଯେ ଏହି ଋଣର ସୁଧ ପରିଶୋଧ କରିବାକୁ ଆମେରିକାକୁ ଅନ୍ୟ ଖର୍ଚ୍ଚ କାଟ୍ କରିବାକୁ ପଡ଼ୁଛି।
ଆମେରିକାର ଋଣ ପ୍ରତି ତିନିମାସରେ ପ୍ରାୟ ଏକ ଟ୍ରିଲିୟନ ଡଲାର ବୃଦ୍ଧି ପାଉଛି। ଚଳିତ ବର୍ଷ ଜାନୁଆରୀ ୪ରେ ଏହା ୩୪ ଟ୍ରିଲିୟନ ଡଲାରରେ ପହଞ୍ଚିଛି। ଏହାପୂର୍ବରୁ ଗତ ବର୍ଷ ସେପ୍ଟେମ୍ବର ୧୫ରେ ଏହା ୩୩ ଟ୍ରିଲିୟନ ଡଲାର ଏବଂ ଜୁନ୍ ୧୫ରେ ୩୨ ଟ୍ରିଲିୟନ ଡଲାରରେ ପହଞ୍ଚିଥିଲା। ଏହାକୁ ୩୧ ଟ୍ରିଲିୟନ ଡଲାରରୁ ୩୨ ଟ୍ରିଲିୟନ ଡଲାରରେ ପହଞ୍ଚିବାକୁ ଆଠ ମାସ ସମୟ ଲାଗିଥିଲା। ଆମେରିକାର ଋଣ ହେଉଛି ଆମେରିକାର ସଂଘୀୟ ସରକାର ନିଜ ଖର୍ଚ୍ଚ ବହନ କରିବା ପାଇଁ ନେଉଥିବା କରଜ ରାଶି। କୁହାଯାଉଛି ଯେ, ଯଦି ଆମେରିକାର ଋଣ ଏହି ବେଗରେ ବୃଦ୍ଧି ପାଏ ତେବେ ୨୦୫୪ ସୁଦ୍ଧା ଏହା ଦେଶର ଅର୍ଥନୀତିର ୧୬୬%ରେ ପହଞ୍ଚିଯିବ।
କ’ଣ କ୍ଷତି ହେବ:
ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ, ଆମେରିକାରେ ସରକାରଙ୍କ ଆୟ ହ୍ରାସ ପାଉଛି ଏବଂ ବ୍ୟୟ ବୃଦ୍ଧି ପାଉଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଦେଶର ଅର୍ଥନୀତି ଏବଂ ଜାତୀୟ ସୁରକ୍ଷା ପାଇଁ ଏହା ଭଲ କଥା ନୁହେଁ। ପରିସ୍ଥିତି ଏପରି ହୋଇଛି ଯେ, ସୁଧ ଦେୟ ପାଇଁ ଆମେରିକାକୁ ପ୍ରତିଦିନ ୧.୮ ବିଲିୟନ ଡଲାର ଖର୍ଚ୍ଚ କରିବାକୁ ପଡ଼ୁଛି। ଯଦି ଏଭଳି ସ୍ଥିତି ଜାରି ରହେ ତେବେ ଋଣ ପରିଶୋଧ କରି କରି ଆମେରିକାର ଅର୍ଥନୀତି ଭୁଶୁଡ଼ି ପଡ଼ିବ। ଏହାଦ୍ଵାରା ସରକାରଙ୍କୁ ଗବେଷଣା ଏବଂ ବିକାଶ, ଭିତ୍ତିଭୂମି ଏବଂ ଶିକ୍ଷା ପାଇଁ ହେଉଥିବା ମୋଟ ଖର୍ଚ୍ଚ ଅପେକ୍ଷା ସୁଧ ଦେବାରେ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ। ଚିନ୍ତାର ବିଷୟ ହେଉଛି, ଆମେରିକାର ଋଣ ଏଭଳି ସମୟରେ ବଢୁଛି ଯେତେବେଳେ ଦେଶର ଅର୍ଥନୀତି ଭଲ ସ୍ଥିତିରେ ଅଛି ଏବଂ ବେକାରୀ କମ୍ ଅଛି। ସାଧାରଣତଃ ଯେତେବେଳେ ଅର୍ଥନୀତି ଦୁର୍ବଳ ହୁଏ, ସେତେବେଳେ ସରକାର ଅଭିବୃଦ୍ଧି ପାଇଁ ବ୍ୟୟ ବୃଦ୍ଧି କରନ୍ତି।
Comments are closed.