ନୂଆଦିଲ୍ଲୀ: ଦିଲ୍ଲୀର ଏକ ଅଦାଲତ ୨୦୧୭ ମସିହାରେ ସଂଗଠିତ ନାବାଳିକା ଦୁଷ୍କର୍ମ ମାମଲାରେ ବିଜେପିରୁ ବହିଷ୍କୃତ ବିଧାୟକ କୁଲଦୀପ ସେନଗରଙ୍କ ବିରୁଦ୍ଧରେ ଶୁକ୍ରବାର ଅଭିଯୋଗ ସାବ୍ୟସ୍ତ କରାଯାଇଛି। ଜିଲ୍ଲା ଜଜ ଧର୍ମେଶ ଶର୍ମା ସେନଗରଙ୍କ ସମେତ ଶଶୀ ସିଂହଙ୍କ ବିରୁଦ୍ଧରେ ନାବାଳିକା ଅପହରଣ ମାମଲାରେ ମଧ୍ୟ ଅଭିଯୋଗ ସାବ୍ୟସ୍ତ କରିଛନ୍ତି।
ପୀଡିତ ଏବେ ଦିଲ୍ଲୀ ଏମ୍ସରେ ଚିକିସ୍ତିତ ହେଉଛନ୍ତି। ଅଦାଲତ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୨୦ ଖ ଅପରାଧିକ ଷଡଯନ୍ତ୍ର, ୩୬୩ ଅପହରଣ, ୩୬୬ ଅପହରଣ ଏବଂ ବିବାହ ପାଇଁ ଚାପ ପ୍ରୟୋଗ ଏବଂ ୩୭୬ ବଳାତ୍କାର ସହ ପକସୋ ଆଇନର ଧାରା ଅନୁଯାୟୀ ଅଭିଯୋଗ ସାବ୍ୟସ୍ତ କରାଯାଇଛି। ଅନ୍ୟପକ୍ଷରେ ସିବିଆଇ ଅଦାଲତରେ କହିଛି ଯେ ବିଧାୟକ କୁଲଦୀପ ସେନଗର ପୀଡ଼ିତାଙ୍କ ପିତାଙ୍କୁ ମାରପିଟ କରିବା ସହ ପୁଲିସ ଓ ଅନ୍ୟମାନଙ୍କ ସହ ମିଶି ତାଙ୍କୁ ବେନିୟମ ଅସ୍ତ୍ରଶସ୍ତ୍ର ରଖିବା ମିଛ କେସରେ ପକାଇଥିଲା।
ପୀଡ଼ିତାଙ୍କ ପିତାଙ୍କୁ ବିନା ଦୋଷରେ ତିନି ପୁଲିସ ଅଧିକାରୀ ଅଶୋକ ସିଂହ ଭଦୌରିଆ, କାମତା ପ୍ରସାଦ ଏବଂ ଅମୀର ଖାନ ମାଡ ମାରିଥିବା ସିବିଆଇ କୋର୍ଟରେ କହିଛି। ଉଭୟ ସେନଗର ଓ ଶଶୀ ସିଂହ ଏହି ଘଟଣାରେ ଅଭିଯୁକ୍ତ ବୋଲି ସିବିଆଇ କହିଛି।



