www.samajalive.in
Friday, December 5, 2025
26.1 C
Bhubaneswar

ଏକାଠି ହେବେ କି ବିଜୁ ଅନୁଗାମୀ?

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ବିଜୁ ଜନତା ଦଳରୁ ବହିଷ୍କାର କରାଯିବା ପରେ ଉପରୋକ୍ତ ଶିରୋନାମାକୁ ନେଇ ଚର୍ଚ୍ଚା ଜୋର ଧରିଛି। ନବୀନଙ୍କ ବିରୋଧୀ, ବିଜୁ ଅନୁଗାମୀ ପୁଣି ଏକାଠି ହେଲେ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହେବେ ବୋଲ ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି।
ବିଜୁ ପଟ୍ଟନାୟକଙ୍କ ପରଲୋକ ପରେ ତାଙ୍କ ଉତରାଧିକାରୀ ଭାବେ ନବୀନ ପଟ୍ଟନାୟକଙ୍କୁ ମନୋନୀତ କରାଯାଇଥିଲା। ରାଜ୍ୟର କିଛି ବରିଷ୍ଠ ନେତା ତଥା ବିଜୁ ପଟ୍ଟନାୟକଙ୍କ ଅନୁଗାମୀ ନବୀନ ପଟ୍ଟାୟକଙ୍କୁ ନିମନ୍ତ୍ରଣ କରି ରାଜ୍ୟ ରାଜନୀତିରେ ପ୍ରବେଶ କରାଇଥିଲେ। ପ୍ରଥମେ ସାସଂଦ, କେନ୍ଦ୍ରମନ୍ତ୍ରୀ ଓ ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଦୀର୍ଘଦିନ ଧରି ଶାସନ ଚଳାଇଛନ୍ତି।
କିନ୍ତୁ ସେତେବେଳେ ନବୀନ ବାବୁଙ୍କୁ ରାଜନୀତିର ପଥ ଦେଖାଇଥିବା ରାଜନେତା ଆଜି ଅଲୋଡା ଓ ଅଖୋଜା ବୋଲି ଚର୍ଚ୍ଚା ହେଉଛି। ବିଜୁ ପଟ୍ଟନାୟକଙ୍କ ଅବର୍ତ୍ତମାନରେ ଗଠିତ ବିଜୁ ଜନତା ଦଳରୁ ଆଜି ଅନେକ ବିଜୁ ଅନୁଗାମୀ ନେତା ବାଦ ପଡିଛନ୍ତି। ଏବେ ସେମାନେ ସମସ୍ତେ ଏକାଠି ହେବାର ସମୟ ଉପଗତ ହେଉଥିବା ଚର୍ଚ୍ଚା ହେଉଛି।
ବିଗତ ଦିନରେ ବିଜେଡି ସରକାର ତଥା ଦଳ ବିରୋଧରେ ଯେଉଁମାନେ ସ୍ୱର ଉତ୍ତୋଳନ କରିଛନ୍ତି ସେମାନଙ୍କୁ ଦାମବାବୁଙ୍କ ଭଳି ଦଶା ଭୋଗିବାକୁ ପଡିଛି ବୋଲି ସାଧାରଣରେ ଆଲୋଚନା ହେଉଛି। ସେହିପରି ନିଜକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ ଅନେକ ସମୟରେ ନବୀନ ବାବୁ ଅନେକ ବରିଷ୍ଠ ଓ ଅନୁଭବୀ ନେତାଙ୍କୁ ଦଳ ତଥା ସରକାରରୁ ବିଦା କରିଥିବା କୁହାଯାଉଛି।
ତେବେ ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ବିଜେଡିରୁ ବହିଷ୍କାର ହେବାପରେ ଏ ସମସ୍ତ ଆଲୋଚନା ପାଇଁ ଖୋରାକ ଯୋଗାଇଛି। ଦାମୋଦରଙ୍କ ବହିଷ୍କାର ପରେ ଓଡ଼ିଶା ରାଜନୀତିରେ ପରିବର୍ତ୍ତନର ଆଭାସ ଶୁଣିବାକୁ ମିଳୁଛି। ଓଡ଼ିଶାରେ ବିଜୁ ଅନୁଗାମୀମାନେ ଏକାଠି ହୋଇ ରାଜ୍ୟ ରାଜନୀତିକୁ ଏକ ନୂଆ ଦିଗ ଦେଖାଇବା ପାଇଁ କିଛି ନେତା ଚେଷ୍ଟା କରୁଛନ୍ତି। ବିଜେଡିରୁ ବହିଷ୍କାର ହେବାପରେ ଡାକ୍ତର ରାଉତଙ୍କୁ ବିଭିନ୍ନ ନେତା ସାକ୍ଷାତ କରିବା ସହ ଫୋନ ଯୋଗେ ମଧ୍ୟ ମାନସିକ ସ୍ତରରେ ଶକ୍ତି ଯୋଗାଉଛନ୍ତି। ନିଲମ୍ବନ ପରେ ଦାମ କହିଥିଲେ ମୁଁ ସାଧାରଣ ଜୀବନରେ ରହିଛି ଏବଂ ଆଗାମୀ ସାଧାରଣ ନିର୍ବାଚନ ଲଢିବି। ବିଜୁ ଜନତା ଦଳର ଟିକେଟ ମୋ ପାଇଁ ଅନିବାର୍ଯ୍ୟ ନୁହେଁ। ଏହାସହ ସେ ଆହୁରି କହିଛନ୍ତି ମୁଁ କୌଣସି ଦଳରେ ମିଶିବି ନାହିଁ।
ନିଲମ୍ବନ ପରେ ପୂର୍ବତନ ସାସଂଦ ବୈଜୟନ୍ତ ପଣ୍ଡା ଡାକ୍ତର ରାଉତଙ୍କୁ ଭେଟିଛନ୍ତି। ଏହି ସାକ୍ଷାତକାରରେ କୌଣସି ରାଜନୈତିକ କଥାବର୍ତ୍ତା ହୋଇନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ରାଜ୍ୟର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ, ବ୍ରଜ କିଶୋର ତ୍ରିପାଠୀ, ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ଉମେଶ ସ୍ୱାଇଁ ପ୍ରମୁଖ ମଧ୍ୟ ଡାକ୍ତର ରାଉତଙ୍କ ସହ କଥା ହୋଇଛନ୍ତି। ଏ ସର୍ମ୍ପକରେ ବରିଷ୍ଠ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, ରାଜନୀତିରେ ସବୁ ସମ୍ଭବ। ଏଭଳି ଆଞ୍ଚଳିକ ଦଳ ଗଠନ ନେଇ ହେଉଥିବା ଆଲୋଚନା ଚାଲିଛି ତାହା ଅସମ୍ଭବ ନୁହେଁ। ଯଦି ସମସ୍ତେ ଏକାଠି ହୁଅନ୍ତି ତେବେ ଅର୍ଥ କେବେ ବି ବାଧକ ସାଜିବ ନାହିଁ।

ବିଜୟ ମହାପାତ୍ର : ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ବିଜୁ ପଟ୍ଟନାୟକଙ୍କ ଜଣେ ଅନୁଗାମୀ ଥିଲେ। ସେ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ସମୟରେ ଜଳ ସମ୍ପଦ ମନ୍ତ୍ରୀ ରହିଥିଲେ। ପାଟକୁରା ନିର୍ବାଚନ ମଣ୍ଡଳୀରୁ ଚାରି ଚାରି ଥର ବିଧାୟକ ହୋଇଥିବା ଏହି ବରିଷ୍ଠ ନେତା ବିଜେପିରେ ଅଛନ୍ତି ସତ, କିନ୍ତୁ ଏହି ଦଳରେ ଥାଇ ମଧ୍ୟ ସେ ସନ୍ତୁଷ୍ଟ ନଥିବା ଜଣାପଡୁଛି।ସେ ମଧ୍ୟ ବିକଳ୍ପ ଚାହୁଁଥିବା ଆଲୋଚନା ହେଉଛି।
ଦିଲ୍ଲୀପ ରାୟ : ରାଉଲକେଲାର ଟାଣୁଆ ରାଜନେତା ଦିଲ୍ଲ୍‍ୀପ ରାୟ ଦୁଇଥର ଲଗାତାର ବିଧାୟକ ଭାବେ ଜିତିଥିଲେ। ୧୯୯୦-୯୫ ମଧ୍ୟରେ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିଲେ। ସେହିପରି ଦୁଇ ଦୁଇ ଥର ସାସଂଦ ହୋଇଥିବା ଏହି ରାଜନେତା ଏବେ ବିଜେପି ବିଧାୟକ ଅଛନ୍ତି। କିନ୍ତୁ ସେ ମଧ୍ୟ ବିକଳ୍ପ ଖୋଜୁଥିବା ସାଧାରଣରେ ଚର୍ଚ୍ଚା ହେଉଛି।
ପଞ୍ଚାନନ କାନୁନଗୋ : ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ମଧ୍ୟ ବିଜୁ ପଟ୍ଟନାୟକଙ୍କ ଅନୁଗାମୀ। ପଞ୍ଚାନନ କାନୁନଗୋ ମଧ୍ୟ ବହୁଦିନ ଧରି ବକଳ୍ପ ପନ୍ଥା ଖୋଜୁଥିବା ଦେଖିବାକୁ ମିଳିଛି।
ସୁରେନ୍ଦ୍ର ନାଥ ନାୟକ : ପୂର୍ବତନ ମନ୍ତ୍ରୀ ତଥା ବିଜୁବାବୁଙ୍କ ଅନୁଗାମୀ ସୁରେନ୍ଦ୍ର ନାଥ ନାୟକଙ୍କୁ ଏବେ ଦଳରେ କୋଣଠେସା କରାଯାଇଛି। ଏପରିକି ଗତଥର ତାଙ୍କୁ ଟିକେଟ ଦିଆଯାଇନଥିଲା।
ବୈଜୟନ୍ତ ପଣ୍ଡା : ପୂର୍ବତନ ସାସଂଦ ବୈଜୟନ୍ତ ପଣ୍ଡା କିଛି ମାସ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇଥିଲେ। କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ଏହି ସାସଂଦଙ୍କୁ ମଧ୍ୟ ଅପ୍ରିତିକର ପରିସ୍ଥିତିରେ ଦଳରୁ ନିଲମ୍ବିତ ହେବାକୁ ପଡିଥିଲା। ସେ ବିଜେପିରେ ଯୋଗ ଦେବା ନେଇ ହେଉଥିବା ଆଲୋଚନାର ଅନ୍ତ ଘଟିନାହିଁ। ତେବେ ସେ ମଧ୍ୟ ଏହି ବିଜୁ ଅନୁଗାମୀରେ ଯୋଗଦେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଶୁଣିବାକୁ ମିଳୁଛି।
ତେବେ ଏହି ସବୁ ବରିଷ୍ଠ ନେତାଙ୍କ ବ୍ୟତୀତ ବିଜୁବାବୁଙ୍କୁ ଭଲ ପାଉଥିବା ଓ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ଆହୁରି ଅନେକ ରାଜନେତା ଓ ବୁଦ୍ଧିଜୀବି ଏବେ ବିଜେଡି ଠାରୁ ଦୁରେଇ ବିକଳ୍ପ ମଞ୍ଚରେ ଯୋଗ ଦେବାକୁ ଚିନ୍ତା କରୁଛନ୍ତି।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, କୌଣସି ଆଞ୍ଚଳିକ ଦଳ ଗଠନ କରାଗଲେ କିମ୍ବା ଦାମବାବୁଙ୍କ ବହିଷ୍କାର ବିଜେଡି ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories