ନୂଆଦିଲ୍ଲୀ: ବିଶ୍ୱରେ ଅଶୋଧିତ ତୈଳର ଦ୍ୱିତୀୟ ବୃହତ୍ ଉତ୍ତୋଳନକାରୀ ତଥା ଅନ୍ୟତମ ଅଗ୍ରଣୀ ଗହମ ଉତ୍ପାଦନକାରୀ ରାଷ୍ଟ୍ର ରୁଷ୍ ଉପରେ ଆମେରିକା ଏବଂ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ପକ୍ଷରୁ ଏକାଧିକ ଅର୍ଥନୈତିକ କଟକଣା ଲାଗୁ କରାଯାଇଛି। ରୁଷ୍ ମଧ୍ୟ ଏହାର ପାଲଟା ଜବାବ ଦେବାକୁ ପ୍ରସ୍ତୁତ ହୋଇସାରିଛି। ଏହାର ପ୍ରଭାବରେ ବିଶ୍ୱସ୍ତରୀୟ ଓ ଘରୋଇ ଅଭିବୃଦ୍ଧି ବାଧାପ୍ରାପ୍ତ ହେବ ଏବଂ ଉଚ୍ଚ ମୁଦ୍ରାସ୍ଫୀତି ସହିତ ମୁଦ୍ରାର ବିନିମୟ ମୂଲ୍ୟ ହ୍ରାସପାଇବ। ଏଭଳି ଏକ ପରିସ୍ଥିତି ବିଶ୍ୱରେ ଆଉ ମାନ୍ଦା ଅବସ୍ଥା ସୃଷ୍ଟି କରିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣର୍ର ମାଇକେଲ ପାତ୍ର କହିଛନ୍ତି। ରୁଷ-ୟୁକ୍ରେନ ଯୁଦ୍ଧ ଅଧିକ କାଳ ଚାଲିଲେ ଜଗତିକରଣ ପ୍ରକ୍ରିୟା ମଧ୍ୟ ପଥଚ୍ୟୁଜ ହେବ ବୋଲି ସେ ସତର୍କ କରାଇ ଦେଇଛନ୍ତି।
ସେ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଅର୍ଥନୈତିକ ସମ୍ଭାବନା କ୍ଷେତ୍ରରେ ଏକ ନୂଆ ଚିନ୍ତଧାରାକୁ ଜନ୍ମ ଦେଇଛି ଏବଂ ତାହା ହେଉଛି ଅର୍ଥନୀତିର ନିମ୍ନାଭିମୁଖୀ ଗତିଶୀଳତା।
ଏଠାରେ ଶିଳ୍ପ କ୍ଷେତ୍ରର ଏକ ସଂଗଠନ ଆଇଏମ୍ସି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅଭିଭାଷଣ ପ୍ରଦାନ କରିବା ଅବସରରେ ଶ୍ରୀ ପାତ୍ର କହିଛନ୍ତି ଯେ ଯୁଦ୍ଧର ପ୍ରଭାବ ସବୁକ୍ଷେତ୍ରରେ ଅନୁଭୂତ ହେବ। ବଜାରରେ ଅସ୍ଥିର ଅବସ୍ଥା ସହିତ ମୁଦ୍ରାର ଅବମୂଲ୍ୟାୟନ, ମୁଦ୍ରାସ୍ଫୀତି ଊର୍ଦ୍ଧ୍ବମୁଖୀ ହେବା, ଚଳନ୍ତି ଖାତା ନିଅଣ୍ଟ ବୃଦ୍ଧି ଘଟିବା ଭଳି ପରିସ୍ଥିତି ପରିଲକ୍ଷିତ ହେବ। ପଣ୍ୟଦ୍ରବ୍ୟ, ବିଶେଷକରି ଅଶୋଧିତ ତୈଳ ଦର ବୃଦ୍ଧି ଦ୍ୱାରା ବିଶ୍ୱସରରେ ଆର୍ଥିକ ମାନ୍ଦା ଅବସ୍ଥା ସୃଷ୍ଟି ହେବାର ଅଧିକ ଆଶଙ୍କା ରହିଛି। ତୁରନ୍ତ ପ୍ରଭାବ ଦ୍ୱାରା ଅଭିବୃଦ୍ଧି ହ୍ରାସ ସହିତ ମୁଦ୍ରାସ୍ଫୀତି ବୃଦ୍ଧି, ଆର୍ଥିକ ବଜାରରେ ବ୍ୟାଘାତ ଘଟିବା ଭଳି ପରିସ୍ଥିତି ସୃଷ୍ଟି ହେବାବେଳେ ଦୀର୍ଘସୂତ୍ରୀ ଆକାରରେ ବିଶ୍ୱସ୍ତରୀୟ ଯୋଗାଣ ଶୃଙ୍ଖଳ ବ୍ୟାହତ ହେବା ଆଶଙ୍କା ରହିଛି। କଟକଣାଗୁଡିକ କାରଣରୁ ଯଦି ଚାହିଦ, ବାଣିଜ୍ୟ ଓ ପୁଞ୍ଜିନିବେଶ ହ୍ରାସପାଏ ତେବେ ଜଗତିକରଣ ବ୍ୟବସ୍ଥା ପଥଚ୍ୟୁତ ହେବ ଏବଂ ମାନ୍ଦା ଅବସ୍ଥା ସୃଷ୍ଟି ହେବ ବୋଲି ସେ କହିଛନ୍ତି। ବିଭିନ୍ନ ସୂଚକରୁ ଏହା ପ୍ରତିପାଦିତ ହୋଇସାରିଛି ଯେ, ୨୦୨୨ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ବିଶ୍ୱ ଅଭିବୃଦ୍ଧି ତାହାର ଗତିଶୀଳତା ହରାଇଛି। ବହୁପାକ୍ଷିକ ସଂସ୍ଥାନଗୁଡିକ ଆଶା କରୁଛନ୍ତି ଯେ ଚଳିତ ବର୍ଷ ଏବଂ ଆସନ୍ତା ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ୨ ପ୍ରତିଶତ ପଏଣ୍ଟ ପର୍ଯ୍ୟନ୍ତ ହ୍ରାସ ପାଇପାରେ ଏବଂ ଅଶୋଧିତ ତୈଳ ବ୍ୟାରେଲ ପିଛା ମୂଲ୍ୟ ଯଦି ୧୫୦ ଡଲାରରେ ପହଞ୍ଚେ ତେବେ ତାହା ଜିଡିପିରେ ଆଉ ୧.୬% ହ୍ରାସ ଘଟାଇବ। ଏହାଦ୍ୱାରା ମୁଦ୍ରାସ୍ଫୀତି ଆଉ ୨% ବୃଦ୍ଧିପାଇବ। ୨୦୧୩ରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା, ୨୦୨୨ରେ ତାହାର ପୁନରାବୃତ୍ତି ଘଟିବା ଆଶଙ୍କା ସୃଷ୍ଟି ହୋଇଛି। କାରଣ କୋଭିଡ ମହାମାରୀ ପ୍ରଭାବରୁ ବିଶ୍ୱ ଅର୍ଥନୀତିର ପୁନରୁଦ୍ଧାର ପ୍ରକ୍ରିୟା ତଥାପି ଦୁର୍ବଳ ସ୍ଥିତିରେ ରହିଛି ଏବଂ ଏହା ଉପରେ ଅନ୍ୟ କୌଣସି ଚାପ ପଡ଼ିଲେ ତାହା ପୁଣି ତୀବ୍ର ବେଗରେ ନିମ୍ନାଭିମୁଖୀ ହେବ। ସମ୍ପ୍ରତି ରୁଷ-ୟୁକ୍ରେନ ଯୁଦ୍ଧ ଏହିଭଳି ପ୍ରତିକୂଳ ଚାପ ପକାଇବା ଆଶଙ୍କା ଦେଖାଦେଇଛି।



