ଭୁବନେଶ୍ବର : ଓଡ଼ିଶା ଏବେ ଆଉ ଏକ ବିଶ୍ବସ୍ତରୀୟ ପ୍ରତିଯୋଗିତା ଆୟୋଜନ ନେଇ ଅଣ୍ଟାଭିଡ଼ିଛି। ୧୪ଶ ପୁୁରୁଷ ହକି ବିଶ୍ବକପର ସଫଳ ଆୟୋଜନ ପରେ ୨୦୨୦ ଫିଫା ୧୭ ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ବକପ ପ୍ରତିଯୋଗିତା ଆୟୋଜନ ନେଇ ଫିଫା ନିକଟରେ ଦାବି ଉପସ୍ଥାପନ କରିଛି ଓଡ଼ିଶା। ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫ୍ଏଫ୍) ପକ୍ଷରୁ ଦାଖଲ କରା ଯାଇଥିବା ଉକ୍ତ ଦାବିରେ ଓଡ଼ିଶା ସରକାର ଆୟୋଜକ ଭାବେ ଦର୍ଶାଯାଇଛି। ଫିଫା ବିଶ୍ବକପ ଫୁଟବଲ ଆୟୋଜନ ନେଇ ରହିଥିବା ନିୟମ ଆଧାରରେ ଓଡ଼ିଶା ସରକାର ସମସ୍ତ ପ୍ରକାର ପ୍ରମାଣପତ୍ର ସହ ଦାଖଲ କରିଛନ୍ତି।
ସର୍ବଭାରତୀୟ ଫୁଟବଲ ମହାସଂଘ ଗତ ୨୦୧୭ରେ ୧୭ ବର୍ଷରୁ କମ୍ ପୁରୁଷ ଫିଫା ଫୁଟବଲ ପ୍ରତିଯୋଗିତାକୁ ସଫଳତାର ସହିତ ଆୟୋଜନ କରି ଫିଫାର ବିଶ୍ବାସଭାଜନ ହୋଇପାରିଥିବାରୁ ମହିଳା ୧୭ ବର୍ଷରୁ କମ୍ ଫୁଟବଲ ବିଶ୍ବକପ ପ୍ରତିଯୋଗିତା ଆୟୋଜନ ଅଧିକାର ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଏ ସମ୍ପର୍କରେ କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ବିଶାଳ ଦେବ କହିଛନ୍ତି, ରାଜ୍ୟ ଓ ଦେଶରେ ମହିଳା ଫୁଟବଲକୁ ଲୋକପ୍ରିୟ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଭୁବନେଶ୍ବର ଦେଶରେ କ୍ରୀଡ଼ା ରାଜଧାନୀ ଭାବେ ପରିଗଣିତ ହେବା ପରେ ଏକାଧିକ ବିଶ୍ବସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିପାଇଁ ୨୦୨୦ ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ ଫୁଟବଲ ପ୍ରତିଯୋଗିତା ଆୟୋଜନ ନେଇ ଫିଫା ନିକଟରେ ଏଆଇଏଫ୍ଏଫ୍ ପକ୍ଷରୁ ଦାବି ଦାଖଲ କରାଯାଇଛି। ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ ଫୁଟବଲ ପ୍ରତିଯୋଗିତା ଆୟୋଜନ ନେଇ ଓଡ଼ିଶାରେ ଆବଶ୍ୟକ ଭିତ୍ତିଭୂମି ରହିଛି। ଦାବିରେ ଫିଫାର ରହିଥିବା ସମସ୍ତ ନୀତି ନିୟମ ଆଧାରରେ ପ୍ରମାଣପତ୍ର ମଧ୍ୟ ଦାଖଲ କରାଯାଇଛି। ଆୟୋଜନ ଅଧିକାର ମିଳିବା ନେଇ ଯଥେଷ୍ଟ ଆଶାରହିଛି। ସେହିପରି ଆସନ୍ତା ମାର୍ଚ୍ଚରେ କଳିଙ୍ଗ ଷ୍ଟାଡ଼ିୟମରେ ଅନ୍ତର୍ଜାତୀୟ ଚତୁଃରାଷ୍ଟ୍ରୀୟ ମହିଳା ଫୁଟବଲ ପ୍ରତିଯୋଗିତା ଆୟୋଜିତ ହେବ। ଏଥିରେ ଭାରତ ସମେତ ଅନ୍ୟ ୩ଟି ଦେଶ- ଚୀନ, ବାଂଲାଦେଶ ଓ ଫିଲିପାଇନ୍ସ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି। ଖୁବ୍ ଶୀଘ୍ର ଉକ୍ତ ପ୍ରତିଯୋଗିତାର କାର୍ଯ୍ୟସୂଚୀ ଘୋଷଣାହେବ ବୋଲି କ୍ରୀଡ଼ା ସଚିବ ଶ୍ରୀ ଦେବ କହିଛନ୍ତି। ସୂଚନାଯୋଗ୍ୟ, ଫିଫା ପକ୍ଷରୁ ୨ ବର୍ଷରେ ଥରେ ୧୭ ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ବକପ ପ୍ରତିଯୋଗିତା ୨୦୦୮ରୁ ଆରମ୍ଭ ହୋଇଛି। ଉକ୍ତ ପ୍ରତିଯୋଗିତାର ସପ୍ତମ ସଂସ୍କରଣ ୨୦୨୦ରେ ଖେଳାଯିବ। ପ୍ରତିଯୋଗିତା ଆୟୋଜନ ଅଧିକାର ପାଇଁ ଏଆଇଏଫ୍ଏଫ୍ ଅଣ୍ଟା ଭିଡ଼ିଥିବା ବେଳେ ଓଡ଼ିଶା ସରକାର ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି।
୨୦୨୦ ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ : ଦାବି ଜଣାଇଲା ଓଡ଼ିଶା
Popular Categories


