www.samajalive.in
Monday, December 8, 2025
14.1 C
Bhubaneswar

କରୋନା ଭୟ : ସନ୍ଦିଗ୍ଧ ତାଲିକାରେ ଏସ୍‍ସିବିର ଦୁଇ ଡାକ୍ତର

କଟକ : ଦୁଇଜଣ ସନ୍ଦିଗ୍ଧ ଭର୍ତ୍ତି ହେବା ପରେ କରୋନାକୁ ନେଇ କଟକ ବଡ଼ ଡାକ୍ତରଖାନାରେ ଆତଙ୍କ ଖେଳିଯାଇଛି। କରୋନାରେ ସଂକ୍ରମିତ ହେବା ଆଶଙ୍କାକୁ ନେଇ ମେଡିକାଲରେ ଚିକିତ୍ସାଧୀନ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ଏକପ୍ରକାର ଭୟଭୀତ ହୋଇପଡିଛନ୍ତି। ମେଡିକାଲ କଲେଜର ଦୁଇଜଣ ବରିଷ୍ଠ ଡାକ୍ତରଙ୍କୁ ଦୀର୍ଘଦିନ ହେବ ଥଣ୍ଡା, କାଶ ଛାଡୁନଥିବାରୁ ସେମାନେ କରୋନାରେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି। ଏହି ଦୁଇ ଡାକ୍ତରଙ୍କ କାଶ ଓ ରକ୍ତନମୁନା
ପରୀକ୍ଷା ପାଇଁ ପୁନେ ପଠାଯାଇଥିବା ଜଣାପଡିଛି। କରୋନା ଭୟରେ ସେମାନେ ୧୫ଦିନ ପର୍ଯ୍ୟନ୍ତ କ୍ଲିନିକରେ ରୋଗୀସେବା ବନ୍ଦ କରିଦେବା ସହିତ ଛୁଟିରେ ଥିବା ଜଣାପଡିଛି। ଏହି ଦୁଇ ଡାକ୍ତରଙ୍କ ମଧ୍ୟରୁ ଜଣେ ଭେଷଜ ବିଭାଗର। ତାଙ୍କ ନିକଟକୁ ଦୁଇଦିନ ତଳେ ବାଂଲାଦେଶ, ଆସାମ ଏବଂ କେରଳର ୩ଜଣ ରୋଗୀ ଚିକିତ୍ସା ପାଇଁ କ୍ଲିନିକକୁ ଆସିଥିଲେ। ଏହି ୩ଜଣ ରୋଗୀ ଦୀର୍ଘଦିନ ହେବ ଥଣ୍ଡା, କାଶ ଓ ଜ୍ୱରରେ ପୀଡିତ ଅଛନ୍ତି। ସମ୍ପୃକ୍ତ ଡାକ୍ତରଙ୍କ କ୍ଲିନିକରେ ପ୍ରାଥମିକ ଚିକିତ୍ସା ହେବା ପରେ ସେମାନେ କେଉଁଠି ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି, ତାହାର କୌଣସି ସୂଚନା ନାହିଁ। ଏହି ରୋଗୀଙ୍କଠାରୁ ସମ୍ପୃକ୍ତ ଡାକ୍ତରଙ୍କୁ ଥଣ୍ଡା, କାଶ ଓ ଜ୍ୱର ହୋଇଥିବା ସନ୍ଦେହ କରାଯାଉଛି। ଗତକାଲି ଏସସିବିକୁ କ୍ୟାପିଟାଲ ହସ୍ପିଟାଲରୁ ରେଫର ହୋଇ ଆସିଥିବା ଆୟରଲାଣ୍ଡର ଜଣେ ରୋଗୀ ଆଶୁଚିକିତ୍ସା ବିଭାଗରୁ ପଳାଇ ଯାଇଥିଲେ। ତାଙ୍କୁ ଆଣି ଆସିଥିବା ସହାୟକ ଚକ୍ଷୁ ବିଭାଗର ୪ର୍ଥ ମହଲାରେ ଖୋଲାଯାଇଥିବା ଆଇସୋଲେସନ ୱାର୍ଡକୁ ଯାଇଥିଲେ। ସେଠାରେ ସମ୍ପୃକ୍ତ ରୋଗୀଙ୍କୁ ୱାର୍ଡରେ ଭର୍ତ୍ତି କରିବାକୁ ଦାୟିତ୍ୱରେ ଥିବା ଡାକ୍ତର ପରାମର୍ଶ ଦେଇଥିଲେ। ସହାୟକ ଜଣକ ୱାର୍ଡରୁ ଆଶୁଚିକିତ୍ସା ବିଭାଗ ନିକଟକୁ ଆସି ଆଉ ଫେରିନଥିଲେ। ଦୁହେଁ ଆସିଥିବା ଗାଡିରେ ଭୁବନେଶ୍ୱର ଫେରି ଯାଇଥିଲେ। ଏ ସମ୍ପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଆଜି ଭୁବନେଶ୍ୱରର ଏକ ହୋଟେଲରୁ ସମ୍ପୃକ୍ତ ଯୁବକଙ୍କୁ ଠାବ କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି।
ଅପରପକ୍ଷରେ ପ୍ରତିଦିନ ଏସସିବିକୁ ବିଭିନ୍ନ ଅଞ୍ଚଳରୁ କରୋନା ସନ୍ଦିଗ୍ଧ ଚିକିତ୍ସା ପାଇଁ ଭର୍ତ୍ତି ହେଉଥିବାରୁ ମେଡିକାଲରେ କୋକୁଆଭୟ ଖେଳିଯାଇଛି। ବର୍ତ୍ତମାନ ବହୁ ବରିଷ୍ଠ ଡାକ୍ତରଙ୍କ ସହିତ ପିଜି ଡାକ୍ତରମାନେ ମଧ୍ୟ କରୋନା ସନ୍ଦିଗ୍ଧଙ୍କ ପାଇଁ ହୋଇଥିବା ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡରେ ଡ୍ୟୁଟି କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଫଳରେ ୱାର୍ଡରେ କରୋନା ସନ୍ଦିଗ୍ଧଙ୍କୁ ସଠିକ୍‍ ଚିକିତ୍ସା ସେବା ଯୋଗାଇ ଦେବା ମେଡିକାଲ କର୍ତ୍ତୃପକ୍ଷଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଛି। କରୋନାକୁ ନେଇ ସାରା ସହରରେ ଆତଙ୍କ ଖେଳିଯାଇଥିବାବେଳେ ବର୍ତ୍ତମାନ ମାସ୍କର ଘୋର ଅଭାବ ଦେଖାଦେଇଛି। ଏମିତିକି ସହରରେ ମାସ୍କର ଏକପ୍ରକାର କୃତ୍ରିମ ସଂକଟ ସୃଷ୍ଟି କରାଯାଇ ଚଢା ମୂଲ୍ୟରେ ବିକ୍ରି କରାଯାଉଛି। ଜିଲା କିମ୍ବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ପର୍ଯ୍ୟନ୍ତ ଏ ଦିଗରେ କୌଣସି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ପ୍ରଶାସନର ନୀରବତା ଯୋଗୁଁ ବହୁ ବ୍ୟବସାୟୀ କଳାବଜାରରେ ମାସ୍କ ବ୍ୟବସାୟ କରି ବେଶ ମୋଟା ଅଙ୍କର ଅର୍ଥ ରୋଜଗାର କରୁଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଭିମସାରରେ ଭର୍ତ୍ତି ହୋଇଥିବା ଦ୍ୱିତୀୟ କରୋନା ସନ୍ଦିଗ୍ଧଙ୍କ ରିପୋର୍ଟ ମଧ୍ୟ ଆଜି ନେଗେଟିଭ ଆସିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories