www.samajalive.in
Tuesday, December 9, 2025
16.1 C
Bhubaneswar

୨୦୨୦-୨୧ ଶିକ୍ଷାବର୍ଷରୁ ଏକକ ପିଜି ପ୍ରବେଶିକା

ଭୁବନେଶ୍ବର : ୨୦୨୦-୨୧ ଶିକ୍ଷାବର୍ଷରେ ରାଜ୍ୟରେ ଏକକ ଭାବେ ସ୍ନାତକୋତ୍ତର(ପିଜି) ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା ଶିକ୍ଷାବର୍ଷରୁ ଏକକ ପ୍ରବେଶିକା ଆରମ୍ଭ ପାଇଁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ସ୍ନାତକୋତ୍ତର(ପିଜି) ନାମଲେଖା ପାଇଁ ଏକକ ଭାବେ ପ୍ରବେଶିକା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପିଜି ନାମଲେଖାରେ ସ୍ବଚ୍ଛତା ଆଣିବା ସହ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଏଭଳି ପଦକ୍ଷେପ ବିଭାଗ ପକ୍ଷରୁ ନିଆଯାଇଛି। ଚଳିତ ମାସ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି।
ପର୍ଯ୍ୟାକ୍ରମେ କୁଳପତି, କୁଳସଚିବ ଓ ପରୀକ୍ଷା ନିୟନ୍ତ୍ରକଙ୍କର ସମ୍ମିଳନୀ କରାଯାଇଥିଲା। ଏହି ସମ୍ମିଳନୀ ମାଧ୍ୟମରେ ଏକକ ପ୍ରବେଶିକା ପାଇଁ ସମ୍ମତି ପ୍ରକାଶ ପାଇଥିଲା। ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ। ତେବେ ଏଣିକି ପିଜି ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ୭୦ ମାର୍କ ଓ କ୍ୟାରିୟରର ୩୦ ମାର୍କକୁ ଭିତ୍ତିକରି ମେଧା ତାଲିକା ପ୍ରସ୍ତୁତ କରାଯିବ। ଓଏମ୍‌ଆରସିଟ୍‌ରେ ପ୍ରବେଶିକା ପରୀକ୍ଷା କରାଯିବ। ରାଜ୍ୟବ୍ୟାପୀ ଏକକ ମେଧା ତାଲିକା ପ୍ରକାଶ ପାଇବ। ସାମ୍ସ ଜରିଆରେ ବିଦ୍ୟାର୍ଥୀ ପିଜି ନାମଲେଖା ପାଇଁ ଆବେଦନ କରିବେ। ଆବେଦନ କରିବା ସମୟରେ କେଉଁ କେଉଁ ବିଶ୍ବବିଦ୍ୟାଳୟରେ ପଢିବାକୁ ଚାହୁଁଛନ୍ତି ସେ ସମ୍ବନ୍ଧରେ ସୂଚନା ପ୍ରଦାନ କରିବେ। ବିଦ୍ୟାର୍ଥୀ ସର୍ବାଧିକ ତିନିଟି ବିଶ୍ବବିଦ୍ୟାଳୟରେ ପଢିବା ପାଇଁ ଆବେଦନ କରିପାରିବେ। କଳା ଓ ଆଇନ ପାଠ୍ୟକ୍ରମ ପରୀକ୍ଷା ପରିଚାଳନା ଦାୟିତ୍ବ ଉତ୍କଳ ବିଶ୍ବବିଦ୍ୟାଳୟକୁ ପ୍ରଦାନ କରାଯାଇଥିବାବେଳେ ବିଜ୍ଞାନ ପାଇଁ ସମ୍ବଲପୁର ବିଶ୍ବବିଦ୍ୟାଳୟକୁ ଦାୟିତ୍ବ ଦିଆଯାଇଛି। ସେହିପରି ବାଣିଜ୍ୟ ଓ ବିଜ୍‌ନେସ୍‌ ମ୍ୟାନେଜମେଣ୍ଟ ପ୍ରବେଶିକା ପାଇଁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରୀକ୍ଷା ପରିଚାଳନା କରିବ। ପ୍ରବେଶିକା ପାଇଁ ଛାତ୍ରଛାତ୍ରୀ ଥରେ ଆବେଦନ ଫି ଅନ୍‌ଲାଇନ୍‌ରେ ଦାଖଲ କରିବେ। ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯିବ। ଛାତ୍ରଛାତ୍ରୀ ଆବେଦନ ସମୟରେ କେଉଁ କେନ୍ଦ୍ରରେ ପରୀକ୍ଷା ଦେବାକୁ ଇଚ୍ଛୁକ ସେ ସମ୍ବନ୍ଧରେ ମଧ୍ୟ ଉଲ୍ଲେଖ କରିପାରିବେ।
ପ୍ରବେଶିକା ପରୀକ୍ଷା ସରିବା ପରେ ଏକକ ଭାବେ ମୂଲ୍ୟାୟନ କରାଯିବ। ରାଜ୍ୟରେ ଏକକ ମେଧା ତାଲିକା ପ୍ରକାଶ ପାଇବ। ମେଧା ତାଲିକାର ସ୍ଥାନ ଅନୁସାରେ ବିଦ୍ୟାର୍ଥୀଙ୍କୁ ବିଶ୍ବବିଦ୍ୟାଳୟ ପକ୍ଷରୁ ନାମଲେଖା ପାଇଁ ଡ଼କାଯିବ। ନାମଲେଖା ବିଶ୍ବବିଦ୍ୟାଳୟସ୍ତରରେ ଅନୁଷ୍ଠିତ ହେବ। ପ୍ରବେଶିକା ବିଜ୍ଞପ୍ତ ପ୍ରକାଶ ପାଇବା ସମୟରେ ପରୀକ୍ଷା ସମ୍ବନ୍ଧରେ ସମସ୍ତ ସୂଚନା ସମ୍ବଳିତ ବ୍ରାଉଚର୍‌ ପ୍ରକାଶ କରାଯିବ। ବ୍ରାଉଚର୍‌ରେ ପରୀକ୍ଷାର ସାମ୍ପୁଲ୍‌ ପ୍ରଶ୍ନପତ୍ର ସହ ନାମଲେଖା ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ପ୍ରଦାନ କରାଯିବ।
ପୂର୍ବରୁ ରାଜ୍ୟରେ ଅଲଗା ଭାବେ ବିଶ୍ବବିଦ୍ୟାଳୟ ନାମଲେଖା ହେବା ସମୟରେ ଛାତ୍ରଛାତ୍ରୀ ବହୁ ଅସୁବିଧା ଭୋଗ କରୁଥିଲେ। ସବୁ ବିଶ୍ବବିଦ୍ୟାଳୟ ଅଲଗା ଭାବେ ଅଧିକ ଫି ଦେଇ ବିଦ୍ୟାର୍ଥୀ ଖର୍ଚ୍ଚାନ୍ତ ହେବା ସହ ଆବେଦନ କରିଥିବା ବିଶ୍ବବିଦ୍ୟାଳୟ ଯାଇ ପରୀକ୍ଷା ଦେବାକୁ ପଡୁଥିଲା। ଗୋଟିଏ ଦିନରେ ଏକାଧିକ ବିଶ୍ବବିଦ୍ୟାଳୟର ପ୍ରବେଶିକା ରହୁଥିବାରୁ ବିଦ୍ୟାର୍ଥୀ ସମସ୍ତ ପ୍ରବେଶିକା ଦେଇପାରୁନଥିଲେ। ସବୁ ବିଶ୍ବବିଦ୍ୟାଳୟରେ ନାମଲେଖା ପାଇଁ ଅଲଗା ନିୟମାବଳୀ ଥିଲା। ଏହି ସମସ୍ୟାର ସମାଧାନ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକକ ପିଜି ପ୍ରବେଶିକା କରିବାକୁ ନିଷ୍ପତ୍ତି ନିଆଯିବା ସହ ନାମଲେଖା ସମ୍ବନ୍ଧରେ ସ୍ବତନ୍ତ୍ର ନିୟମାବଳୀ ପ୍ରସ୍ତୁତ କରାଯାଉଛି। ଆସନ୍ତାକାଲି ସମସ୍ତ କୁଳପତିଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ଏକକ ପ୍ରବେଶିକା ସମ୍ବନ୍ଧରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories