ୱାଶିଂଟନ: ପୁଲୱାମା ଆତଙ୍କବାଦୀ ଆକ୍ରମଣର ସପ୍ତାହକ ପରେ ପୁଣି ଥରେ ପାକିସ୍ତାନକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପାକିସ୍ତାନ ଆମେରିକା ସହାୟତାର ଭୁଲ ଫାଇଦା ଉଠାଉଛି। ତେଣୁ ଆମେରିକା ପକ୍ଷରୁ ପାକିସ୍ତାନକୁ ୧୩୦ କୋଟି ଡଲାରର ସହାୟତା ବନ୍ଦ କରିଦିଆଯାଇଛି ବୋଲି ଟ୍ରମ୍ପ କହିଛନ୍ତି।
ଟ୍ରମ୍ପ କହିଛନ୍ତି, ଆକ୍ରମଣରେ ବହୁତ ଯବାନ ଶହୀଦ ହୋଇଛନ୍ତି। ଏହି ଘଟଣା ପରେ ଉଭୟ ଦେଶ ମଧ୍ୟରେ ପରିସ୍ଥିତି ଅତ୍ୟନ୍ତ ଖରାପ ଏବଂ ବିପଜ୍ଜନକ ରହିଛି। ଆମ ପକ୍ଷରୁ ଉଭୟ ଦେଶ ସହ ଯୋଗାଯୋଗ ଜାରି ରହିଛି। ଉଭୟ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ଅଶାନ୍ତି ବନ୍ଦ ହେବା ଜରୁରୀ।। ଆତଙ୍କବାଦୀ ଆକ୍ରମଣ ବନ୍ଦ ହେବା ଉଚିତ। କିନ୍ତୁ ପାକିସ୍ତାନ ଆତଙ୍କବାଦର ମୁଳୋତ୍ପାଟନ ଦିଗରେ ଆବଶ୍ୟକ ପଦକ୍ଷେପ ନେଉନାହିଁ। ସେଥିଲାଗି ଉକ୍ତ ଦେଶକୁ ଆର୍ଥିକ ସହାୟତା ବନ୍ଦ କରାଯାଇଛି। ଆମେରିକା ପକ୍ଷରୁ ଟ୍ରମ୍ପ ସରକାର ଆସିବା ପରେ ଏହା ସବୁଠାରୁ ବଡ଼ ପଦକ୍ଷେପ।



