ପିପିଲି : ପିପିଲିରେ ଲକ୍ଡାଉନ ନିୟମକୁ କଡାକଡି ଭାବେ ପାଳନ କରାଯାଉଥିବା ବେଳେ ପୁରୀ ଜିଲାର ଦୁଇଟି ପ୍ରବେଶ ପଥକୁ ସଂପୂର୍ଣ୍ଣ ଭାବେ ସିଲ୍ କରି ଦିଆଯାଇଛି । ପିପିଲି-ଜଟଣୀ ରାସ୍ତାରେ କାକୁଡିଆ ଠାରେ ଜିଲାର ସୀମାକୁ ପୁଲିସ ସଂପୂର୍ଣ୍ଣ ଭାବେ ସିଲ୍ କରି ଦେଇଛି। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ଟୋଲ୍ପ୍ଲାଜା ଠାରେ ସିଲ୍ କରାଯାଇଛି। ଉଭୟ ସ୍ଥାନରେ ପୁଲିସ ୨୪ଘଣ୍ଟିଆ ପ୍ରହରା ଦେବା ସହ ବାହାର ଜିଲାର କୌଣସି ବ୍ୟକ୍ତିଙ୍କ ପ୍ରବେଶ ଉପରେ ପୁଲିସ କଟକଣା ଲଗାଇଛି।
ଗତକାଲି ବିଳମ୍ବିତ ରାତିରେ ପିପିଲି ଟୋଲ୍ପ୍ଲାଜା ଠାରେ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଚୋରାଚାଲାଣ କରୁଥିବା ଏକ କୋଇଲା ବୋଝେଇ ଟ୍ରକ୍କୁ ପୁଲିସ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଥିଲା । ଉକ୍ତ ଟ୍ରକରେ ୨୦ ଟନ୍ ଚୋରା କୋଇଲା ଥିବା ବେଳେ ତାହା ଚନ୍ଦନପୁର ଅଞ୍ଚଳକୁ ଚୋରାଚାଲାଣ ହେଉଥିବା ଜଣାପଡିଥିଲା। ଏସଂପର୍କରେ ପୁଲିସ ଏସ୍ଆଇ ସୁରମା ସ୍ୱାଇଁଙ୍କ ଲିଖିତ ଅଭିଯୋଗ ଉପରେ ପିପିଲି ଥାନାରେ ଏକ ମାମଲା ରୁଜୁ ହେବା ସହ ଟ୍ରକ୍ର ଡ୍ରାଇଭର ସଦାନନ୍ଦ ନାୟକକୁ ପୁଲିସ ଗିରଫ କରି ଆଜି ପିପିଲି କୋର୍ଟ ଚାଲାଣ କରିଥିଲା। ଗିରଫ ଡ୍ରାଇଭରର ଘର ଢେଙ୍କାନାଳ ଜିଲାରେ ହୋଇଥିବା ଜଣାଯାଇଛି। ସେହିପରି ବିନା କାରଣରେ ରାସ୍ତାରେ ବୁଲୁଥିବା ୧୩ଟି ବାଇକ୍ ଓ ୩ଟି ଚାରିଚକିଆ ଗାଡିକୁ ପୁଲିସ ଆଜି ଜବତ କରିଛି ।



