‘ଚନ୍ଦ୍ରକୁ ଛୁଇଁବାବେଳେ ଜୀବନକୁ ଛୁଇଁବା: ଭାରତର ମହାକାଶ ଗାଥା’
ଓଡିଶା ମହାକାଶ ଉପଯୋଗ କେନ୍ଦ୍ରରେ ଜାତୀୟ ମହାକାଶ ଦିବସ ସମାରୋହ ପାଳିତ
ଭୁବନେଶ୍ୱର: ଓଡିଶା ମହାକାଶ ଉପଯୋଗ କେନ୍ଦ୍ରରେ ଜାତୀୟ ମହାକାଶ ଦିବସ ମହାସମାରୋହରେ ପାଳିତ ହୋଇଛି । ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହି ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମହାକାଶ ଉପଯୋଗ କେନ୍ଦ୍ରର (ଓର୍ସାକ) ବିଭିନ୍ନ ଭୂମିକା ଉପରେ ଆଲୋକପାତ କରିଥିଲେ । ଆଜିର ଦିବସ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ନିମନ୍ତେ ପ୍ରେରଣାଦାୟୀ ହେବାନେଇ ମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।
ସେହିଭଳି ବିଜ୍ଞାନ ଓ ବୈଷୟିକ ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ ଚଳିତ ବର୍ଷର ଶୀର୍ଷକ ‘ଚନ୍ଦ୍ରକୁ ଛୁଇଁବାବେଳେ ଜୀବନକୁ ଛୁଇଁବା: ଭାରତର ମହାକାଶ ଗାଥା’ ଉପରେ ଆଲୋକପାତ କରିଥିଲେ । ଆଜିର ଦିବସ ଭାରତର ମହାକାଶ ଅଭିଯାନର ବିଜୟ ଗାଥାକୁ ମନେପକାଇବା ସହ ମହାକାଶ ଗବେଷଣା କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ଉଦ୍ରେକ କରିବ ବୋଲି ଉଲ୍ଲେଖ କରିଥିଲେ ।
ସୂଚନାଯୋଗ୍ୟ ଯେ ଚନ୍ଦ୍ରଯାନ-୩ ମିଶନର ଉଲ୍ଲେଖନୀୟ ସଫଳତାକୁ ପାଳନ କରିବା ପାଇଁ ଭାରତ ସରକାର ଅଗଷ୍ଟ ୨୩ ତାରିଖକୁ ଜାତୀୟ ମହାକାଶ ଦିବସ ରୁପେ ଘୋଷଣା କରିଛନ୍ତି । ଏହି ମିଶନରେ ବିକ୍ରମ ଲ୍ୟାଣ୍ଡରର ନିରାପଦ ଏବଂ ସୂକ୍ଷ୍ମ ଅବତରଣ କରିବା ସହ ଦକ୍ଷିଣ ମେରୁ ନିକଟରେ ଚନ୍ଦ୍ର ପୃଷ୍ଠରେ ପ୍ରଜ୍ଞାନ ରୋଭରକୁ ନିୟୋଜିତ କରିବାରେ ସଫଳ ହୋଇପାରିଥିଲା । ଏହି ଐତିହାସିକ ସଫଳତା ଭାରତକୁ ମହାକାଶ ଯାତ୍ରା କରୁଥିବା ରାଷ୍ଟ୍ରଗୁଡିକ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ ସ୍ଥାନ ପ୍ରଦାନ କରିଛି । ଏହା ଭାରତକୁ ଚନ୍ଦ୍ରରେ ଅବତରଣ କରିବାରେ ଚତୁର୍ଥ ଦେଶ ଏବଂ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ପହଞ୍ଚିବାରେ ପ୍ରଥମ ଦେଶ ହେବାର ଗୌରବ ହାସଲ କରିଛି ।
ମହାକାଶ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଯୁବପିଢିଙ୍କୁ ସାମିଲ କରିବା ଏବଂ ପ୍ରେରଣା ଦେବା ଲକ୍ଷ୍ୟରେ ଜୁଲାଇ ଏବଂ ଅଗଷ୍ଟ ୨୦୨୪ରେ ଏହି ସଫଳତା ସାରା ଦେଶରେ ପାଳନ କରାଯାଉଛି । ଏହି ଦିବସକୁ ପାଳନ କରିବା ପାଇଁ ୨୩ ଅଗଷ୍ଟ ୨୦୨୪ରେ ଓଡିଶା ମହାକାଶ ଉପଯୋଗ କେନ୍ଦ୍ର ପରିସରରେ ପୂର୍ବାହ୍ନରେ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ କରଯାଇଥିଲା । ମହାକାଶ ବିଜ୍ଞାନ କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିବିଶେଷମାନଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ନିମନ୍ତ୍ରଣ କରଯାଇଥିଲା ।
ବିଶେଷ କରି ଭୁବନେଶ୍ୱରର କେତେକ ସରକାରୀ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରଛାତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ମହାକାଶ ବିଜ୍ଞାନ ସମ୍ବନ୍ଧୀୟ କୁଇଜ ପ୍ରତିଯୋଗିତା କରାଯାଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରଯାଇଥିଲା ।
ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ପାତ୍ର ଓର୍ସାକ ପରିସରରେ ଚାରା ରୋପଣ କରିବା ସହ ରକେଟ ଉତକ୍ଷେପଣ ସଂକ୍ରାନ୍ତୀୟ ଏକ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ । ଏଥି ସହ ଆୟୋଜିତ ପ୍ରଦର୍ଶନୀରେ ଭାଗ ନେଇଥିବା ବୁର୍ଲାସ୍ଥିତ ଭିସୁଟ୍ର ଛାତ୍ରଛାତ୍ରୀ ସମେତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ ।
ଏହି ଅବସରରେ ଓଡିଶା ମହାକାଶ ଉପଯୋଗ କେନ୍ଦ୍ର (ଓର୍ସାକ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀମତୀ ରଶ୍ମିତା ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ମୁଖ୍ୟବକ୍ତା ଭାବେ ଆଇଆଇଟି, ଭୁବନେଶ୍ୱରର ସହକାରୀ ପ୍ରଫେସର ଡଃ ଦେବଦତ୍ତ ସ୍ୱାଇଁ ଯୋଗଦେଇ ନିଜର ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ପରିଶେଷରେ ଓଡିଶା ମହାକାଶ ଉପଯୋଗ କେନ୍ଦ୍ର (ଓର୍ସାକ)ର ପ୍ରଶାସନିକ ଅଧିକାରୀ ସୋଫି ସାଇନିକା ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed.