ନୂଆଦିଲ୍ଲୀ: ରବିବାର ଲୋକସଭା ପାଇଁ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କେଦାରନାଥ ଓ ବଦ୍ରୀନାଥ ଗସ୍ତ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ କରିଛନ୍ତି ତୃଣମୂଳ କଂଗ୍ରେସ ଓ ତେଲୁଗୁ ଦେଶମ ପାର୍ଟି। ଟିଏମସି ପକ୍ଷରୁ ସାଂସଦ ଡେରେକ ଓବରାୟନ ଅଭିଯୋଗ କରି କହିଛନ୍ତି ଯେ ମୋଦୀଙ୍କ ଗସ୍ତ ବ୍ୟାପକ ଭାବେ ପ୍ରସାରିତ ହୋଇଥିବାରୁ ତାହା ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରୁଛି। ଟିଏମସି ନିର୍ବାଚନ କମିଶନଙ୍କଠାରେ ଅଭିଯୋଗ ଦାଖଲ କରି କହିଛି, ମୋଦୀଙ୍କ ଗସ୍ତ ଉଦ୍ଦେଶ୍ୟ ପ୍ରଣୋଦିତ କାରଣ ଭୋଟରମାନଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରଭାବିତ କରିବା ପାଇଁ ଗସ୍ତ ସମୟର ସମସ୍ତ ଦୃଶ୍ୟାବଳୀର ପ୍ରସାରଣ କରାଯାଇଛି। ଏଥି ପ୍ରତି ନିର୍ବାଚନ କମିଶନ ସମ୍ପୂର୍ଣ ଆଖି ବୁଜିଦେଇଥିବା ଟିଏମସି କହିଛି। ଅନ୍ୟପକ୍ଷରେ ଚନ୍ଦ୍ରବାବୁ ନାଇଡୁ ନେତୃତ୍ୱାଧୀନ ଟିଡ଼ିପି କମିଶନଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ ମୋଦୀ କେଦାରନାଥ ମନ୍ଦିରରେ ସାମ୍ବାଦିକମାନଙ୍କୁ କହିଛନ୍ତି, କେଦାରନାଥ ପାଇଁ ତାଙ୍କର ସ୍ୱତନ୍ତ୍ର ଯୋଜନା ରହିଛି।
ସୂଚନା ଯୋଗ୍ୟ ଯେ ପୂର୍ବରୁ ମୋଦୀଙ୍କ ବିରୁଦ୍ଧରେ ଆସିଥିବା ଆଚରଣ ବିଧି ସମ୍ପର୍କିତ ସମସ୍ତ ଅଭିଯୋଗକୁ ନିର୍ବାଚନ କମିଶନ କ୍ଲିନ ଚିଟ ଦେଇସାରିଛନ୍ତି ଯେଉଁଠି ପାଇଁ ଅନ୍ୟତମ ନିର୍ବାଚନ କମିଶନର ପ୍ରଶ୍ନ ଉଠାଇଛନ୍ତି।



