ମାଇକ୍ରୋ ଫାଇନାନ୍ସ କମ୍ପାନୀ ଋଣ ଠକେଇ ନେଇ ନ୍ୟାୟ ଦାବି

ଟିଟିଲାଗଡ଼ : ଟିଟିଲାଗଡ ଉପଖଣ୍ଡର ଶତାଧିକ ମହିଳାଙ୍କୁ ଘରୋଇ ମାଇକ୍ରୋଫାଇନାନ୍ସ କମ୍ପାନୀ ସହ ମିଶି ଦୁଇ ଜଣ ବ୍ୟକ୍ତି ଚଞ୍ଚକତା କରି ପ୍ରାୟ ୬ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନର ନିରବତା ତଥା ଘରୋଇ କମ୍ପାନୀର ଜୁଲୁମ ପ୍ରତିବାଦ ଏବଂ ନ୍ୟାୟ ଦାବିରେ ବୁଧବାର ମହିଳାମାନେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ। ଟିଟିଲାଗଡ ଗରିବ ସେନା ସଭାପତି ବିରେନ୍ଦ୍ର ବାଗଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଗଣଧାରଣାରେ ମହିଳାମାନେ ନିଜ ଦୁଃଖ ବଖାଣିଥିଲେ। ଉପଖଣ୍ଡର ଶତାଧିକ ମହିଳା ଗୋଷ୍ଠିଙ୍କୁ ଘରୋଇ ମାଇକ୍ରୋଫାଇନାନ୍ସ କମ୍ପାନୀ ଠାରୁ ଋଣ କରାଇ ଦେଇ ଠାକୁର ସେଲମା ଏବଂ ଚନ୍ଦ୍ରମଣୀ ବଗର୍ତ୍ତି ନାମକ ଦୁଇ ଜଣ ବ୍ୟକ୍ତି ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଏପରିକି ଜଣେ ମହିଳାଙ୍କୁ ଦୁଇରୁ ୬ଟି ପର୍ଯ୍ୟନ୍ତ ମାଇକ୍ରୋଫାଇନାନ୍ସ କମ୍ପାନୀ ଋଣ ମଞ୍ଜୁର କରିଥିଲେ। ଉକ୍ତ ଟଙ୍କା ନିଜ ସଂସ୍ଥାରେ ଲଗାଣ ସହ ଅଧିକ ସୁଧ ପ୍ରଦାନ ପ୍ରତିଶୃତି ଦେଇ ଦୁଇ ଅଭିଯୁକ୍ତ ପ୍ରାୟ ୬ କୋଟି ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି । ୨୦୨୦ରେ ଏନେଇ ମହିଳାମାନଙ୍କ ଅଭିଯୋଗ କ୍ରମେ ଟିଟିଲାଗଡ ଏବଂ ମୁରିବାହାଲ ଥାନାରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଥିଲା । ଏନେଇ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ କରି ମହିଳାମାନେ ବଲାଙ୍ଗିର ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ। ଏନେଇ ସେ ସମୟରେ ବଲାଙ୍ଗିର ଏଏସପି ମନୋରଞ୍ଜନ ପ୍ରଧାନ ନିଜେ ମୁରିବାହାଲ ଆସି ମହିଳାମାନଙ୍କ ଅଭିଯୋଗ ଶୁଣିଥିଲେ। ଅଭିଯୁକ୍ତ ଠାକୁର ସେଲମା ମୁରିବାହାଲ କୋର୍ଟରେ ଆତ୍ମସମର୍ପଣ କରିଥିଲେ ମଧ୍ୟ ପୁଲିସ ଠିକଣା ସମୟରେ  ଚାର୍ଜସିଟ ଦାଖଲ ନକରିବାରୁ ଅଭିଯୁକ୍ତ ଜାମିନରେ ମୁକୁଳିଥିବା ଅଭିଯୋଗ ହୋଇଛି। ଏନେଇ ସମାଳୋଚନାର ସରବ୍ୟ ପୁଲିସ ପୁଣି ଥରେ ଅନ୍ୟ ଏକ ମାମଲାରେ ଠାକୁରଙ୍କୁ ଗିରଫ କରିଥିଲା ସେଥିରେ ମଧ୍ୟ ଜାମିନ ମିଳିସାରିଛି। ହେଲେ ଷ୍ଟାମ୍ପ ପେପରରେ ଲେଖିଦେଇ ମହିଳାଙ୍କ ଠାରୁ ନେଇଥିବା ଲକ୍ଷାଧିକ ଟଙ୍କା ଫେରସ୍ତ ହୋଇନାହିଁ। ଅନ୍ୟପକ୍ଷରେ ଘରୋଇ ଟଙ୍କା ଲଗାଣ କମ୍ପାନୀ ଏଜେଣ୍ଟ ମହିଳାଙ୍କ ଘରଦ୍ୱାର ମୁହଁରେ ରାତିଦିନ ବସି, ଧମକ ଚମକ ଦେଇ ଟଙ୍କା ଫେରସ୍ତ ପାଇଁ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି। ଗ୍ରାମାଞ୍ଚଳର ଗରିବ ଆଦିବାସୀ, ଦଳିତ ତଥା ଚାଷୀ ଶ୍ରମିକ ପରିବାରର ମହିଳାମାନେ ଭରସା କରି ଉକ୍ତ ଦୁଇ ଅଭିଯୁକ୍ତଙ୍କୁ ଟଙ୍କା ଦେଇଥିଲେ। ଏବେ ଟଙ୍କା ଫେରସ୍ତ ପାଇଁ ହାତରେ କିଛି ନାହିଁ। ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ପୂର୍ବତନ ଟିଟିଲାଗଡ ଉପଜିଲାପାଳ ସୋମେଶ ଉପାଧ୍ୟାୟ ଏନେଇ ଟିଟିଲାଗଡ ଉପଖଣ୍ଡ ଅଞ୍ଚଳର ଏହି ମହିଳାମାନଙ୍କୁ ଋଣ ପ୍ରଦାନ କରିଥିବା ଡଜନେ ପ୍ରାୟ ମାଇକ୍ରୋଫାଇନାନ୍ସ କମ୍ପାନୀ ଅଧିକାରୀଙ୍କ ସହ ବୈଠକ କରିଥିଲେ। ହେଲେ ମହିଳାଙ୍କୁ କୌଣସି ଆଶ୍ୱସ୍ତି ମିଳିଲା ନାହିଁ। ଏହି ପରିପ୍ରେକ୍ଷୀରେ ପ୍ରଶାସନ ଉକ୍ତ ଘରୋଇ ମାଇକ୍ରୋଫାଇନାନ୍ସ କମ୍ପାନୀ ଉଚ୍ଚ ଅଧିକାରୀଙ୍କ ସହ ଆଳୋଚନା, ଅଭିଯୁକ୍ତ ସମସ୍ତ ସମ୍ପତ୍ତି ଜବତ ସହ ଋଣ ଟଙ୍କା ପରିଶୋଧ ବ୍ୟବସ୍ଥା, କିଭଳି ଏବଂ କେଉଁ ଆଧାରରେ ଜଣେ ମହିଳାଙ୍କୁ ଏକାଧିକ କମ୍ପାନୀ ଲକ୍ଷାଧିକ ଟଙ୍କା ଋଣ ମଞ୍ଜୁର କଲେ ସେ ନେଇ ଅପରାଧିକ ଚକ୍ରାନ୍ତ, ମହିଳା ଗୋଷ୍ଠିଙ୍କ ସହାୟତା ପାଇଁ ସରକାର ନିଯୁକ୍ତ କରିଥିବା ଅଧିକାରୀଙ୍କ ଏକ୍ଷେତ୍ରରେ ସନ୍ଦେହାସ୍ପଦ ଭୂମିକା ଆଦି ନେଇ ତଦନ୍ତ ସହ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗରିବ ସେନା ପକ୍ଷରୁ ଦାବି ହୋଇଛି। ଏସଂକ୍ରାନ୍ତରେ ସଂଗଠନର ସଭାପତି ଶ୍ରୀ ବାଗ, ବଙ୍ଗୋମୁଣ୍ଡା ଗରିବ ସେନା ସଭାପତି ଦିନେଶ ତାଣ୍ଡି, ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଦସ୍ୟ ନରସିଂ ସିଂ, ବୈବ ବାଗ, ସୁଦାମ ପ୍ରଧାନୀ, କାହ୍ନା ବେହେରା, ମହିଳା ଗୋଷ୍ଠି ସଦସ୍ୟା ଝରଣା ଜାନୀ, ସୁମିତ୍ରା ଭୋଇ, ବିଶାଖା ପୁଟେଲ, ଧରିତ୍ରୀ ଜାନୀ, ହେମା ସୁନା, ସରସ୍ୱତି ବାଗ ପ୍ରମୁଖ ଉପଜିଲାପାଳଙ୍କ ଅନୁପସ୍ଥିତିରେ ସହାୟକ ଜିଲାପାଳ ଡ. ଲଲିତ ବାଗଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ।

kalyan agarbati

Comments are closed.