ବନ୍ୟଜନ୍ତୁ ସୁରକ୍ଷା ଆଇନ ସଂଶୋଧନ ପାଇଁ ଦାବି
ଆଠଗଡରେ ହାତୀ ମୃତ୍ୟୁକୁ ନେଇ ପରିବେଶବିତ୍ଙ୍କ ଉଦବେଗ
ଆଠଗଡ : ସଂପ୍ରତି ରାଜ୍ୟ ତଥା ଦେଶରେ ବନ୍ୟଜନ୍ତୁଙ୍କ ସଂଖୟା କ୍ରମାଗତ ଭାବରେ ହ୍ରାସ ପାଉଛି । ବିଶେଷକରି ନିକଟରେ ଆଠଗଡ ବନଖଣ୍ଡ ଅଧିନ ବଡମ୍ବାରେ ୩ଟି ହାତୀ କଙ୍କାଳ ମିଳିବା ଏବଂ ନରସିଂହପୁର ପୂର୍ବ ବନାଞ୍ଚଳରେ ଏକ ଦନ୍ତାହାତୀକୁ ଗୁଳିକରି ମାରିବା ଘଟଣାରେ ବିଶିଷ୍ଟ ପରିବେଶବିତ୍ ତଥା ପୂର୍ବତନ ଅବୈତନିକ ବନ୍ୟଜନ୍ତୁ ସଂରକ୍ଷକ ଆଇନଜୀବୀ ଅଶୋକ କୁମାର ପଟ୍ଟନାୟକ ଉଦ୍ବେଗ ପ୍ରକାଶ କରିବା ସହ ବନ୍ୟଜନ୍ତୁ ସୁରକ୍ଷା ଆଇନର ସଂଶୋଧନ କରି ଏହାକୁ ଆହୁରି କଠୋର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏ ସଂକ୍ରାନ୍ତରେ ଆଇନଜୀବୀ ଶ୍ରୀ ପଟ୍ଟନାୟକ ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନ ମୁଖ୍ୟ ବନସଂରକ୍ଷକଙ୍କୁ ପତ୍ର ଲେଖି ରାଜ୍ୟରେ ପ୍ରଚଳିତ ବନ୍ୟଜନ୍ତୁ ସୁରକ୍ଷା ଆଇନକୁ ସଂଶୋଧନ କରି ପଡୋଶୀ ଆସାମ ରାଜ୍ୟ ଭଳି କଠୋର ଆଇନ ପ୍ରଣୟନ କରିବା ପାଇଁ ଦାବି କରିଛନ୍ତି। ଆନ୍ତର୍ଜାତୀୟ ସ୍ତରରେ ବନ୍ୟଜନ୍ତୁ ସୁରକ୍ଷା ପାଇଁ ବିଭିନ୍ନ ସଂଗଠନ ଓ ପରିବେଶବିତ୍ ଚିନ୍ତା ପ୍ରକଟ କରିବା ପରେ ୧୯୭୨ମସିହାରେ ଆମ କେନ୍ଦ୍ର ସରକାର ବନ୍ୟ ପ୍ରାଣୀ ‘ସୁରକ୍ଷା’ ଆଇନ ୧୯୭୨ ନାମରେ ଏକ ଆଇନ ପ୍ରଣୟନ କରିଥିଲେ। ପୂର୍ବରୁ ବନ୍ୟପ୍ରାଣୀ ଓ ଏହାର ଅଙ୍ଗ ପ୍ରତ୍ୟଙ୍ଗକୁ ବନ୍ୟଦ୍ରବ୍ୟ ଭାବେ ବିଚାର କରାଯାଇ ଭାରତୀୟ ଜଙ୍ଗଲ ଆଇନ ଓ ଆମରାଜ୍ୟରେ ହୋଇଥିବା ଜଙ୍ଗଳ ଆଇନ ଅନୁଯାୟୀ ସ୍ୱଳ୍ପ ଦଣ୍ଡରେ ଦଣ୍ଡିତ କରାଯାଉଥିଲା। କିନ୍ତୁ ସ୍ୱତନ୍ତ୍ର ଭାବେ ୧୯୭୨ମସିହାରେ ବନ୍ୟଜନ୍ତୁ ‘ସୁରକ୍ଷା’ ଆଇନ ଲାଗୁ ହେବା ପରେ ବନ୍ୟପ୍ରାଣୀଙ୍କୁ ନେଇ ଅପରାଧ କରୁଥିବା ଅପରାଧୀଙ୍କୁ ଅଧିକ ଦଣ୍ଡଦେବାର ବ୍ୟବସ୍ଥା କରାଯାଇଥିଲା। ଏହି ଦଣ୍ଡ ବ୍ୟବସ୍ଥା ଅନୁଯାୟୀ ୩ବର୍ଷରୁ ୭ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ସହିତ ୨୫ହଜାର ଟଙ୍କା ଜୋରିମନା ଦଣ୍ଡ ଦିଆଯାଉଛି। ପରେ ଆମ ରାଜ୍ୟରେ ଏହାକୁ ସଂଶୋଧନ କରାଯାଇ ଅପରାଧିକୁ ୩ବର୍ଷ ରୁ ୭ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡର ବ୍ୟବସ୍ଥା କରିଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଜଙ୍ଗଳ ସଂପଦ ଓ ବନ୍ୟଜନ୍ତୁ ଅପରାଧରେ ସଂପୃକ୍ତ ଅପରାଧୀଙ୍କ ବିଚାର ସ୍ୱତନ୍ତ୍ର ଅଦାଲତରେ କରାନଯାଇ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ କରାଯାଉଛି। ଏହି ଆଇନ ବଳରେ ଦଣ୍ଡର ପରିମାଣ ବଢାଇ ଦିଆଯାଇଥିଲେ ମଧ୍ୟ ଅପରାଧି ଏହାକୁ ଖାତିର ନକରି ବହୁ ପରିମାଣରେ ବନ୍ୟଜନ୍ତୁ ଶିକାର କରିଚାଲିଛନ୍ତି। ବହୁ କମ୍ ମାମଲାରେ ଅପରାଧିଙ୍କୁ ଦଣ୍ଡ ବିଧାନ ହେଉଛି ଏବଂ ବହୁ ଅପରାଧୀ ଉପଯୁକ୍ତ ପ୍ରମାଣ ଅଭାବରୁ ଖସି ଯାଉଛନ୍ତି। ଏଥିଯୋଗୁ ଅପରାଧୀମାନେ ଅଧିକରୁ ଅଧିକ ସଂଖ୍ୟାରେ ଅପରାଧ ଘଟାଇ ଚାଲିଛନ୍ତି। ବାଘ ଓ ହାତୀ ଭଳି ମୂଲ୍ୟବାନ ବନ୍ୟଜନ୍ତୁଙ୍କ ସମେତ ଓଡିଶାରେ କଇଁଛ ଓ ବଜ୍ରକାପ୍ତା ଶିକାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆସାମ ସରକାର ୨୦୧୦ମସିହା ଅକ୍ଟୋବର ୧୯ତାରିଖରେ ରାଜ୍ୟ ଗ୍ୟାଜେଟରେ ପ୍ରକାଶ କରିଥିବା ବିଜ୍ଞପ୍ତି ଅନୁଯାୟୀ ୧୯୭୨ମସିହା ବନ୍ୟଜନ୍ତୁ ସୁରକ୍ଷା ଆଇନରେ ପରିବର୍ତ୍ତନ କରି ଏହାକୁ କଠିନ ଦଣ୍ଡର ବ୍ୟବସ୍ଥା କରିଛନ୍ତି। ଆସାମ ସରକାର ବନ୍ୟଜନ୍ତୁ ଶିକାର କଲେ ଅପରାଧିକୁ ୧୦ବର୍ଷରୁ ଆଜୀବନ କାରାଦଣ୍ଡ ବ୍ୟବସ୍ଥା କରିବା ସହ ଜୋରିମନା ଅର୍ଥ ୨୫ହଜାରରୁ ୭୫ହଜାର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏଥି ସହ ୩ବର୍ଷ ଦଣ୍ଡ ଥିବା ଅପରାଧ ପାଇଁ ଦଣ୍ଡ ପରିବର୍ତ୍ତନ କରି ୭ବର୍ଷରୁ ୧୦ବର୍ଷ କାରାଦଣ୍ଡର ବ୍ୟବସ୍ଥା କରିଛନ୍ତି। ସେହିଭଳି ବନ୍ୟଜନ୍ତୁ ଶିକାର ଅପରାଧିଙ୍କ ପାଇଁ ସ୍ୱତନ୍ତ୍ର ଅଦାଲତରେ ବିଚାର କରିବାର ବ୍ୟବସ୍ଥା କରାଯାଇଛି ଓ ଏଥିପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ସରକାରୀ ଓକିଲ ନିଯୁକ୍ତିର ବ୍ୟବସ୍ଥା ମଧ୍ୟ ହୋଇଛି। ଆଇନରେ ଏହିଭଳି କଡା ବ୍ୟବସ୍ଥା କରାଯିବା ପରେ ଆସାମରେ ବର୍ତ୍ତମାନ ପୂର୍ବ ତୁଳନାରେ ବନ୍ୟଜନ୍ତୁ ଶିକାର ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଛି। ଆସାମ ଭଳି ଆମ ରାଜ୍ୟରେ ମଧ୍ୟ ବନ୍ୟ ଜନ୍ତୁ ଆଇନର ସଂଶୋଧନ କରାଯାଇ କଠୋର ଦଣ୍ଡର ବ୍ୟବସ୍ଥା କରାଗଲେ ବନ୍ୟଜନ୍ତୁ ଶିକାର ନିଶ୍ଚିତ ଭାବେ ହ୍ରାସ ପାଇବ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ଆଠଗଡ ବନଖଣ୍ଡ ଅନ୍ତର୍ଗତ ବଡମ୍ବା, ନରସିଂହପୁର ପୂର୍ବ ଓ ପଶ୍ଚିମ ବନାଞ୍ଚଳରେ ବିସ୍ତୃତ ଜଙ୍ଗଲ ସଂପଦ ରହିଥିବା ବେଳେ ସେଠାରେ ବନ୍ୟଜନ୍ତୁ ଶିକାରୀ ସବୁବେଳେ ସକ୍ରିୟ ରହିବା ସହ ଦାନ୍ତ ପାଇଁ ନିୟମିତ ହାତୀ ଶିକାର କରୁଥିବା ଦେଖିବାକୁ ମିଳିଛି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଏବେ ନିକଟରେ ବଡମ୍ବାରୁ ୨ଟି ଦନ୍ତା ଓ ଗୋଟିଏ ମାଇ ହାତୀର ମୃତ ଦେହ ମାଟିତଳୁ ମିଳିବା ଏବଂ ୫ଟି ଗୁଳି ବାଜିଥିବା ନରସିଂହପୁର ପୂର୍ବ ବନାଞ୍ଚଳରେ ଦନ୍ତାହାତୀର ମୃତ୍ୟୁଘଟଣାରୁ ବଡମ୍ବା ଓ ନରସିଂହପୁର ୩ଟି ଯାକ ବନାଞ୍ଚଳରେ ଆହୁରି ଅଧିକ ହାତୀ ଶିକାର କରାଯାଇ ମାଟିତଳେ ପୋତାଯାଇଥିବା ସନ୍ଦେହ ପ୍ରକାଶ ପାଉଛି। ଏ ସବୁକୁ ଦୃଷ୍ଟିରେ ରଖି ଏହି ଘଟଣାର କ୍ରାଇମବାଞ୍ଚ ତଦନ୍ତ ପାଇଁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି। ଏଥି ସହିତ ରାଜ୍ୟ ସରକାର ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଆଇନରେ ପରିବର୍ତ୍ତନ କରି କଠୋର ଦଣ୍ଡ ବ୍ୟବସ୍ଥା କରିବା ପାଇଁ ସେ ଦାବି କରିଛନ୍ତି।
Comments are closed.