ତିଗିରିଆ : ତିଗିରିଆ ବ୍ଳକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ମୋ ଘର ଯୋଜନା ସମ୍ବନ୍ଧୀୟ ସଚେତନତା ସହିତ ପ୍ରକଳ୍ପ କାର୍ଯ୍ୟାଦେଶ ଓ ଚାଷୀଙ୍କୁ ମାଗଣା ଧାନ ବିହନ ବଣ୍ଟନ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।
ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଣବ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ କୃଷି ମତ୍ସ୍ୟ ପଶୁସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ରାଜ୍ୟ ସରକାର ଗରିବଙ୍କ କଲ୍ୟାଣ ଓ ବିକାଶ ପାଇଁ ସମର୍ପିତ ଏବଂ ପ୍ରତିବଦ୍ଧ ବୋଲି ପ୍ରକାଶ କରିଥିଲେ । ସଂପ୍ରତି ରାଜ୍ୟ ସରକାରଙ୍କ ପ୍ରଚଳିତ ମୋ ଘର ଯୋଜନା ସମ୍ପର୍କରେ ସଚେତନ କରି, କିଭଳି ଭାବେ ହିତାଧିକାରୀମାନେ ନିର୍ଦ୍ଧାରିତ ସମୟରେ ଘର ପୂର୍ଣ୍ଣାଙ୍ଗ କରି ଅତିରିକ୍ତ ପ୍ରୋତ୍ସାହନ ରାଶି ପାଇପାରିବେ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ। ସେହିଭଳି ବ୍ଳକର ୧୪ନଂ ଜୋନ ଅନ୍ତର୍ଗତ ୭ ଗୋଟି ପଞ୍ଚାୟତରେ ହେବାକୁ ଥିବା ୭୫ ଲକ୍ଷ ୫୦ ହଜାର ଟଙ୍କାର ୨୩ ଗୋଟି ଉନ୍ନୟନ ମୂଳକ ପ୍ରକଳ୍ପର କାର୍ଯ୍ୟାଦେଶ ଏବଂ ଏହି ଜୋନ ଅନ୍ତର୍ଗତ ତେନ୍ତୁଳିରଗଡ଼ି ଗ୍ରାମରେ ୫୦ ହେକ୍ଟର ଚାଷ ଜମିରେ ଧାଡ଼ିରୁଆ ଧାନଚାଷ ପାଇଁ ଚାଷୀଙ୍କୁ ମାଗଣା ଧାନ ବିହନ ବଣ୍ଟନ କରିଥିଲେ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ, ଉପାଧ୍ୟକ୍ଷ ମାନସ ସାହୁ, ଜିଲ୍ଲା ପରିଷଦ ସଭ୍ୟ ସଞ୍ଜୟ କୁମାର ମଲ୍ଲିକ, ସହକାରୀ ଯନ୍ତ୍ରୀ ଅଶୋକ କୁମାର ନନ୍ଦ, ସହକାରୀ କୃଷି ଅଧିକାରୀ ଦେବୀ ପ୍ରସାଦ ପୃଷ୍ଟି, ଆତ୍ମା ଅଧ୍ୟକ୍ଷ ହରେନ୍ଦ୍ର ଦଳେଇ, ପାଞ୍ଚଗାଁ ସରପଞ୍ଚ ନିରଞ୍ଜନ ଦଳେଇ, ଅଚଳକୋଟ ସରପଞ୍ଚ ରୋଜାଲିନ ବଳିଆର ସିଂହ, ଭିରୁଡା ସରପଞ୍ଚ ବେଣୁଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।



