ଗଣପତିଙ୍କ ପୂଜାରେ ଝଲସୁଛି ପାଞ୍ଚଗାଁ ଓ ନୂଆପାଟଣା

ତିଗିରିଆ :  ପବିତ୍ର ଗଣେଶ ଚତୁର୍ଥୀରେ ତିଗିରିଆ ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ସହିତ ପୁରପଲ୍ଲୀର ଯୁବଗୋଷ୍ଠୀ, କ୍ଲବ ଏବଂ ବିଭିନ୍ନ ବଜାରରେ ପୂଜା କମିଟି ଗୁଡ଼ିକ ପକ୍ଷରୁ ସିଦ୍ଧିଦାତା ଗଣପତିଙ୍କ ପୂଜାର୍ଚ୍ଚନା ବେଶ ଯାକଜକମରେ ବୁଧବାର ଅନୁଷ୍ଠିତ ହୋଇଛି । ଅନୁକୂଳ ପାଣିପାଗ ଲାଗି ରହିଥିବାରୁ ପ୍ରତି ପ୍ରାନ୍ତରେ ଆକର୍ଷଣୀୟ ସୁସଜ୍ଜିତ ପୂଜା ମଣ୍ଡପ ଠାରୁ ଆରମ୍ଭ କରି ଏହାର ଆଖପାଖ ଅଞ୍ଚଳକୁ ରଙ୍ଗୀନ ଆଲୋକମାଳା ଏବଂ ଆଲୋକ ତୋରଣରେ ସୁସଜ୍ଜିତ କରାଯାଇଥିବା ଦେଖିବାକୁ ମିଳିଛି।
ବ୍ଲକରେ ବିଶେଷ କରି ପାଞ୍ଚଗାଁ, ହସ୍ତତନ୍ତ ଗ୍ରାମ ନୂଆପାଟଣା ଏବଂ ତିଗିରିଆ ନିଜିଗଡ଼ରେ ଗଣେଶ ପୂଜାକୁ ନେଇ ବଜାର ସମୁହ ଓ ସାହିଗଳି ଆଲୋକ ସଜ୍ଜାରେ ଝଲସି ଉଠିଛି । ଆୟୋଜକଙ୍କ ମଧ୍ୟରେ ସାଜସଜ୍ଜାକୁ ନେଇ ଏକ ରକମ ପ୍ରତିଯୋଗୀତାମୂଳକ ମନୋଭାବ ଲାଗି ରହିଥିବା ଦେଖିବାକୁ ମିଳିଛି । ଡାକବାଜି ସାଙ୍ଗକୁ ବାଣ ଓ ବାଜାରେ ଅଞ୍ଚଳ ଗୁଡ଼ିକ କମ୍ପମାନ ହେଉଛି । ଅପରାହ୍ଣ ୩ଟା ସୁଦ୍ଧା ସମସ୍ତ ପୂଜା ମଣ୍ଡପଗୁଡ଼ିକରେ ଗଣପତି ବାବାଙ୍କ ବୈଦିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଏବଂ ସମବେତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପୁଷ୍ପାଞଳୀ କାର୍ଯ୍ୟକ୍ରମ ସରିଥିଲା। ବ୍ଲକର ପାଞ୍ଚଗାଁରେ ଦିବ୍ୟଜ୍ୟୋତି ଆସୋସିଏସନ୍, ରାଇଜିଙ୍ଗ ଷ୍ଟାର, ଜୟ ଗଣେଶ, ଗଜାନନ, ରୟାଲଡାଇମଣ୍ଡ, ପ୍ରିନ୍ସ ଆସୋସିଏସନ୍, ସାଇନିଂକ୍ଲବ, ଚ୍ୟାଲେଞର୍ସ କ୍ଲବ, ଦିଗ୍ବିଜୟ ଆସୋସିଏସନ୍, ଷ୍ଟ୍ରିମ୍ଲାଇନ, କିଙ୍ଗ୍ ଗଣେଶ ଆସୋସିଏସନ, ବ୍ରାଇଜିଷ୍ଟ ସନ୍ ଆସୋସିଏସନ, ସିଦ୍ଧି ବିନାୟକ, ସ୍ୱସ୍ତିକ ୟୁଥ ଆସୋସିଏସନ ଏବଂ ପ୍ରିନସ୍ ଆସୋସିଏସନ ଏହିପରି ୧୪ଗୋଟି ପୂଜା ମଣ୍ଡପରେ ଗଣପତିଙ୍କ ପୂଜାର୍ଚ୍ଚନା ବେଶ ଧୁମଧାମରେ ଚାଲିଥିବା ବେଳେ ନିଜିଗଡ଼ରେ ୬ଟି ପ୍ରମୁଖ ବଡ଼ ମଣ୍ଡପ ସହିତ ଅନ୍ୟ ମଣ୍ଡପରେ ଗଣେଶ ପୂଜା ଏବଂ ହସ୍ତତନ୍ତ ପ୍ରସିଦ୍ଧ ନୂଆପାଟଣା ଓ ଜେମାଦେଇପୁର ଅଞ୍ଚଳର ୪ପ୍ରମୁଖ ବଜାର ମଙ୍ଗଳାବଜାର, ଦୁର୍ଗା ବଜାର, ଚଣ୍ଡୀ ବଜାର, କଳାପାଟ ବଜାର ଗୁଡ଼ିକ ମଧ୍ୟରେ ରହିଥିବା ବିଭିନ୍ନ କ୍ଲବ ସହିତ ଉଭୟ ଗ୍ରାମର ସାହିଗଳିରେ ପ୍ରାୟ ୫୦ରୁ ଅଧିକ ପୂଜା ମଣ୍ଡପରେ ଗଣେଶଙ୍କ ପୂଜା ଅନୁଷ୍ଠିତ ହୋଇଛି। ସେହିଭଳି ଗୋଡ଼ିଝରିଆ ଯୋଗେଶ୍ୱରୀ କ୍ଲବ ଏବଂ ହାଟମାଳସ୍ଥିତ ତ୍ରିନାଥ ଯୁବକସଂଘ ପକ୍ଷରୁ ମଧ୍ୟ ବେଶ ଯାକଜମରେ ଗଣପତିଙ୍କ ପୂଜାର୍ଚ୍ଚନା କରାଯାଇଛି। ପାଞ୍ଚଗାଁରେ ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ଗଣପତିଙ୍କ ପୂଜା ହେବା ସହିତ ବିଭିନ୍ନ କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବାର ଯୋଜନା ରହିଥିବା ଜଣାଯାଇଛି। ଏହାପରେ ପର୍ଯ୍ୟାୟକ୍ରମେ ପୂଜା ମଣ୍ଡପଗୁଡ଼ିକ ପକ୍ଷରୁ ଭସାଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟିଗୁଡ଼ିକର କର୍ମକର୍ତ୍ତାଙ୍କ ଠାରୁ ଜଣାପଡ଼ିଛି।

kalyan agarbati

Comments are closed.