ଚାଷ କାମରେ ଆସୁନି ମହାନଦୀ, କେବଳ ବନ୍ୟା ଉଜାଡ଼ୁଛି ଫସଲ

ତିଗିରିଆ: ଜଳ ସମ୍ପଦ ବିଭାଗର କାର୍ଯ୍ୟ ଖାଲି କ’ଣ ବନ୍ୟା ନିୟନ୍ତ୍ରଣ ? ମହାନଦୀ ଅବବାହିକାର ଏହା ଏକ ବଡ଼ ଦ୍ୱନ୍ଦ୍ବ । ପ୍ରତି ବର୍ଷେ ଦୁଇ ବର୍ଷ ଅନ୍ତରରେ ବନ୍ୟା ପୀଡ଼ିତ ହେଉଥିବା ହଜାର ହଜାର ବିପନ୍ନଙ୍କ ପାଇଁ ଏ ଦ୍ୱନ୍ଦ ଅସମାହିତ । ମହାନଦୀର କୂଳବର୍ତ୍ତୀ କୃଷିକ୍ଷେତ୍ରକୁ ଦାନ ବୋଲି କୁହାଯାଏ । କିନ୍ତୁ ବାସ୍ତବତାକୁ ଅନୁଧ୍ୟାନ କଲେ ଏହାର ଯଥାର୍ଥତା କିଛି ନାହିଁ । ମହାନଦୀ ଜଳକୁ ବିନିଯୋଗ କରିପାରୁନଥିବା ନଦୀକୂଳ ଅଞ୍ଚଳବାସୀ କେବଳ ବନ୍ୟାରେ ପୀଡ଼ିତ ହେଉଛନ୍ତି । ହଜାର ହଜାର ହେକ୍ଟର କୃଷିକ୍ଷେତ୍ରର କୋଟିକୋଟି ଟଙ୍କାର ଫସଲ ନଷ୍ଟ ହେଉଛି । ମହାନଦୀ ପଛୁଆ ବନ୍ୟାଜଳରେ ଏଭଳି ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଏକ ସ୍ୱାଭାବିକ ସମସ୍ୟା ବୋଲି ସରକାରୀ ସ୍ତରରେ ବିଭିନ୍ନ ସମୟରେ ପ୍ରଶାସନିକ ଅଧିକାରୀ ମାନଙ୍କ ଠାରୁ ଶୁଣିବାକୁ ମିଳିଥାଏ ।

ଏପରିପ୍ରେକ୍ଷୀରେ ତିଗିରିଆ ଓ ବାଙ୍କୀ ଉତ୍ତର କୁଳାଟ ଅଞ୍ଚଳରେ ମହାନଦୀ ବନ୍ୟା ପ୍ରବଣ ଅଞ୍ଚଳକୁ ନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମହାନଦୀରେ ସ୍ୱଳ୍ପ ବନ୍ୟାଜଳ ପ୍ରବାହିତ ହେଲେ ଅଞ୍ଚଳର ମୁଖ୍ୟ ବନ୍ୟାଦ୍ୱାରା ଭାବେ ପରିଚିତ ବାଙ୍କୀ ଘୋଡ଼ାବର ଠାରେ ହୁଳୁହୁଳା ନାଳ ବନ୍ୟା ବିଭୀଷିକା ସୃଷ୍ଟି କରୁଛି । ହୁଳୁହୁଳା ପୋଲରେ ବନ୍ୟାଜଳ ଆସି ତିଗିରିଆ ବ୍ଲକର ବଡ଼ନାଉପୁଟ, ହାଟମାଳ, ଗଦାଧରପୁର, ବିନ୍ଧାଣିମା, ପୁରୁଣାତିଗିରିଆ, ସୋମପଡ଼ା, ଜେମାଦେଇପୁର ସହିତ ବାଙ୍କୀ ବ୍ଲକର ବନ୍ଦାଳ, ବାଉଁଶପୁଟ, କନ୍ତପହଁରା  ଏବଂ ରତାଗଡ଼ ପଞ୍ଚାୟତର କୃଷି କ୍ଷେତ୍ରକୁ ଉଜାଡ଼ିଦେଉଛି । ସେହିଭଳି ଉତ୍ତର ବାଙ୍କୀର ଓସ୍ତିଆ ଠାରେ ରହିଥିବା କଦମ୍ବଜୋର ଏବଂ ଫୁଲବାଡ଼ି ଜୋର ଦେଇ ମହାନଦୀ ବନ୍ୟାଜଳ ସେହି ବାଙ୍କୀ ବ୍ଲକର ଓସ୍ତିଆ, ସୁବର୍ଣ୍ଣପୁର ଏବଂ କଦଳୀବାଡ଼ି ପଞ୍ଚାୟତରେ ବ୍ୟାପକ ଫସଲ ଉଜାଡ଼ି ଦେଉଛି । ବର୍ଷ ବର୍ଷ ଧରି ଏହି ସମସ୍ୟା ଅଞ୍ଚଳର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଉଛି ।

prayash

ଅପରପକ୍ଷରେ ଦେଖିବାକୁ ଗଲେ ମହାନଦୀର ଜଳକୁ ଏଠାକାର ବନ୍ୟା ପ୍ରବଣ ଅଞ୍ଚଳର ଜନସାଧାରଣ ବର୍ଷାଦିନ ବାଦ ବର୍ଷର ଅବଶିଷ୍ଠ ଦିନଗୁଡ଼ିକରେ କୃଷିକ୍ଷେତ୍ରରେ ବିନିଯୋଗ କରିବାର କୌଣସି ସୁଯୋଗ ନାହିଁ । କାଁ ଭାଁ ଉଠାଜଳସେଚନରେ ମୁଷ୍ଟିମେୟ ଚାଷୀ ଉପକୃତ ହେଉଥିବା ବେଳେ ମହାନଦୀ ଜଳକୁ ବିନିଯୋଗ କରିବା ଭଳି ସେଭଳି କୌଣସି ବହୁମୁଖୀ ପ୍ରକଳ୍ପ ନାହିଁ । ଯେଉଁସବୁ ଅଞ୍ଚଳରେ ବନ୍ୟାଜଳ ପ୍ରଭୃତ କୃଷିକ୍ଷେତ୍ରକୁ ନଷ୍ଟ କରି ଚାଲିଗଲା ସେହିସବୁ ଅଞ୍ଚଳରେ ଶୀତ ଏବଂ ଖରାଦିନେ ଚାଷୀ ଜଳ ସଂକଟର ସମ୍ମୁଖୀନ ହୋଇଥାନ୍ତି । ଅଞ୍ଚଳର ଜନସାଧାରଣ ମହାନଦୀ ଜଳକୁ ବିନିଯୋଗ କରି ଯଦି କୃଷି କ୍ଷେତ୍ରରେ ଲାଭବାନ ହେଉଥାନ୍ତେ ତେବେ ଏଭଳି ବନ୍ୟା ଜନିତ ଉଜୁଡ଼ା ପରମ୍ପରା ସେମାନଙ୍କ ପାଇଁ ସେତେଟା ଯନ୍ତ୍ରଣାଦାୟକ ତଥା କ୍ଷତିକାରକ ହୁଅନ୍ତା ନାହିଁ ।

ଏହି ଅଞ୍ଚଳରେ ସଂଗଠିତ ବନ୍ୟାରେ ରାଜ୍ୟ ସରକାରଙ୍କ ରାଜକୋଷରୁ ବନ୍ୟା ମୁକାବିଲା ପ୍ରସ୍ତୁତି ଠାରୁ ଆରମ୍ଭ କରି ରିଲିଫ, ଥଇଥାନ, ବାସଗୃହ କ୍ଷତି, କୃଷି କ୍ଷୟକ୍ଷତି ଭରଣା ବାବଦ ଅଜସ୍ର ଟଙ୍କା ଶ୍ରାଦ୍ଧ ହୁଏ । ପ୍ରତିବଦଳରେ ମହାନଦୀର ଜଳକୁ ବିନିଯୋଗ କରି ଲୋକଙ୍କୁ ସ୍ଥାୟୀ ଲାଭବାନ କରିପାରିବା ଭଳି ପଦକ୍ଷେପ ନିଆଯାଉ ନାହିଁ ବୋଲି ବହୁ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି । ମହାନଦୀ ଜଳକୁ ବ୍ୟବହାର କରି ଏହି ବନ୍ୟାଞ୍ଚଳର ଜନସାଧାରଣ ଯଦି ଖରାଦିନେ ଡାଳୁଅ ଧାନ ସହିତ ଅନ୍ୟାନ୍ୟ ପନିପରିବା ଚାଷ କରିବାରେ ସକ୍ଷମ ହେଉଥାନ୍ତେ ତେବେ ଚାଷୀ ଆଜି ଏ ବର୍ଷାଦିନିଆ ବନ୍ୟାକୁ ନେଇ ଚିନ୍ତାଗ୍ରସ୍ତ ହେଉନଥାନ୍ତା ।

କୃଷି କ୍ଷେତ୍ରକୁ ମହାନଦୀର ଜଳ ପ୍ଲାବନ କାହାର ଦାୟିତ୍ୱ ?  ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଏହି ସବୁ ଅଞ୍ଚଳରେ ମହାନଦୀ ଜଳକୁ ବିନିଯୋଗ କରିବା ପାଇଁ ସେଭଳି କୌଣସି ଦୂରଦୃଷ୍ଟି ସମ୍ପନ୍ନ  ଯୋଜନା ପ୍ରସ୍ତୁତ କରିବାର ନଜିର ମଧ୍ୟ ନାହିଁ । କେବଳ ବନ୍ୟା ନିୟନ୍ତ୍ରଣ ଜଳ ସମ୍ପଦ ବିଭାଗର ଏକମାତ୍ର କାର୍ଯ୍ୟ ନା ମହାନଦୀ ଜଳର ସୁପରିଚାଳନା କରି ନଦୀକୂଳ ଅଞ୍ଚଳର ବନ୍ୟାବିପନ୍ନ ଜନସାଧାରଣଙ୍କୁ ଉପକୃତ କରାଇବାରେ କିଛି ଉତ୍ତରଦାୟିତ୍ୱ ରହିଛି ତାହାକୁ ନେଇ ବନ୍ୟାଞ୍ଚଳ ଜନସାଧାରଣରେ ଦ୍ୱନ୍ଦ୍ବ ସୃଷ୍ଟି କରିଛି ।

kalyan agarbati

Comments are closed.