ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ ପଦଯାତ୍ରା, ୫୪୧ ଦିନରେ ୨୯୮ ବ୍ଲକ ପରିକ୍ରମା

ପିପିଲି : ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରିବା ଦାବି ନେଇ ସମଗ୍ର ରାଜ୍ୟ ପରିକ୍ରମା କରୁଥିବା ଜନସଚେତନତା ମଞ୍ଚର ଆବାହକ ସତ୍ୟବ୍ରତ ଦାସ ଆଜି ପିପିଲି ବ୍ଲକରେ ପହଞ୍ଚି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।

ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ ସହ ମହାନଦୀ ଜଳ ସମସ୍ୟାର ଯଥାଶୀଘ୍ର ସମାଧାନ ଓ ପୋଲାଭରମ ପ୍ରକଳ୍ପକୁ ତୁରନ୍ତ ବନ୍ଦ କରାଯିବା ଦାବିରେ ଜଗତସିଂହପୁର ଜିଲା ବାଲିକୁଦା ଥାନା ଚଷାପଡା ନିକଟବର୍ତ୍ତୀ ଭଗବାନସିଣ୍ଡୋଳ ଗ୍ରାମର ବାସିନ୍ଦା ତଥା ଜନସଚେତନତା ମଞ୍ଚର ଆବାହକ ସମାଜସେବୀ ସତ୍ୟବ୍ରତ ଦାସ ଗତ ୨୦୧୯ ମସିହା ଜୁଲାଇ ୧୦ ତାରିଖରୁ ଯାଜପୁର ଜିଲା ବଡଚଣା ବ୍ଲକରୁ ଏକୁଟିଆ ନିଜର ପଦଯାତ୍ରା ଆରମ୍ଭ କରିଥିଲେ । ଇତିମଧ୍ୟରେ ୫୪୧ ଦିନରେ ସେ ୯ହଜାର ୩ଶହରୁ ଉର୍ଦ୍ଧ୍ବ କିଲୋମିଟର ଯାତ୍ରା କରି ୨୯୮ଟି ବ୍ଲକ ପରିକ୍ରମା କରିବା ସହ ପ୍ରତ୍ୟେକ ବ୍ଲକର ବିଡିଓଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଆଜି ସେ ଡେଲାଙ୍ଗ ବ୍ଲକରୁ ପଦଯାତ୍ରା କରି ମଧ୍ୟାହ୍ନରେ ପିପିଲି ବ୍ଲକରେ ପହଞ୍ଚିଥିଲେ । ଅତିରିକ୍ତ ବିଡିଓ ଶୈଳବାଳା ତ୍ରିପାଠୀଙ୍କୁ ସେ ସାକ୍ଷାତ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ । ପିପିଲି ଅଞ୍ଚଳର କାର୍ଯ୍ୟରତ ସାମ୍ବାଦିକଙ୍କ ସମେତ ଜାଗୃତି ସାଂସ୍କୃତିକ ଯୁବ ସଂଗଠନ, ମହାବୀର ସେନା, ପିପିଲି ମହୋତ୍ସବ କମିଟି ପକ୍ଷରୁ ଶ୍ରୀଦାସଙ୍କୁ ଉପଢୌକନ ଓ ଫୁଲତୋଡା ଦିଆଯାଇ ସ୍ୱାଗତ କରାଯାଇଥିଲା ।

Comments are closed.