ପୁରସ୍କାର ବିତରଣ ସହିତ ଓଡ଼ିଶୀ ଓ ଭାରତନାଟ୍ୟମ୍‍ ନୃତ୍ୟରେ ଦର୍ଶକ ମନ୍ତ୍ରମୁଗ୍ଧ

୧୮ତମ ଗୁରୁ ଦେବପ୍ରସାଦ ପୁରସ୍କାର ଉତ୍ସବର ଉଦ୍‍ଯାପନୀ ସଂଧ୍ୟା

ଭୁବନେଶ୍ୱର : ଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୃତିକୁ ଶୁଭେଚ୍ଛା ଜଣାଇ ତ୍ରିଧାରା ଦ୍ୱାରା ଆୟୋଜିତ ୧୮ତମ ଗୁରୁ ଦେବପ୍ରସାଦ ପୁରସ୍କାର ଉତ୍ସବ ଏକ ବର୍ଣ୍ଣାଢ୍ୟ ପରିବେଶରେ ଉଦ୍‍ଯାପିତ ହୋଇଯାଇଅଛି । ତ୍ରିଧାରା ଗତ ତିନି ଦଶନ୍ଧି ଧରି ବିଶ୍ୱର କୋଣ ଅନୁକୋଣରେ ଉତ୍ସବ, ସେମିନାର, ଶିକ୍ଷା କର୍ମଶାଳା, କୋରିଓଗ୍ରାଫି ଆଦି ଆୟୋଜନ କରି ଗୁରୁଜୀଙ୍କ ପରମ୍ପରାକୁ ବଜାଇ ରଖିଆସିଛି । ଏହା ବ୍ୟତୀତ ବିଖ୍ୟାତ ନୃତ୍ୟଶିଳ୍ପୀ ତଥା ଗୁରୁମାନଙ୍କୁ ଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୃତିରେ ପୁରସ୍କାର ମଧ୍ୟ ପ୍ରଦାନ କରୁଅଛି ।

ଉଦ୍‍ଯାପନୀ ସଂଧ୍ୟାର ଅତିଥିମାନେ ଥିଲେ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ; ସୃଜନର ନିର୍ଦ୍ଦେଶକ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କଳା, ଯୋଗାଯୋଗ ଓ ଇଣ୍ଡିଜ ଷ୍ଟଡିଜ୍ ଅଧ୍ୟାପକ ଗୁରୁ ରତିକାନ୍ତ ମହାପାତ୍ର; ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ ଦାତୁକ୍ ରାମଲୀ ଇବ୍ରାହୀମ୍‌; ତ୍ରିଧାରାର କାର୍ଯ୍ୟରତ ସମ୍ପାଦକ ଶ୍ରୀଯୁକ୍ତ ସିମାଞ୍ଚଳ ପଣ୍ଡା ଏବଂ ତ୍ରିଧାରାର ନିର୍ଦ୍ଦେଶକ ଗୁରୁ ଡ଼କ୍ଟର ଗଜେନ୍ଦ୍ର କୁମାର ପଣ୍ଡା ।

ଉଦ୍‍ଯାପନୀ ସଂଧ୍ୟାରେ ପ୍ରଥମେ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁ ମାଧବୀ ମୁଦ୍‍ଗଲଙ୍କ ଦ୍ୱାରା ଏକକ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା । ସେ ପ୍ରଥମେ ଅଭିନୟ ବାଜିଲାଣି ବାଜିବ ପରେ ପରେ ପଲ୍ଲବୀ ଯାହା ରାଗ ଗୁଣ୍ଡକାରୀ ଓ ଆଦିତାଳ ଉପରେ ନିବଦ୍ଧ ଥିଲା ପରିବେଷଣ କରିଥିଲେ । ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଭାରତନାଟ୍ୟମ୍‍ ନୃତ୍ୟ ବିଷାରଦା ଚିତ୍ରା ବିଶ୍ୱେସ୍ୱରନ୍‍ଙ୍କ ଦ୍ୱାରା ଏକକ ଭାରତନାଟ୍ୟମ୍‍ ନୃତ୍ୟ ।

ଏକକ ଓଡ଼ିଶୀ ଓ ଭାରତନାଟ୍ୟମ ନୃତ୍ୟ ପରେ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଗୁରୁ ଦେବପ୍ରଦାସ ସମ୍ମାନ ୨୦୨୪ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଅମୂଲ୍ୟ ଅବଦାନ ପାଇଁ ମାଧବୀ ମୁଦ୍‌ଗଲ (ପଦ୍ମଶ୍ରୀ); ଭାରତନାଟ୍ୟମ୍‍ ନୃତ୍ୟରେ ପ୍ରସିଦ୍ଧି ଲାଭ କରିଥିବା ଚିତ୍ରା ବିଶ୍ୱେସରନ୍ (ପଦ୍ମଶ୍ରୀ); କଥକ ନୃତ୍ୟରେ ପ୍ରସିଦ୍ଧି ଲାଭ କରିଥିବା ରାମଲାଲ୍ ବରେଥ୍ (ପଦ୍ମଶ୍ରୀ) ଏବଂ ଶବ୍ଦନୃତ୍ୟ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଗୁରୁ ଭାଗବତ ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା ।

ପୁରସ୍କାର ବିତରଣ ଉତ୍ସବ ପରେ ତ୍ରିଧାରାର ବରିଷ୍ଠ ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ବାଲ୍ମିକୀ ରାମୟଣରୁ ଉଦ୍ଧୃତ ସୀତାରାମ ବାକ୍ୟାଳପ ପରିବେଷିତ ହୋଇଥିଲା । ଏହି ନୃତ୍ୟଟିର ନୃତ୍ୟ ସଂରଚନା କରିଥିଲେ ଗୁରୁ ଡ଼କ୍ଟର ଗଜେନ୍ଦ୍ର କୁମାର ପଣ୍ଡା, ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା ଏବଂ ତାଳ ସଂଯୋଜନା କରିଥିଲେ ଗୁରୁ ସଚ୍ଚିଦାନନ୍ଦ ଦାସ । ଶିଳ୍ପୀମାନଙ୍କ ଦ୍ୱାରା ପରିବେଷିତ ନୃତ୍ୟ କାର୍ଯ୍ୟକ୍ରମ ରବିନ୍ଦ୍ର ମଣ୍ଡପରେ ଉପସ୍ଥିତ ଦର୍ଶକ ବେଶ୍‍ ମନଭରି ଉପଭୋଗ କରିଥିଲେ ।

ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ, ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଏମ୍‍.ଜି.ଏମ ମିନିରାଲ୍ସ, ନାଲକୋ, ପାରାଦ୍ୱୀପ ଫସଫେଟ୍ ଲିମିଟେଡ଼୍‌, ଦା ନିଉ ମେରିୟନ୍ ହୋଟେଲ ଓ ରୟଲ୍‍ ମିଡ଼୍‍ଟାଉନ ହୋଟେଲ ଏହି ୧୮ତମ ଗୁରୁ ଦେବ ପ୍ରସାଦ ସମ୍ମାନ ପ୍ରଦାନ ଉତ୍ସବର ପ୍ରୟୋଜକ ଓ ସମର୍ଥକ ଥିଲେ । କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଅଧ୍ୟାପକ ପୁଣ୍ୟଦର୍ଶନ ସାହୁ ।

Comments are closed.