www.samajalive.in
Thursday, December 11, 2025
18.1 C
Bhubaneswar

ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ବାଟ ଫିଟୁଛି : ଉଚ୍ଚ କ୍ଷମତା ସଂପନ୍ନ ବୈଷୟିକ ଟିମର ଅନୁଧ୍ୟାନ

ସୁନ୍ଦରଗଡ଼ : ରାଉରକେଲାରେ ସୁପର ସ୍ପେଶିଆଲିଟି ଓ ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଲୋକାର୍ପିତର ଠିକ ୧୩ଦିନ ପରେ ଶନିବାର ସୁନ୍ଦରଗଡ଼ରେ ଏନଟିପିସି ପକ୍ଷରୁ ନିର୍ମାଣ ହୋଇଥିବା ମେଡିକାଲ କଲେଜ ଓ ହସ୍ପିଟାଲକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚ କ୍ଷମତା ସଂପନ୍ନ ବୈଷୟିକ ଟିମ ପହଞ୍ଚି ପ୍ରାଥମିକ ଅନୁଧ୍ୟାନ କରି ଫେରିଯାଇଥିବାର ଜଣାପଡ଼ିଛି। ଏହି ଟିମର ଗସ୍ତ ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ବାଟ ଫିଟାଇବ ବୋଲି ଆଶା କରାଯାଉଥିବା ବେଳେ ସୁନ୍ଦରଗଡ଼ରେ ଏହାକୁ ନେଇ ବେଶ ଉତ୍ସାହ ସୃଷ୍ଟି ହୋଇଛି। ଗତକାଲିଠାରୁ ଏହି ଟିମ ସୁନ୍ଦରଗଡ଼ରେ ପହଞ୍ଚି ଦର୍ଲିପାଲି ଗେଷ୍ଟ ହାଉସରେ ଅବସ୍ଥାନ କରିଥିବା ବେଳେ ଆଜି ନିର୍ଦ୍ଧାରିତ ସମୟରେ ଏହି ଟିମ ଶଙ୍କରାସ୍ଥିତ ଏନଟିପିସି ପକ୍ଷରୁ ନିର୍ମାଣ ହୋଇଥିବା ମେଡିକାଲ କଲେଜ ଓ ହସ୍ପିଟାଲକୁ ବୁଲି ଦେଖିବା ସହ ଦ୍ୱିତୀୟ ଏମ୍ସ ପାଇଁ ଆବଶ୍ୟକ ହେଉଥିବା ଭିତ୍ତିଭୂମିର ଅନୁଧ୍ୟାନ କରିଥିଲେ। ଏପରିକି ଏହି ଟିମ ଆଗାମୀ ଦିନ ସମ୍ପ୍ରସାରଣ ପାଇଁ ଆବଶ୍ୟକ ହେଉଥିବା ଜମି, ବିଦ୍ୟୁତ ସୁବିଧା, ଗମନାଗମନ, ଜଳ ଇତ୍ୟାଦି ସଂପର୍କରେ ମଧ୍ୟ ଆବଶ୍ୟକ ତଥ୍ୟ ସଂଗ୍ରହ କରିଛନ୍ତି। ଏହି ଟିମ ନିଜ ରିପୋର୍ଟ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ପ୍ରଦାନ କରିବା ପରେ କେନ୍ଦ୍ର ସରକାର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା କରାଯାଉଛି। ସବୁଠାରୁ ଉଲ୍ଲେଖନୀୟ ବିଷୟ, ଏହି ଟିମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଭେଷଜ ଶିକ୍ଷା ନିର୍ଦ୍ଦେଶକ ଡା.ସଞ୍ଜୟ ରଏ, ନୂଆଦିଲ୍ଲୀସ୍ଥିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ବରିଷ୍ଠ ସ୍ତପତି ରାଜୀବ କନଉଜିଆ, ନିର୍ଦ୍ଦେଶକ ନରେନ୍ଦ୍ର କୁମାର ଓଝା, ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶିକା ଡା.ଗୀତାଞ୍ଜଳି ବତମାନାବାନେ, ନୂଆଦିଲ୍ଲୀ ଏମ୍ସର ଅଧିକ୍ଷକ ଡା.ଏସ.କେ.ଶର୍ମା, ଭୁବନେଶ୍ୱର ଏମ୍ସର (ପ୍ରଶାସନିକ) ଯୁଗ୍ମ ନିର୍ଦ୍ଦେଶକ ପି.କେ.ରାଏ ପ୍ରମୁଖ ଦ୍ୱିତୀୟ ଏମ୍ସ ପାଇଁ ଅଧିକ ଆବଶ୍ୟକ ହେଉଥିବା ଭିତ୍ତିଭୂମି ଓ ନିର୍ମାଣ ସଂପର୍କରେ ମଧ୍ୟ ସରକାରଙ୍କୁ ନିଜର ମତାମତ ଦେବେ ବୋଲି କୁହାଯାଉଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ଭେଷଜ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ପ୍ରଫେସର ଡା.ସି.ବି.କେ ମହାନ୍ତି, ଅତିରିକ୍ତ ନିର୍ଦ୍ଦେଶକ ପ୍ରଫେସର ଡା.ବ୍ରଜକିଶୋର ଦାଶ, ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ପ୍ରକାଶ ଚନ୍ଦ୍ର ମହାନ୍ତି ପ୍ରମୁଖ ସାମିଲ ଥିବା ବେଳେ ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳ ନିଖିଲ ପବନ କଲ୍ୟାଣ, ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ସରୋଜ କୁମାର ମିଶ୍ର, ଅତିରିକ୍ତ ଜିଲାପାଳ ବିଶ୍ୱଜିତ ମହାପାତ୍ର, ଉପଜିଲାପାଳ ଅଭିମନ୍ୟୁ ବେହେରା, ଏନଟିପିସିର ପଦସ୍ଥ ଅଧିକାରୀ ଉପସ୍ଥିତ ରହିଥିଲେ। ପରେ ଏହି ପ୍ରତିନିଧି ମଣ୍ଡଳୀ ଜିଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିବାର ଜଣାପଡ଼ିଛି।

ସୂଚନା ଯୋଗ୍ୟ, ସୁନ୍ଦରଗଡ଼ରେ ଏମ୍ସର ଦ୍ୱିତୀୟ ଶାଖା ଖୋଲାଯିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍କାଳୀନ ମୁଖ୍ୟ ଶାସନସଚିବ ଅସିତ ତ୍ରିପାଠୀ ନଭେମ୍ବର ୨୦ରେ ଏକ ପ୍ରସ୍ତାବ ଦେଇଥିବା ବେଳେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟାନ୍ୟ ମନ୍ତ୍ରୀଙ୍କୁ ସାକ୍ଷାତ କରି ଅନୁରୂପ ଦାବି ଉପସ୍ଥାପନ କରିଥିବା ବେଳେ ନିକଟରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏମ୍ସ ପ୍ରତିଷ୍ଠା ପାଇଁ ଅନୁରୋଧ କରିଥିଲେ। ଏହି ଟିମର ଗସ୍ତ ଏମ୍ସ ପ୍ରତିଷ୍ଠା ନେଇ ଚାଲିଥିବା ରାଜନୀତିର ମୋଡ଼ ଏକ ପ୍ରକାର ବଦଳାଇ ଦେଇଛି ବୋଲି ରାଜନୈତିକ ସମୀକ୍ଷକମାନେ ମତଦେଇଛନ୍ତି। ଅନ୍ୟ ପକ୍ଷରେ ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ନେଇ ଦାବି ମଧ୍ୟ ଜୋର ଧରିଛି। ଜିଲା ଓକିଲ ସଂଘର ସଭାପତି ସୁକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଏହି ଟିମକୁ ସାକ୍ଷାତ କରି ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ହେଲେ ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲାର ଲୋକେ ଉନ୍ନତମାନର ଚିକିତ୍ସା ପାଇପାରିବା ସହ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ଛତିଶଗଡ଼ର ଲୋକ ମଧ୍ୟ ଉପକୃତ ହେବା ସହ ସମଗ୍ର ପଶ୍ଚିମାଞ୍ଚଳର ଲୋକ ଉପକୃତ ହେବେ ବୋଲି ଯୁକ୍ତି ବାଢ଼ିଛନ୍ତି। ଅପରପକ୍ଷରେ ପର୍ଯ୍ୟାପ୍ତ ଜମିର ସୁବିଧା ରହିଥିବା ବେଳେ ପାଣି ଓ ବିଦ୍ୟୁତର ମଧ୍ୟ ସମସ୍ତ ପ୍ରକାର ସୁବିଧା ରହିଛି ବୋଲି ନିଜ ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ସଂପାଦକ ଅଶୋକ କୁମାର ସ୍ୱାଇଁ, ସହସଂପାଦକ ପ୍ରଣବ କୁମାର ହାତୀ, ବରିଷ୍ଠ ଆଇନଜୀବୀ ଅଶୋକ କୁମାର ଦାଶ, କିଶୋର ନାଏକ, ଧର୍ମେଶ କୁମାର ପଟେଲ, ପ୍ରଦୀପ କୁମାର ମହାପାତ୍ର, ଧର୍ମେନ୍ଦ୍ର ପଟେଲ, ବୁଦ୍ଧଦେବ ନାଏକ, ମନୋଜ କୁମାର ମହାରଣା, ପ୍ରଣବ କୁମାର ସିଂ, ସୁରେଶ ଚନ୍ଦ୍ର ପଟେଲ, ଜୟଦେବ ତିର୍କୀ, ସଞ୍ଜୟ ମାଝୀ, ସୁଧୀର ପଟେଲ, ସୁପ୍ରଭା ପଟେଲ, ଅନୁସୟା ନାଏକ, ସୁନିତା ପଟେଲ, ଗୀତା ପଟେଲ ପ୍ରମୁଖ ସାମିଲ ଥିଲେ। ସେହିପରି ସୁନ୍ଦରଗଡ଼ ନାଗରିକ କମିଟିର ସଭାପତି ଅଶୋକ ଦାଶଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଏହି ଟିମ ସହ ସୁନ୍ଦରଗଡ଼ରେ ଏମ୍ସର ପ୍ରତିଷ୍ଠା ନେଇ ଦାବି ଉପସ୍ଥାପନ କରିବା ସହ ଭୌଗଳିକ ପରିସ୍ଥିତି ଓ ଗମନାଗମନର ସୁବିଧା ସଂପର୍କରେ ଯୁକ୍ତି ବାଢ଼ିବା ସହ ଭବିଷ୍ୟତ ସମ୍ପ୍ରସାରଣ ପାଇଁ ମଧ୍ୟ ଜମି ଉପଲବ୍ଧ ରହିଛି ବୋଲି କହିଥିଲେ। ପ୍ରତିନିଧି ମଣ୍ଡଳୀରେ ସଂପାଦକ ଧର୍ମେଶ ପଟେଲ, ବେଣୁମାଧବ ତ୍ରିପାଠୀ, ସତ୍ୟନାରାୟଣ ସାହୁ, ଅଜିତ ପ୍ରସାଦ, ପଞ୍ଚା ବାର୍ଲା, ତାରାଚାନ୍ଦ ପଟେଲ, ବିଶ୍ୱରଞ୍ଜନ ହୋତା ସମେତ ବହୁ ସଦସ୍ୟ ସାମିଲ ଥିଲେ। ଅନୁରୂପ ଭାବେ ସୁନ୍ଦରଗଡ଼ ବିକାଶ ଫୋରମ(ଏସ.ଡି.ଏଫ) ପକ୍ଷରୁ ଫୋରମର ଆବାହକ ଇଂ.ଦିଲୀପ ପଟେଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଗସ୍ତରେ ଆସିଥିବା ଟିମକୁ ସାକ୍ଷାତ କରି ଏନଟିପିସି ମେଡିକାଲ କଲେଜରେ ଏମ୍ସର ଦ୍ୱିତୀୟ ଶାଖା ଖୋଲିବା ପାଇଁ ଏକ ସ୍ମାରକପତ୍ର ପ୍ରଦାନ ଟିମକୁ ପ୍ରଦାନ କରିଥିଲେ। ଏହି ପ୍ରତିନିଧି ମଣ୍ଡଳୀରେ ସୁରେନ୍ଦ୍ର ସ୍ୱର୍ଣ୍ଣକାର, ଲଳିନ୍ଦ୍ର ଅମାତ, ସୁବାଷ ରଣା, ଅକ୍ଷୟ ପଟେଲ, ସିଦ୍ଧାନ୍ତ ପଣ୍ଡା ସମେତ ବହୁ ସଦସ୍ୟ ସାମିଲ ଥିଲେ। ସୁନ୍ଦରଗଡ଼ ଏବିଭିପି ନଗର ଶାଖା ପକ୍ଷରୁ ମଧ୍ୟ କେନ୍ଦ୍ରୀୟ ଟିମକୁ ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ପ୍ରତିନିଧି ମଣ୍ଡଳୀରେ ସୁନ୍ଦରଗଡ଼ ଜିଲା ପ୍ରମୁଖ ସଞ୍ଜୀବ କୁମାର ନାଏକ, ନଗର ସଂପାଦକ ଗୋପାଳ ନାଏକ, ସହସଂପାଦକ ମ୍ରିନାଲ କୁମାର ପଟେଲ, ସହ ସଂପାଦିକା ମୋନାଲିସା ପଟେଲ, ତୁଳାଚନ୍ଦ୍ର ମେହେର, ସୌମ୍ୟରଞ୍ଜନ ନାଏକ, ସୌରଭ ସାହୁ ପ୍ରମୁଖ ସାମିଲ ଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories