ଶିକ୍ଷକମାନଙ୍କର ନିଆରା କାର୍ଯ୍ୟକ୍ରମ, ନିଜ ଖର୍ଚ୍ଚରେ ପାଳିଲେ ୨୬ ପିଲାଙ୍କ ଜନ୍ମଦିନ
ପିଲାମାନଙ୍କୁ ବିଦ୍ୟାଳୟ ଅଭିମୁଖୀ ପାଇଁ ପ୍ରୟାସ
ଚାନ୍ଦିପୁୁଟ : ଗ୍ରାମାଞ୍ଚଳରେ ପିଲାଙ୍କୁ ବିଦ୍ୟାଳୟ ଅଭିମୁଖୀ କରିବା ଲକ୍ଷ୍ୟରେ ଶିକ୍ଷକ-ଶିକ୍ଷୟତ୍ରୀ ନିଆରା ପ୍ରୟାସ ଆପଣାଇଛନ୍ତି। ଆଦିବାସୀ ଅଧ୍ୟୁସିତ ଗ୍ରାମାଞ୍ଚଳରେ ଛାତ୍ରଛାତ୍ରୀ ନିଜ ପରିବାରକୁ ଛାଡି ଆଶ୍ରମ ବିଦ୍ୟାଳୟରେ ପାଠ ପଢୁଥିବା ବେଳେ ପ୍ରଥମ ଥର ବିଦ୍ୟାଳୟରେ ସମୂହ ଜନ୍ମଦିନ ପାଳନ ଉତ୍ସବ କରାଯାଇଛି। ପିଲାଙ୍କ ଜନ୍ମଦିନ ପାଇଁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ନିଜ ନିଜ ମଧ୍ୟରେ ସଂଗୃହୀତ କିଛି ଅର୍ଥ ବିନିମୟରେ କେକ୍ କାଟି, ମିଠାଇ ଖୁଆଇ ଜନ୍ମଦିନ ଉତ୍ସବ ପାଳନ କରିଛନ୍ତି । ଯାହାକୁ ନେଇ ଉତ୍ସବ ମୁଖର ବିଦ୍ୟାଳୟରେ ଉଭୟ ପିଲାମାନଙ୍କ ସହ ଶିକ୍ଷକ-ଶିକ୍ଷୟତ୍ରୀ ବେଶ ଖୁସି ଥିବା ଦେଖିବାକୁ ମିଳିଛି। ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ମଧ୍ୟରେ ଏଭଳି ନିଆରା ନିବିଡି ସଂପର୍କ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ ଅନ୍ତର୍ଗତ ଅବାରସିଂ ଗ୍ରାମ ପଞ୍ଚାୟତର କେ ଏମ ଭାଲାଆସାହି ଗ୍ରାମରେ ଅବସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ। ଯାହାକୁ ନେଇ ଏବେ ଛୁଟୁଛି ପ୍ରଂଶସାର ସୁଅ। ବିଦ୍ୟାଳୟରେ ଅଧ୍ୟୟନ ରତ ୨୬ ଜଣ ଛାତ୍ର ଛାତ୍ରୀଙ୍କ ଅଗଷ୍ଟ ମାସର ବିଭିନ୍ନ ତାରିଖରେ ପଡ଼ୁଥିବା ଜନ୍ମଦିନ ହେତୁ ଏକାକାଳିନ ସମୁହ ଭାବେ ଜନ୍ମଦିନ ପାଳନ କରାଯାଇଥିଲା।
ବିଦ୍ୟାଳୟରେ ୪୧୩ ପିଲାଙ୍କ ନାମଲେଖାଯାଇଲେ ମଧ୍ୟ ଅନେକ ସମୟରେ ପିଲାଙ୍କ ଉପସ୍ଥାନ କମିଯାଉଥିଲା ଯାହାକୁ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ଦଳବେହେରା ସୁଚିନ୍ତିତ ମତାମତ ନେଇ ବିଦ୍ୟାଳୟର କାର୍ଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ମଧ୍ୟ ଏହି ପ୍ରସ୍ତାବକୁ ନେଇ ଆଲୋଚନା କରାଯାଇଥିଲା । ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ନିର୍ଦ୍ଧାରିତ ଯୋଜନାକୁ ନେଇ ବିଦ୍ୟାଳୟରେ ପ୍ରତିମାସ ଶେଷ ତାରିଖରେ ନିଜ ଖର୍ଚ୍ଚରେ ପିଲାଙ୍କ ଜନ୍ମଦିନ ପାଳିବାକୁ ସ୍ଥିର କରା ଯାଇଥିଲା । ଗତ ୩୧ତାରିଖରେ ସର୍ବ ପ୍ରଥମେ ୨୬ ଜଣ ପିଲାଙ୍କ ଜନ୍ମଦିନ ବିଦ୍ୟାଳୟ ପରିସରରେ ପାଳନା କରାଯାଇଥିଲା। ଏହି ଅବସରରେ ପିଲାମାନଙ୍କ ପାଇଁ ସ୍ବତନ୍ତ୍ର କେକ୍ , ମିଠେଇ ଆଦି ସହ ବେଲୁନରେ ସାଜସଜା ସହ ଉତ୍ସବ ମୁଖରିତ ହୋଇଥିଲା ବିଦ୍ୟାଳୟ। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆର. ଉଦୟଗିରି ଗୋଷ୍ଠି ଶିକ୍ଷାଅଧିକାରୀ ବିଶ୍ବନାଥ ଭୁଆଁ ଯୋଗଦେଇ ପିଲାଙ୍କୁ ଉତ୍ସାହିତ କରିଥିଲା। ଅପରପକ୍ଷେ ପିଲାମାନେ ନିଜ ଜନ୍ମଦିନ କେବେ ଜାଣିନଥିଲେ ଏବଂ କେବେହେଲେ ନିଜ ଜନ୍ମଦିନ ଘରେ ପାଳନ କରିନଥିବା ପ୍ରକାଶ କରିଛନ୍ତି ଏହା ସହ ଏଭଳି ନିଆରା ଢଙ୍ଗରେ ପ୍ରଥମ ଥର ବିଦ୍ୟାଳୟରେ ନିଜ ଜନ୍ମଦିନ ପାଳିଥିବାରୁ ନିଜକୁ ଧନ୍ୟ ମନେ କରୁଥିବା ଛାତ୍ରଛାତ୍ରୀ ମାନେ ପ୍ରକାଶ କରିଛନ୍ତି । ଜିଲ୍ଲାପ୍ରଶାସନର ନିର୍ଦେଶ କ୍ରମେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ବେହେରାଙ୍କ ବିଦେଶଗସ୍ତ ଅଭିଜ୍ଞତାରୁ ଏହି କାର୍ଯ୍ୟକ୍ରମ ପ୍ରଥମ ଥର କରାଯାଇଥିଲା। ଏହି ଉତ୍ସବରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ସୁଭାଶିଷ ପ୍ରଦାନ କରିଥିଲେ ।
Comments are closed.