କାବୁଲ: ଗଣମାଧ୍ୟମରେ ଶାନ୍ତିର ଦ୍ୱାହି ଦେଉଥିବା ତାଲିବାନ ଆତଙ୍କିମାନେ ସେମାନଙ୍କ ଭୟରେ ଦେଶ ଛାଡୁଥିବା ଆଫଗାନ ଜନସାଧାରଣଙ୍କୁ ସେଥିପାଇଁ ସୁଯୋଗ ଦେଉନାହାନ୍ତି। ରାସ୍ତାଘାଟ, ଗଳିକନ୍ଦି, ଛକମାନଙ୍କରେ ହାତରେ ଅସ୍ତ୍ରଶସ୍ତ୍ର ଧରି ପହରା ଦେଉଥିବା ତାଲିବାନ ଆତଙ୍କିମାନେ ବିମାନ ବନ୍ଦରକୁ ଯାଉଥିବା ଲୋକଙ୍କୁ ଅଟକାଉଛନ୍ତି। ସେଠାରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ନିରୀହ ଲୋକଙ୍କୁ ଗୁଳିକରି ମାରିଦିଆଯାଉଛି। ବିମାନ ବନ୍ଦର ଭିତରେ ଏବଂ ଏହାକୁ ସଂଯୋଗକରୁଥିବା ରାସ୍ତାରେ ଅନେକ ମୃତଦେହ ପଡିରହିଛି।
ଜର୍ମାନୀରେ ଯାଇ ପହଞ୍ଚିଥିବା ଏକ ଆଫଗାନ ଦମ୍ପତି କହିଛନ୍ତି, ଦେଶର ପ୍ରତ୍ୟେକ ନାଗରିକ ସେଠାରୁ ପଳାଇ ଆସିବାକୁ ଚାହୁଁଛନ୍ତି। ପ୍ରତିଟି ଦିନ ତାହା ପୂର୍ବଦିନ ଅପେକ୍ଷା ଅଧିକ ଭୟଙ୍କର ହେବାରେ ଲାଗିଛି। କହିବାକୁ ଗଲେ ସେଠାରେ ସବୁକିଛି ବିପର୍ଯ୍ୟସ୍ତ ହୋଇପଡିଛି। ତାଲିବାନ ଆତଙ୍କି ଫାଙ୍କା ଗୁଳିଚଳାଉଛନ୍ତି ତ ଆଉ କେତେବେଳେ ଯାହା ଉପରକୁ ଇଛା ହେଉଛି ଗୁଳି ଚଳାଇ ହତ୍ୟା କରୁଛନ୍ତି। ପରିସ୍ଥିତି ଏଭଳି ହୋଇଛି ଯେ ତାଲିବାନ ନାଁ ଶୁଣିଲେ ଆଫଗାନ ଜନସାଧାରଣ, ବିଶେଷକରି ମହିଳା, ଯୁବତୀ ଓ କମ୍ ବୟସର ବାଳିକା ଭୟରେ ଥରି ଉଠୁଛନ୍ତି।



