www.samajalive.in
Tuesday, December 9, 2025
16.1 C
Bhubaneswar

ଆଫଗାନ ନାଗରିକଙ୍କ ପାଇଁ କାବୁଲ ବିମାନ ବନ୍ଦରକୁ ବାଟ ବନ୍ଦ

କାବୁଲ: ଦେଶ ଛାଡି ଚାଲିଯିବାକୁ ଉଦ୍ୟମ କରୁଥିବା ଆଫଗାନିସ୍ତାନ ନାଗରିକଙ୍କୁ କଡା ଚେତାବନୀ ଦେଇଛନ୍ତି ତାଲିବାନ ଆତଙ୍କି। ଆଫଗାନିସ୍ତାନ ସହିତ ଯୋଗାଯୋଗ ପାଇଁ ସଂପ୍ରତି ଖୋଲାଥିବା ଏକମାତ୍ର ରାସ୍ତା କାବୁଲ ବିମାନ ବନ୍ଦରର ସଂଯୋଗକାରୀ ରାସ୍ତାକୁ ତାଲିବାନ ଆତଙ୍କି ଦେଶର ନାଗରିକଙ୍କ ପାଇଁ ବନ୍ଦ କରିଦେଇଛନ୍ତି। ଅଗଷ୍ଟ ୩୧ ସୁଦ୍ଧା ଆମେରିକା ସମେତ ସମସ୍ତ ବିଦେଶୀ ସୈନ୍ୟ ଆଫଗାନିସ୍ତାନ ଛାଡିବାକୁ ହେବ ଏବଂ ସେହି ସମୟସୀମା ବୃଦ୍ଧି କରାଯିବ ନାହିଁ ବୋଲି ତାଲିବାନ ସ୍ପଷ୍ଟ କରିଦେଇଛି। ତାହା ନହେଲେ ପରିଣତି ଭୟାବହ ହେବ ବୋଲି ଏହି ଆତଙ୍କି ଗୋଷ୍ଠୀ ଧମକ ଦେଇଛି। ଅନ୍ୟପକ୍ଷରେ କାବୁଲ ବିମାନ ବନ୍ଦର ବାହାରେ ଓ ଭିତରେ ହଜାର ହଜାର ସଂଖ୍ୟାରେ ଲୋକ ଜମା ହୋଇ ରହୁଥିବାରୁ ସେଠାରୁ ଅନ୍ୟ ଦେଶର ନାଗରିକଙ୍କୁ ସ୍ଥାନାନ୍ତର କରିବା ପ୍ରକିୟା ବିଳମ୍ବିତ ହେଉଛି। ଅଗଷ୍ଟ ୩୧ ସୁଦ୍ଧା ସମସ୍ତ ବିଦେଶୀ ନାଗରିକଙ୍କୁ ସେଠାରୁ ସ୍ଥାନାନ୍ତର କରିବା ସମ୍ଭବ ହେବନାହିଁ ବୋଲି ଆମେରିକା ସତର୍କ କରାଇ ଦେଇଛି।
ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ମଙ୍ଗଳବାର ଦିନ କାବୁଲରେ ଜଣେ ସାମ୍ବାଦିକଙ୍କ ନିକଟରେ ପ୍ରକାଶକରି କହିଛନ୍ତି ଯେ ସେମାନେ ଆଫଗାନିସ୍ତାନ ନାଗରିକଙ୍କୁ ବିମାନ ବନ୍ଦରକୁ ଯିବାକୁ ଦେବେନାହିଁ। ସେଥିପାଇଁ ସେମାନେ କାବୁଲ ବିମାନ ବନ୍ଦରକୁ ସଂଯୋଗ କରୁଥିବା ରାସ୍ତାକୁ ବନ୍ଦ କରିଦେଇଛନ୍ତି। ସେହି ବାଟଦେଇ କେବଳ ବିଦେଶୀ ନାଗରିକ ଯାଇପାରିବେ, କିନ୍ତୁ ଆଫଗାନ ନାଗରିକଙ୍କୁ ଛଡାଯିବ ନାହିଁ। ତାଲିବାନ ଦେଶର ନାଗରିକଙ୍କ ସୁରକ୍ଷା ପାଇଁ ଗ୍ୟାରେଣ୍ଟି ଦେବ। ତେଣୁ ସେମାନେ ଦେଶଛାଡି ଚାଲିଯିବାର ଆବଶ୍ୟକତା ନାହିଁ। ଆମେରିକା ଏବଂ ନାଟୋ ସୈନ୍ୟବାହିନୀ ସହିତ ଯେଉଁ ଆଫଗାନ ନାଗରିକ ମିଶି କାମ କରୁଥିଲେ ଏବଂ ଯେଉଁମାନେ ସେମାନଙ୍କୁ ସହଯୋଗ କରୁଥିଲେ, ସେମାନଙ୍କୁ ତାଲିବାନ ଆତଙ୍କିମାନେ ଘରକୁ ଘର ତଲାସି କରି ଖୋଜିବାରେ ଲାଗିଛନ୍ତି। ସେ ଏକଥା ମଧ୍ୟ କହିଛନ୍ତି ଯେ ଆଫଗାନ ମହିଳାମାନେ ସେମାନଙ୍କର ସୁରକ୍ଷା ପାଇଁ ବର୍ତ୍ତମାନ ଘର ଭିତରେ ରହିବା ଆବଶ୍ୟକ। ଅନ୍ୟପକ୍ଷରେ ତାଲିବାନ ଆତଙ୍କି ଗୋଷ୍ଠୀର ଶୀର୍ଷ ନୀତି ନିର୍ଦ୍ଧାରଣକାରୀ ଗୋଷ୍ଠୀର ଅନ୍ୟତମ ସଦସ୍ୟ ମୁଲ୍ଲା ୟାକୁବ ଆଫଗାନ ନାଗରିକ ଦେଶ ଛାଡିବା ଘଟଣା ପାଇଁ ଆମେରିକାକୁ ଦାୟୀ କରିଛନ୍ତି। ଆମେରିକା ସେମାନଙ୍କୁ ଦେଶଛାଡି ଚାଲିଯିବାକୁ ଉସୁକାଉଥିବା ସେ ଅଭିଯୋଗ କରିଛନ୍ତି।

Hot this week

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

Related Articles

Popular Categories