ପାକିସ୍ତାନରେ ତାଲିବାନଙ୍କ ଆତ୍ମଘାତୀ ବିସ୍ଫୋରଣ : ୩ ମୃତ; ୨୦ ଆହତ

କରାଚି : ଆଫଗାନିସ୍ତାନରେ ତାଲିବାନ ସଂଗଠନକୁ ପାକିସ୍ତାନ ସମର୍ଥନ ପୂର୍ବକ କ୍ଷମତାକୁ ଫେରାଇ ଆଣିଥିବାବେଳେ ଏବେ ଇସଲାମାବାଦ ଏହି ସଂଗଠନର ଶିକାର ହେବାକୁ ଯାଉଛି। କାରଣ ତାଲିବାନ ସଂଗଠନ ଏବେ ପାକିସ୍ତାନ ଉପରେ ଆକ୍ରମଣ କରିବା ଆରମ୍ଭ କରିଛନ୍ତି। ଏପରିକି ସପ୍ତାହକ ମଧ୍ୟରେ ପାକିସ୍ତାନର ତାଲିବାନ ସଂଗଠନ ପକ୍ଷରୁ ଦୁଇଥର ଆକ୍ରମଣ ହେଲାଣି। ରବିବାର ଆଫଗାନିସ୍ତାନ ସୀମାନ୍ତ ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ତାଲିବାନମାନେ ଆତ୍ମଘାତୀ ବିସ୍ଫୋରଣ ଘଟାଇଛନ୍ତି। ତେହରିକ୍-ଇ-ତାଲିବାନ (ଟିଟିପି) ଦ୍ବାରା ହୋଇଥିବା ଏହି ଆତ୍ମଘାତୀ ବିସ୍ଫୋରଣରେ ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ଜଣ ଆହତ ହୋଇଛନ୍ତି।
ପୁଲିସ କହିବା ଅନୁଯାୟୀ  କ୍ଵେଟା -ମାସଟୁଙ୍ଗ ରାଜପଥର ଫ୍ରଣ୍ଟିୟର କ୍ରପସ୍‌ (ଏଫସି)ର ଏକ ଯାଞ୍ଚସ୍ଥଳ (ଚେକ୍‌ପୋଷ୍ଟ) ନିକଟରେ ମୋଟର ସାଇକରରେ ଆସିଥିବା ଆତ୍ମଘାତୀ ଜଣଙ୍କ ବିସ୍ଫୋରଣ ଘଟାଇଥିଲା। ମୃତ ତିନିଜଣ ପାକିସ୍ତାନ ଅର୍ଦ୍ଧସାମରିକ ବାହିନୀ କର୍ମଚାରୀ। ସେହିପରି ଆହତ ୨୦ଜଣଙ୍କ ମଧ୍ୟରୁ ୧୮ଜଣ ସୁରକ୍ଷା କର୍ମଚାରୀ ଓ ୨ଜଣ ସାଧାରଣ ଜନତା। ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ବେଲୁଚିସ୍ତାନ ଆତଙ୍କବାଦ ଦମନ ବିଭାଗ ମୁଖପାତ୍ରଙ୍କ କହିବା ଅନୁଯାୟୀ ସୋନା ଚେକ୍‌ପୋଷ୍ଟରେ ଏହି ବିସ୍ଫୋରଣ ହୋଇଛି। ଆକ୍ରମଣ ପାଇଁ ଟିଟିପି ନିଜକୁ ଦାୟୀ କରିଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ବେଲୁଚିସ୍ତାନ ଗୃହମନ୍ତ୍ରୀ ଏହି ଘଟଣାକୁ ନିନ୍ଦା କରିବା ସହିତ ଏହା ଉପରେ ସବିଶେଷ ତଥ୍ୟ ଲୋଡିଛନ୍ତି। ଟିପିପି ହେଉଛି ତାଲିବାନର ଅନୁବନ୍ଧିତ ସଂଗଠନ। ଏହି ଆକ୍ରମଣ ଏବେ ଇମ୍ରାନ ଖାଁ ସରକାର ପାଇଁ ଚିନ୍ତାର ବିଷୟ ହୋଇଛି। ଏହା ପୂର୍ବରୁ ଅଗଷ୍ଟ ୨୮ରେ ତାଲିବାନ ଅଧ୍ୟୁଷିତ ଆଫଗାନ ସୀମାରୁ ପାକିସ୍ତାନ ସୀମା ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ପାକିସ୍ତାନର ଦୁଇ ସୈନିକ ପ୍ରାଣ ହରାଇଥିଲେ। ପାକିସ୍ତାନ ସୀମାନ୍ତ ବାଜୌର ଜିଲାରୁ ତାଲିବାନମାନେ ଏହି ଆକ୍ରମଣ କରିଥିଲେ। ଟିଟିପିକୁ ପାକିସ୍ତାନ ସରକାର ଦେଶରେ ନିଷିଦ୍ଧ କରିଥିବାବେଳେ ଏହାର ସଦସ୍ୟମାନେ ଆଫଗାନିସ୍ତାନରେ ଆଶ୍ରୟ ନେଇଛନ୍ତି।

Comments are closed.