ରାୟକୁ ନେଇ ଶାସକ, ବିରୋଧୀ ଦଳ ବାକ୍‌ଯୁଦ୍ଧ

0

ନୂଆଦିଲ୍ଲୀ : ସ୍ୱତନ୍ତ୍ର କୋର୍ଟଙ୍କ ରାୟକୁ ନେଇ ଉଭୟ ଶାସକ ବିଜେପି ଏବଂ ବିରୋଧୀ ଦଳ କଂଗ୍ରେସ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ବିଜେପି ନେତୃତ୍ୱାଧୀନ ସରକାର ଅଧୀନରେ ଏନ୍‌ଆଇଏ କାର୍ଯ୍ୟ କରୁଥିବାବେଳେ ଏହା ଉପରୁ ଆସ୍ଥା ତୁଟିଯାଇଛି ବୋଲି କଂଗ୍ରେସ ନେତା ଗୁଲାମ ନବି ଆଜାଦ କହିଛନ୍ତି। କଂଗ୍ରେସ କଟାକ୍ଷର ପ୍ରତ୍ୟୁତ୍ତର ଦେଇ ବିଜେପି ମୁଖପାତ୍ର ସମ୍ବିତ୍‌ ପାତ୍ର କହିଛନ୍ତି, କୋର୍ଟଙ୍କ ରାୟ ଉପରେ ବିଜେପି ପ୍ରତିକ୍ରିୟା ପ୍ରକାଶ କରେ ନାହିଁ। ଭାରତୀୟ ବିଚାର ବିଭାଗର କାର୍ଯ୍ୟଧାରା ଉପରେ ଦଳ କୌଣସି ମନ୍ତବ୍ୟ ଦେବ ନାହିଁ; ତେବେ ୨ଜି ସ୍ପେକ୍ଟ୍ରମ୍‌ ଦୁର୍ନୀତି ମାମଲାରେ କୋର୍ଟ ଉଚିତ୍‌ ରାୟ ଦେଇଥିବା କଂଗ୍ରେସ୍‌ କହୁଥିବାବେଳେ ମକ୍କା ମସ୍‌ଜିଦ୍‌ ବିସ୍ଫୋରଣ ମାମଲାର ରାୟକୁ କିଭଳି ଭୁଲ ଦର୍ଶାଉଛି ବୋଲି ପାତ୍ର କହିଛନ୍ତି। ମକ୍କା ମସ୍‌ଜିଦ୍‌ ବିସ୍ଫୋରଣରେ ହିନ୍ଦୁ ସଂଗଠନର ସଦସ୍ୟମାନଙ୍କ ହାତ ଥିବା ନେଇ ଯେଉଁ ଅଭିଯୋଗ ଅଣାଯାଇଥିଲା ତାହା ଏକ ଷଡ଼ଯନ୍ତ୍ର ଥିଲା ବୋଲି ବିଜେପି ନେତା ସୁବ୍ରମଣ୍ୟମ୍‌ ସ୍ୱାମୀ କହିଛନ୍ତି। ଏଥିସହ ଏ ସମ୍ବନ୍ଧରେ ଆପତ୍ତିଜନକ ମନ୍ତବ୍ୟ ଲାଗି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ପୂର୍ବତନ କଂଗ୍ରେସ ସାଂସଦ ପି. ଚିଦମ୍ବରମ୍‌ଙ୍କ ବିରୋଧରେ ମାନହାନି ମକଦ୍ଦମା ରୁଜୁ କରିବା ଲାଗି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରିଛନ୍ତି। ସେହିଭଳି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପୂର୍ବତନ ଅଧିକାରୀ ଆର୍‌ଭିଏସ୍‌ ମଣି କହିଛନ୍ତି, କୋର୍ଟ ଏହି ରାୟ ଦେବେ ବୋଲି ଆଶା କରାଯାଉଥିଲା। ଅଭିଯୁକ୍ତମାନଙ୍କ ବିରୋଧରେ ସମସ୍ତ ଜାଲ୍‌ ପ୍ରମାଣ ପ୍ରସ୍ତୁତ କରାଯାଇଥିଲା। ବାସ୍ତବରେ କୌଣସି ହିନ୍ଦୁ ଆତଙ୍କବାଦରେ ସଂଶ୍ଲିଷ୍ଟ ନୁହନ୍ତି। ଏନ୍‌ଆଇଏର ତ୍ରୁଟିପୂର୍ଣ୍ଣ ବ୍ୟବହାର ପୂର୍ବକ ବିସ୍ଫୋରଣ ଷଡ଼ଯନ୍ତ୍ରକାରୀଙ୍କୁ ଘଣ୍ଟ ଘୋଡ଼ାଇବାର ଉଦ୍ୟମ କରାଯାଇଥିଲା। ଏହା ଅତ୍ୟନ୍ତ ଚିନ୍ତାର ବିଷୟ ବୋଲି ସେ ଦର୍ଶାଇଛନ୍ତି।

Leave A Reply