ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି ଯେ ଭାରତରେ ପର୍ଯ୍ୟାପ୍ତ ସୁଯୋଗ ରହିଛି। ସେ ବୁଲ୍ଗେରିଆରେ ରହୁଥିବା ଭାରତୀୟଙ୍କୁ ନିଜ ଦେଶରେ ପୁଞ୍ଜି ବିନିଯୋଗ କରିବାକୁ ଆହ୍ୱାନ ଦେଇଛନ୍ତ। ଦ୍ବିପକ୍ଷୀୟ ସମ୍ପର୍କ ବୃଦ୍ଧି ଦିଗରେ ଭାରତୀୟଙ୍କ ଭୂମିକାକୁ ସେ ପ୍ରଶଂସା କରିଛନ୍ତି।ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ବୁଲ୍ଗେରିଆ ବୈଦେଶିକ ମନ୍ତ୍ରୀ କାଟେରିନା ଜରିଏବାଙ୍କୁ ରାଜଧାନୀ ସୋଫିଆଠାରେ ଭେଟି ଆଲୋଚନା କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର ଟ୍ୱିଟ୍ କରି କହିଛନ୍ତି, ଉଭୟ ନେତା ଅର୍ଥନୀତି, କୃଷି, ସ୍ୱାସ୍ଥ୍ୟ, ପର୍ୟ୍ୟଟନ ଏବଂ ସଂସ୍କୃତି ବିଷୟ ଉପରେ ଆଲୋଚନା କରିଛନ୍ତି। ବୁଲ୍ଗେରିଆ ବୈଦେଶିକ ମନ୍ତ୍ରୀ ଶ୍ରୀମତୀ ସ୍ୱରାଜଙ୍କୁ ସ୍ୱାଗତ କରିଥିଲେ। ୨୦୧୮ ସେପ୍ଟେମ୍ବରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ଙ୍କ ସେ ଦେଶକୁ ଗସ୍ତ କରିବା ପରେ ଶ୍ରୀମତୀ ସ୍ୱରାଜ ପ୍ରଥମ ଥରପାଇଁ ବୁଲ୍ଗେରିଆ ଗସ୍ତରେ ଯାଇଛନ୍ତି। ଗସ୍ତର ଦ୍ୱିତୀୟ ପର୍ୟ୍ୟାୟରେ ଶ୍ରୀମତୀ ସ୍ୱରାଜ ମରୋକୋ ଯାଇ ସେଠାକାର ବୈଦେଶିକ ମନ୍ତ୍ରୀ ନସିବ୍ ନାସିର୍ ବୌରିଟାଙ୍କ ସହ ଆଲୋଚନା କରିବା ସହ କେତେକ ବୁଝାମଣାପତ୍ରରେ ସ୍ୱାକ୍ଷର କରିବାର ସମ୍ଭାବନା ରହିଛି। ପରେ ସେ ସ୍ପେନ୍ ଗସ୍ତ କରି ସେଠାରେ ବୈଦେଶିକ ମନ୍ତ୍ରୀ ବରେଲ୍ ଫଣ୍ଟେଲ୍ସ୍ଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ।
Popular Categories



