ହାଜର ହେଲେନି ଆସାମ ମୁଖ୍ୟସଚିବ – ସୁପ୍ରିମକୋର୍ଟ ଖପ୍ପା

ନୂଆଦିଲ୍ଲୀ: ଆସାମରେ ବିଦେଶୀ ଲୋକଙ୍କୁ ଗିରଫ ସମ୍ପର୍କିତ ଏକ ମାମଲାର ଶୁଣାଣି ସମୟରେ ରାଜ୍ୟ ମୁଖ୍ୟ ଶାସନ ସଚିବ ନ୍ୟାୟାଳୟରେ ଉପସ୍ଥିତ ନ ରହିବା ଯୋଗୁ ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ଭର୍ସନା କରିଛନ୍ତି। ଏହି ମାମଲା ସମ୍ପର୍କିତ ପ୍ରଶ୍ନର ଉତ୍ତର ନଦେଇପାରିବାରୁ ନ୍ୟାୟାଳୟ ଅସନ୍ତୋଷ ପ୍ରକାଶ କରିବା ସହିତ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏପ୍ରିଲ ୮ରେ କୋର୍ଟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆସାମ ସରକାରଙ୍କ ଦ୍ୱାରା ଅଦାଲତରେ ଆଗତ ସତ୍ୟପାଠକୁ ମୂଲ୍ୟହୀନ କହିବା ସହ ଜାଣିବାକୁ ଚାହିଁଛନ୍ତି ଯେ ନ୍ୟାୟାଳୟ ଦ୍ୱାରା ବିଦେଶୀ ଘୋଷିତ କେତେ ଜଣ ସ୍ଥାନୀୟ ଲୋକଙ୍କ ସହ ବସବାସ କରୁଛନ୍ତି। ଏହି ଖଣ୍ଡପୀଠରେ ଜଷ୍ଟିସ ଦୀପକ ଗୁପ୍ତା ଏବଂ ଜଷ୍ଟିସ ସଞ୍ଜୀବ ଖାନ୍ନା ଅଛନ୍ତି।

ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରି କହିଛନ୍ତି, ‘ସେହି ବିଦେଶୀମାନଙ୍କ ସଂଖ୍ୟା କେତେ ହେବ ଯେଉଁମାନେ ସ୍ଥାନୀୟ ଲୋକଙ୍କ ସହ ଚଳପ୍ରଚଳ କରୁଛନ୍ତି। ସେଥିପାଇଁ ଆମେ ଚାହିଁଥିଲୁ ମୁଖ୍ୟ ଶାସନ ସଚିବ କୋର୍ଟରେ ଉପସ୍ଥିତ ରହନ୍ତୁ।’ ସାମାଜିକ କର୍ମକର୍ତ୍ତା ହର୍ଷ ମନ୍ଦରଙ୍କ ଦ୍ୱାରା ଆସାମରେ ବନ୍ଦୀ ଗୃହ ସ୍ଥିତି ଏବଂ ବିଦେଶୀ ନାଗରିକଙ୍କ ପରିସ୍ଥିତି ସମ୍ପର୍କରେ କରାଯାଇଥିବା ଆବେଦନ ଉପରେ ଶୁଣାଣି କରି ସ୍ଵଚ୍ଚ ନ୍ୟାୟାଳୟ ଏହା କହିଛନ୍ତି ।

Comments are closed.