ନୂଆଦିଲ୍ଲୀ : କରେନା ମୁକାବିଲା ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ବାରା ଗଠନ କରାଯାଇଥିବା ‘ପିଏମ୍ କେୟାର୍ସ’ ସ୍ଥାପନ ବିରୋଧରେ ଏକ ଯାଚିକାକୁ ଆଜି ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ । ମୁଖ୍ୟ ବିଚାରପତି ଏସ୍.ଏ.ବୋବଡ଼େ, ଜଷ୍ଟିସ ଏଲ୍.ନାଗେଶ୍ବର ରାଓ ଓ ଜଷ୍ଟିସ ଏମ୍.ଏମ୍.ଶାନ୍ତାନାଗୌଦରଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ‘ପିଏମ୍ କେୟାର୍ସ’ ଗଠନରେ ସମ୍ବିଧାନର ଧାରା ୨୬୬ ଓ ୨୬୭ ଉଲ୍ଲଙ୍ଘନ ହୋଇଥିବା ଅନୁଭବ କରି ହେଉନାହିଁ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଭିଡ଼ିଓ କନଫରେନ୍ସିରେ ଶୁଣାଣି ପରେ ମୁଖ୍ୟ ବିଚାରପତି ଜଷ୍ଟିସ ବୋବଡ଼େ ମାମଲାକୁ “misconceived” ବୋଲି କହିଛନ୍ତି । ଏମ୍.ଏଲ୍ ଶର୍ମା ନାମକ ଜଣେ ଆଇନଜୀବୀ ଏହି ମାମଲାକୁ ରୁଜୁ କରିଥିଲେ ।
ଗତ ମାର୍ଚ୍ଚ ୨୮ ତାରିଖରେ ପ୍ରାଇମ୍ ମିନିଷ୍ଟର୍ସ ସିଟିଜେନ୍ ଆସିଷ୍ଟାନ୍ସ ଏଣ୍ଡ ରିଲିଫ୍ ଇନ୍ ଇମର୍ଜେନ୍ସି ସିଚୁଏସନ (ପିଏମ୍ କେୟାର୍ସ) ସ୍ଥାପନ କରାଯାଇଥିଲା। କରୋନା ମୁକାବିଲା ଓ ପ୍ରଭାବିତଙ୍କୁ ଏହି ପାଣ୍ଠିରୁ ସହାୟତା ଦିଆଯିବାର ଉଦ୍ଦେଶ୍ୟ ରହିଛି । ଏଥିରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷ ରହିଥିବାବେଳେ ଗୃହ, ପ୍ରତିରକ୍ଷା ଓ ଅର୍ଥ ବିଭାଗ ମନ୍ତ୍ରୀମାନେ ଟ୍ରଷ୍ଟି ରହିଛନ୍ତି । ତେବେ ଏହି ଟ୍ରଷ୍ଟ ଗଠନ ସମୟରେ କୌଣସି ଗେଜେଟ୍ ବିଜ୍ଞପ୍ତି ବା ଅଧ୍ୟାଦେଶ ଜାରି ହୋଇ ନ ଥିବା, ସଂସଦରେ ଏହାକୁ ସ୍ବୀକୃତି ମିଳି ନ ଥିବା, ରାଷ୍ଟ୍ରପତି ଏହାକୁ ଅନୁମୋଦନ କରି ନ ଥିବା କିମ୍ବା ସମ୍ବିଧାନର ୨୬୭ ଧାରା ଅନୁସାରେ ଏହା ସଂସଦ ବା କୌଣସି ରାଜ୍ୟ ବିଧାନସଭାର ଅନୁମୋଦନ ଲାଭ କରି ନ ଥିବା ଦର୍ଶାଇ ଆଇନଜୀବୀ ଜଣକ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ।



