ନିର୍ବାଚନ ଅପରାଧ ସମ୍ବନ୍ଧୀୟ ଆବେଦନ ସୁପ୍ରିମକୋର୍ଟରେ ଖାରଜ

0

ନୂଆଦିଲ୍ଲୀ : ନିର୍ବାଚନ ବେଳେ ରାଜନୈତିକ ଦଳ ତଥା ପ୍ରାର୍ଥୀମାନେ ଭୋଟର୍‍ଙ୍କୁ ପ୍ରଭାବିତ ତଥା ପ୍ରଲୋଭନ କରିବା ଏବଂ ତ୍ରୁଟିପୂର୍ଣ୍ଣ ମନ୍ତବ୍ୟ ଦେବା ଭଳି ଘଟଣାଗୁଡିକୁ ଅପରାଧ ପରିସରଭୁକ୍ତ କରି ଏନେଇ ଅତିକମ୍‍ରେ ୨ ବର୍ଷ କରାଦଣ୍ଡାଦେଶ ବ୍ୟବସ୍ଥା କରିବା ନିମନ୍ତେ ହୋଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଏ. ଏମ୍‍. ଖାନ୍‍ୱିଲକର ଏବଂ ଡି. ୱାଇ ଚନ୍ଦ୍ରଚୂଡଙ୍କ ପୀଠ ଆବେଦନଟିକୁ ଶୁଣିବା ପରେ ଖାରଜ କରାଯାଇଛି ବୋଲି କହିଛନ୍ତି। ଆଇନଜୀବୀ ଅଶ୍ୱୀନି କୁମାର ଉପଧ୍ୟାୟଙ୍କ ପକ୍ଷରୁ ଏହି ଆବେଦନ କରାଯାଇଥିଲା। ଉପଧ୍ୟାୟ ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ ୨୦୦୦ ପରଠାରୁ ଲୋକସଭା ଓ ବିଧାନସଭା ନିର୍ବାଚନ; ଏପରିକି ଉପନିର୍ବାଚନ ଜିତିବା ପାଇଁ ମଧ୍ୟ ରାଜନୈତିକ ଦଳ ତଥା ପ୍ରାର୍ଥୀମାନେ ଲାଞ୍ଚ କାରବାର କରିଆସୁଛନ୍ତି। ଲାଞ୍ଚ କାରବାର ପାଇଁ ଉଦ୍ଦିଷ୍ଟ ଦଣ୍ଡ ଖୁବ୍‍ କମ୍‍ ହୋଇଥିବାରୁ ଏଭଳି ଘଟଣା ବୃଦ୍ଧି ପାଇଛି। ଏଣୁ ଏସବୁ ବନ୍ଦ କରିବା ନିମନ୍ତେ ଆଇନରେ ପରିବର୍ତ୍ତନର ଆବଶ୍ୟକତା ରହିଛି। ନିର୍ବାଚନ ବେଳେ ଲାଞ୍ଚ କାରବାରକୁ ଅପରାଧ ତାଲିକାଭୁକ୍ତ କରିବା ନିମନ୍ତେ ୨୦୧୨ ନିର୍ବାଚନ କମିସନ୍‍ (ଇସି) ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ସୁପାରିସ କରିଥିଲେ। ଲାଞ୍ଚ ପ୍ରଦାନକାରୀଙ୍କୁ ଅତିକମ୍‍ରେ ୨ ବର୍ଷ କାରାଦଣ୍ଡାଦେଶ ଦେବା ସହିତ ଜାମିନ ନ ମିଳିବାର ବ୍ୟବସ୍ଥା ହେବା ଆବଶ୍ୟବ ବୋଲି ଇସି ପରାମର୍ଶ ଦେଇଥିଲେ। ଏ ଦିଗରେ ଆଇପିସି ଧାରା ୧୭୧(ଖ) ଏବଂ ୧୭୧(ଙ) ରେ ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ ଇସିଙ୍କୁ ଅବଗତ କରାଯାଇଥିଲା। ମାତ୍ର ସରକାର ଏଯାବତ୍‍ କୌଣସି ପଦକ୍ଷେପ ନେଇ ନ ଥିବା ଉପଧ୍ୟାୟ ଯୁକ୍ତି ବାଢିଥିଲେ।

Leave A Reply