ଲୁଟେରାଙ୍କ ସଂପର୍କରେ ସୁରାକ ପାଇଛି ପୁଲିସ: ଏସ୍ପି ସାଗରିକା
ଆନ୍ତରାଜ୍ୟ ସୀମାନ୍ତରେ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି
ସ୍ୱତନ୍ତ୍ର ଟିମ ଗଠନ
ସୁନ୍ଦରଗଡ଼: ସଦର ଥାନା ଅନ୍ତର୍ଗତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର କିରେଇ ଶାଖାରୁ ଆଜି ସ୍ପଷ୍ଟ ଦିବାଲୋକରେ ସଶସ୍ତ୍ର ଲୁଟେରାମାନେ ଲକ୍ଷାଧିକ ଟଙ୍କା ଲୁଟିନେବା ସହ ବ୍ୟାଙ୍କ କର୍ମଚାରୀଙ୍କ ମୋବାଇଲ ଓ ସୁନା ଚେନ ମଧ୍ୟ ଲୁଟି ନେବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିବା ସହ ଆନ୍ତରାଜ୍ୟ ସୀମାନ୍ତ ଅଞ୍ଚଳରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବାର ଜଣାପଡ଼ିଛି। ମିଳିଥିବା ସୂତ୍ରରୁ ପ୍ରକାଶ, ଆଜି ଅପରାହ୍ନରେ କିରେଇରେ ଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ୪ଜଣ ସଶସ୍ତ୍ର ଦୁବୁର୍ତ୍ତ ଦୁଇଟି ବାଇକରେ ଆସି ଶାଖା ପରିଚାଳକ ସମେତ ଅନ୍ୟାନ୍ୟ କର୍ମଚାରୀଙ୍କୁ ବନ୍ଧୁକ ମୁନରେ ଭୟଭୀତ କରାଇ ବ୍ୟାଙ୍କରେ ଥିବା ପ୍ରାୟ ୨ଲକ୍ଷ ୮୭ ଟଙ୍କା ଲୁଟି ନେବା ସହ ବ୍ୟାଙ୍କ କର୍ମଚାରୀଙ୍କଠାରୁ ୩ଟି ମୋବାଇଲ ଓ ମହିଳା କର୍ମଚାରୀଙ୍କଠାରୁ ସୁନା ଚେନ ଲୁଟି ନେଇ ଫେରାର ହୋଇଯାଇଥିଲେ।
ଏହି ଦୁବୁର୍ତ୍ତଙ୍କ ଅପରେସନ ସମୟ ପ୍ରାୟ ୧୫ରୁ ୨୦ମିନିଟ ଭିତରେ ହୋଇଥିବା ବେଳେ ଏହି ସୀମିତ ସମୟ ମଧ୍ୟରେ ଦୁବୁର୍ତ୍ତମାନେ ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କୁ ଗୋଟିଏ କଠୋରିରେ ବନ୍ଦ କରି ଚାଲିଯାଇଥିଲେ। ଲୁଟ ଅପରେସନ ଚାଲିଥିବା ବେଳେ ଦୁବୁର୍ତ୍ତମାନେ କୁଆଡ଼େ ନିଜ ନିଜ ମଧ୍ୟରେ ଅଳ୍ପ କଥାବାର୍ତ୍ତା(ସ୍ଥାନୀୟ ଭାଷାରେ ନୁହେଁ) ହେଉଥିବା ବେଳେ ସତେ ଯେମିତି ସେମାନେ ବ୍ୟାଙ୍କର ଅବସ୍ଥିତି ଓ କର୍ମଚାରୀଙ୍କ ସଂଖ୍ୟାକୁ ପୂର୍ବରୁ ଆକଳନ କରିଥିବାର ସ୍ପଷ୍ଟ ହେଉଛି। ଲୁଟ ଘଟଣା ଘଟାଇ ୪ସଶସ୍ତ୍ର ଦୁବୁର୍ତ୍ତ ଦୁଇଟି ମଟର ସାଇକେଲରେ ଅତିକ୍ଷୀପ୍ର ଗତିରେ ଝାରସୁଗୁଡ଼ା ଆଡ଼କୁ ପଳାଇଯାଇଥିବାର କେତେକ ଲୋକ ଚର୍ଚ୍ଚା କରୁଥିଲେ ହିଁ ପୁଲିସ ଏ ସଂପର୍କରେ କିଛି ସ୍ପଷ୍ଟ କରିନାହିଁ।
ଖବର ପାଇଁ ସୁନ୍ଦରଗଡ଼ ଏସ.ପି ସାଗରିକା ନାଥ, ସଦର ଏସଡିପିଓ ମଧୁଶିକ୍ତା ମିଶ୍ର, ସଦର ଥାନା ଅଧିକାରୀ ସମେତ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି। ବ୍ୟାଙ୍କ ଭିତରେ ଲାଗିଥିବା ସିସିଟିଭି ଫୁଟେଜକୁ ତନ୍ନ ତନ୍ନ ଯାଞ୍ଚ କରିବା ସହ ଆଖପାଖ ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରାଯାଉଛି ବୋଲି ଏସ.ପି ନାଥ କହିବା ସହ ଲୁଟେରାଙ୍କ ସଂପର୍କରେ ପୁଲିସକୁ କିଛିଟା ସୁରାକ ମିଳିଥିଲେ ହିଁ ତଦନ୍ତରେ ବ୍ୟାଘାତ ଦୃଷ୍ଟିରୁ ଏ ସଂପର୍କରେ ଏସ.ପି କିଛି କହୁନଥିବାର ଜଣାପଡ଼ିଛି। ସହର ସମେତ ଝାଡ଼ଖଣ୍ଡ-ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ପୁଲିସ ଫୋର୍ସ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରି ଉଭୟ ସୀମାନ୍ତ ରାଜ୍ୟର ଜିଲା ଗୁଡ଼ିକର ପୁଲିସ ଉଚ୍ଚ ଅଧିକାରୀଙ୍କ ସହ ମଧ୍ୟ ଯୋଗାଯୋଗ କରାଯାଉଥିବାର ଜଣାପଡ଼ିଛି। ଖୁବଶୀଘ୍ର ଲୁଟେରାଙ୍କୁ ଧରାଯିବ ବୋଲି ଏସ.ପି ନାଥ ଦୃଢ଼ତାର ସହ ସୂଚନା ଦେବା ସହ ବ୍ୟାଙ୍କ କର୍ମଚାରୀଙ୍କ ସଂପୃକ୍ତି ଓ ଅନ୍ୟାନ୍ୟ ଦିଗକୁ ମଧ୍ୟ ଯାଞ୍ଚ କରାଯାଉଛି ବୋଲି କହି ଦୁଇଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି। ଗୋଟିଏ ଟିମ ଜିଲା ମଧ୍ୟରେ ତଦନ୍ତ ଜାରି ରଖିଥିବା ବେଳେ ଅନ୍ୟ ଏକ ଟିମ ରାଜ୍ୟ ବାହାରକୁ ଯାଇଥିବାର ଜଣାପଡ଼ିଛି।



