ସୁନ୍ଦରଗଡ଼ରେ ଲଗାଣ ବର୍ଷା: ରାସ୍ତାରେ ଘାଇ, ଭାସିଗଲା କାର

ସୁନ୍ଦରଗଡ଼: ସୁନ୍ଦରଗଡ଼ ସମେତ ଆଖପାଖ ଅଞ୍ଚଳରେ ଶୁକ୍ରବାର ଅପରାହ୍ଣରୁ ଲଗାଣ ବର୍ଷା ଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ ହୋଇ ହୋଇଛି। ଟାଙ୍ଗରପାଲି ବ୍ଲକ କଟ୍ରା ଗ୍ରାମର ପୋଲରେ ୩ରୁ ୪ଫୁଟ ବର୍ଷା ଜଳ ପ୍ରବାହିତ ହେଉଥିଲା। ତସଲାଡିହି ପଞ୍ଚାୟତ କାଲୋବାହାଲ-ଭାଲୁବାହାଲ ପିଚୁ ରାସ୍ତା ଧୋଇ ହୋଇ ପାଖାପାଖି ୧୦ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ ଉଭୟ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ରାସ୍ତାର ଅପରପାର୍ଶ୍ବରେ ଭାଲୁବାହାଲ ସମେତ କରୁଆବାହାଲ, ସାନଢବାଖୋଲ ଆଦି ଗାଁ ରହିଛି। ଏହି ଗାଁ ସବୁ ପଞ୍ଚାୟତ ଏବଂ ବ୍ଲକ ସଦର ମହକୁମାଠାରୁ ବିଚ୍ଛିନ୍ନ ହୋଇଯାଇଛି। ଆଜି ଦିନ ତମାମ ବର୍ଷା ଲାଗି ରହିଥିବା ଯୋଗୁଁ ରାସ୍ତାର ମରାମତି କରାଯାଇପାରି ନାହିଁ।

ଗତ କାଲି ରାତିରେ ସୁନ୍ଦରଗଡ଼ ସଦର ଥାନା ରସରାଜପୁର-ଦେଓଗାଁ ରାସ୍ତା ଝଙ୍କରା ନିକଟରେ ପୋଲରେ ବର୍ଷା ଜଳ ପ୍ରବାହିତ ହେଉଥିଲା। ସେହି ସମୟରେ ସୁନ୍ଦରଗଡ଼ ପଟରୁ ସେହି ରାସ୍ତା ଦେଇ ଯାଉଥିବା ବେଳେ ଏକ କାରଟି ଭାସି ଯାଇଥିଲା। କାରଟି ବଢ଼ି ପାଣିର ପ୍ରଖର ସ୍ରୋତରେ ରାସ୍ତାଠାରୁ ପ୍ରାୟ ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ଭାସି ଯାଇଥିଲା। ଚାଳକ କୌଣସି ମତେ କାରରୁ ବାହାରି ଯାଇଥିଲେ।

କାର ପାଣିରେ ବୁଡି ଯାଇଥିଲା। ଖବର ପାଇ ସ୍ଥାନୀୟ ଗ୍ରାମବାସୀ ଆଜି କାରକୁ ଉଦ୍ଧାର କରିଛନ୍ତି। ଲଗାଣ ବର୍ଷା ସୁନ୍ଦରଗଡ଼ ଓ ଆଖପାଖ ଅଞ୍ଚଳରେ ଲାଗିରହିଥିବା ବେଳେ ଇବ ନଦୀ ଉପରମୁଣ୍ଡ ଛତିଶଗଡ଼ରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ଇବ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଫଳରେ ସୁନ୍ଦରଗଡ଼ର ତଳିଆ ଅଞ୍ଚଳଗୁଡ଼ିକ ଜଳମଗ୍ନ ହେବାର ଆଶଙ୍କା ସୃଷ୍ଟି ହୋଇଛି। ବିଶେଷ କରି ସହରର ରାଣୀବଗିଚା, ପିଏଚଡି ପମ୍ପ ହାଉସ, ମହାଦେବପଡ଼ା, ରିଜେଣ୍ଟମାର୍କେଟ, ମୁଣ୍ଡାପଡ଼ା ଆଦି ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କାକୁ ଦେଖି ପୌର ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଇଛି।

Comments are closed.