www.samajalive.in
Friday, December 12, 2025
17.1 C
Bhubaneswar

ପୁସ୍ତକ ପଠନ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ଖୋଲା ଯାଉଛି ପାଠାଗାର

ସୁନ୍ଦରଗଡ଼: ବହି ସବୁବେଳେ ମଣିଷର ଜ୍ଞାନର ପରିସୀମାକୁ ବଢ଼ାଇ ଥାଏ। କିନ୍ତୁ, ଆଜିର ଡିଜିଟାଲ୍ ଓ ମୋବାଇଲ୍ ସମୟରେ ଲୋକଙ୍କର ବହି ପଢ଼ିବାର ଅଭ୍ୟାସ କମିଯାଉଛି। ତେଣୁ ଲୋକମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ବହି ପଢ଼ିବା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ସୁନ୍ଦରଗଡ଼, ବହି ପଢ଼’ ଅଭିଯାନ ଚାଲିଛି। ଏହା ଅଧୀନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ନୂତନ ପାଠାଗାର ସୃଷ୍ଟି ସହ ଆଗରୁ ରହିଥିବା ପାଠାଗାରର ଉନ୍ନତିକରଣ ଉପରେ ବିଶେଷ ଧ୍ୟାନ ଦିଆଯାଉଛି।

ନିକଟରେ ବଣାଇଁଠାରେ ଏକ ଉପଖଣ୍ଡସ୍ତରୀୟ ପାଠାଗାରକୁ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଉଦଘାଟନ କରିଥିଲେ। ଏହି ପାଠାଗାରରେ ସ୍କୁଲ କଲେଜର ଛାତ୍ରଛାତ୍ରୀ ଓ ସାଧାରଣ ପାଠକକଙ୍କ ପାଇଁ ପୁସ୍ତକ ଏବଂ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବା ଶିକ୍ଷିତ ଯୁବକ ଯୁବତୀଙ୍କ ପାଇଁ ସୂଚନାଧର୍ମୀ ପୁସ୍ତିକା ଆଦି ରହିଛି। ଏହା ଫଳରେ ବଣାଇଁ ସହିତ ଆଖପାଖ ଅଞ୍ଚଳର ଲୋକେ ଗୋଟିଏ ସ୍ଥାନରେ ବସି ସୁବିଧାରେ ବିଭିନ୍ନ ପ୍ରକାରର ବହି ଓ ପତ୍ରପତ୍ରିକା ପଢ଼ିବାର ସୁଯୋଗ ପାଇପାରିବେ। ‘‘ବଣାଇଁ ଅଞ୍ଚଳର ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ସର୍ବସାଧାରଣ ପାଠାଗାର ଖୋଲାଯାଇଛି। ଏଠାରେ ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ପିଲାମାନଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ପ୍ରକାରର ପୁସ୍ତକ ରହିଛି। ଶିଶୁମାନଙ୍କ ସୁବିଧା ପାଇଁ ଏଠାରେ ଅଲଗା କକ୍ଷ ରହିଛି। ଜିଲ୍ଲାର ଜନସାଧାରଣଙ୍କ ଭିତରେ ବହି ପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ବିଭିନ୍ନ ଗ୍ରାମୀଣ କ୍ଷେତ୍ରରେ ପାଠାଗାର ମଧ୍ୟ ଖୋଲାଯାଉଛି’’, କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ। ଜିଲ୍ଲାର କଳା, ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସୁନ୍ଦରଗଡ଼ ସହରରେ ରହିଛି ଜିଲ୍ଲା ସଂସ୍କୃତି ଭବନ। ସେଠାରେ ଏକ ଆଧୁନିକ ପାଠାଗାର ଓ ରିଡିଙ୍ଗ୍ ରୁମ୍ ଖୋଲାଯାଇଛି। ବିଭିନ୍ନ ପ୍ରକାରର ଉପାଦେୟ ପୁସ୍ତକ ସହିତ ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ଆବଶ୍ୟକତାକୁ ଦେଖି ସେଠାରେ ଇ-ଲାଇବ୍ରେରି କରାଯାଉଛି।

- Advertisement -

ଏହି ଇ-ଲାଇବ୍ରେରିକୁ ଭୁବନେଶ୍ୱରସ୍ଥିତ ରାଜ୍ୟ ପାଠାଗାର ସହ ସଂଯୁକ୍ତ କରାଯିବ। ଫଳରେ ସୁନ୍ଦରଗଡ଼ର ପାଠକମାନେ ମଧ୍ୟ ରାଜ୍ୟ ପାଠାଗାରରେ ଥିବା ବିଭିନ୍ନ ଇ-ଲାଇବ୍ରେରିରୁ ଫାଇଦା ପାଇପାରିବେ। ଜିଲ୍ଲା ସଂସ୍କୃତି ଭବନରେ ଥିବା ପାଠାଗାର ମଙ୍ଗଳବାରଠାରୁ ରବିବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୧ଟା୩୦ ଏବଂ ଅପରାହ୍ଣ ୨ଟା୩୦ରୁ ସନ୍ଧ୍ୟା ୫ଟା ୩୦ଯାଏଁ ଖୋଲା ରହୁଛି। ସପ୍ତାହର ପ୍ରତି ସୋମବାର ପାଠଗାର ବନ୍ଦ ରହୁଛି। ସେହିପରି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୁନ୍ଦରଗଡ଼ ସହରରେ ଏକ ପାଠାଗାର ରହିଛି। ଏହି ପାଠାଗାରରେ ବିଭିନ୍ନ ବର୍ଗଙ୍କୁ ଦୃଷ୍ଟିରେ ରଖି ଆବଶ୍ୟକ ପୁସ୍ତକ ରଖାଯାଇଛି। ଏହି ସର୍ବସାଧାରଣ ପାଠାଗାର ସୋମବାରରୁ ଶନିବାର ସକାଳ ୮ଟାରୁ ୧୦ଟା ୩୦ ଏବଂ ସନ୍ଧ୍ୟା ୫ଟାରୁ ରାତି ୮ଟା ଯାଏଁ ଖୋଲା ରହୁଛି। ପ୍ରତି ରବିବାର ଏହି ପାଠାଗର ବନ୍ଦ ରହୁଛି। ବଣାଇଁ ପାଠାଗାର ସପ୍ତାହରେ ୬ ଦିନ ଖୋଲା ରହିବ। ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଏବଂ ଅପରାହ୍ଣ ୪ଟାରୁ ସନ୍ଧ୍ୟା ୭ଟା ଯାଏଁ ଏହି ପାଠାଗାର ଖୋଲା ରହିବ।

ସେହିପରି ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ, ଶିକ୍ଷିତ ଯୁବକ ଯୁବତୀ ଓ ସ୍ଥାନୀୟ ଜନସାଧାରଣଙ୍କୁ ବହି ପଢ଼ା ପ୍ରତି ଆକର୍ଷିତ କରିବା ଲାଗି ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗ୍ରାମୀଣ ପାଠାଗାର ଖୋଲିବା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି। ଏହି କ୍ରମରେ ହେମଗିରି ବ୍ଲକର କମଲଗା ଏବଂ ଲେଫ୍ରିପଡ଼ା ସଦରମହକୁମାଠାରେ ଗ୍ରାମୀଣ ପାଠାଗାର ରହିଛି। ସୁନ୍ଦରଗଡ଼ର ବିଭିନ୍ନ ପାଠାଗାରରେ ସାଧାରଣ ପାଠକମାନଙ୍କ ପାଇଁ ଆନନ୍ଦମୟ ପରିବେଶ ସୃଷ୍ଟି କରାଯାଉଛି। ପ୍ରତି ପାଠାଗାରରେ ଆବଶ୍ୟକ ରିଡିଙ୍ଗ୍ ରୁମର ବ୍ୟବସ୍ଥା କରାଯାଉଛି। ସେହିପରି ପାଠକ ପାଠିକାଙ୍କ ସୁବିଧା ପାଇଁ ସ୍ୱଚ୍ଛ ଶୌଚାଳୟ କରାଯାଇଛି।

‘ସୁନ୍ଦରଗଡ଼, ବହି ପଢ଼’ ଅଭିଯାନ ଅଧୀନରେ ଲୋକଙ୍କୁ ବିଭିନ୍ନ ପ୍ରକାରର ବହି ସହିତ ବାନ୍ଧି ରଖିବା ପାଇଁ ଜିଲ୍ଲାପାଳଙ୍କ ବାସଭବନରେ ‘ବହି ବଗିଚା’ର ପରିକଳ୍ପନା କରାଯାଇଥିଲା। ପ୍ରତି ରବିବାର ଦିନ ଏଠାରେ ବହିପଢ଼ା ସହ ପିଲାଙ୍କ ପାଇଁ ବିଭିନ୍ନ ପ୍ରକାର ସର୍ଜନାତ୍ମକ କାର୍ଯ୍ୟକ୍ରମ କରାଯାଉଥିଲା। ତେବେ କୋଭିଡ୍ ମହାମାରୀ ଫଳରେ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି।

ରାଜ୍ୟ ସରକାରଙ୍କ ୫-ଟି ଅଭିଯାନ ଅଧୀନରେ ଚାଲିଥିବା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଜରିଆରେ ସରକାରୀ ହାଇସ୍କୁଲରେ ଆଧୁନିକ ପାଠାଗାର, ଇ-ଲାଇବ୍ରେରି ଏବଂ କମ୍ପ୍ୟୁଟର ଲ୍ୟାବ ଆଦି କରାଯାଉଛି। ସୁନ୍ଦରଗଡ଼ ଜିଲ୍ଲାରେ ଏହି ଦିଗ ଉପରେ ଗୁରୁତ୍ୱ ଦିଆଯାଇ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଜ୍ଞାନର ପରିସୀମା ବଢ଼ାଇବା ପାଇଁ ଆଧୁନିକ ପାଠାଗାର ଓ ଇ-ଲାଇବ୍ରେରି କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ରୂପାନ୍ତରିତ ହୋଇଥିବା ୬୭ଟି ସରକାରୀ ହାଇସ୍କୁଲର ଛାତ୍ରଛାତ୍ରୀମାନେ ପାଠାଗାର, ଇ-ଲାଇବ୍ରେରି ଏବଂ କମ୍ପ୍ୟୁଟର ରୁମରେ ବସି ଦେଶ ଦୁନିଆ ସମ୍ପର୍କରେ ସୂଚନା ଓ ଜ୍ଞାନ ପାଇପାରୁଛନ୍ତି।

ସୁନ୍ଦରଗଡ଼ ସଂସ୍କୃତି ଭବନ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧୀନରେ ଥିବା ପାଠାଗାରର ନବୀକରଣ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପକ୍ଷରୁ ଆର୍ଥିକ ସହାୟତା ଦିଆଯାଇଛି। ସେହିପରି ଡିଏମଏଫ ଆର୍ଥିକ ସହାୟତାକ୍ରମେ ବଣାଇଁ ଉପଖଣ୍ଡ ପାଠାଗାର ସହିତ କମଲଗା ଏବଂ ଲେଫ୍ରିପଡ଼ାରେ ଥିବା ଗ୍ରାମୀଣ ପାଠାଗାର ଆଦି ଗଢ଼ି ଉଠିଛି। ପର୍ଯ୍ୟାୟକ୍ରମେ ଜିଲ୍ଲାର ବିଭିନ୍ନ ବ୍ଲକରେ ଗ୍ରାମୀଣ ପାଠାଗାର ଖୋଲିବା ଲାଗି ପ୍ରଶାସନ ଲକ୍ଷ୍ୟ ରଖିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories