www.samajalive.in
Thursday, December 11, 2025
13.1 C
Bhubaneswar

ମହିଳାଙ୍କ ଅଭିନବ ଧାରଣା: ବାଟ ଓଗାଳି ଶୋଇପଡ଼ିଲା ପିରୋ, ଚେଇଁ ଉଠିଲେ ଜିଲାପାଳ

ସୁନ୍ଦରଗଡ଼,: ମହିଳାଙ୍କୁ ସମ୍ମାନ, ମହିଳାଙ୍କୁ ସୁରକ୍ଷା ଓ ମହିଳାଙ୍କୁ ସଶକ୍ତ କରାଇବା ସ୍ଲୋଗାନ ଆଜି ପିରୋ ପାଇଁ ନିରର୍ଥକ ହୋଇପଡ଼ିଛି । ୧୦ବର୍ଷ କାଳ ବିନା ପାରିଶ୍ରମିକରେ ଏକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟ କରି ବଡ଼ ଆଶା ରଖିଥିଲା ବ୍ଲକ ଗ୍ରାଣ୍ଟ ପାଇଲେ ନିଜ ପଦବୀ ସୁରକ୍ଷିତ ହୋଇଯିବ, କିଛି ପଇସା ପାଇଯିବ ପରିବାର ବର୍ଗ ସଶକ୍ତ ହୋଇଯିବେ ହେଲେ ସମୟକ୍ରମେ ପିରୋର ସବୁ ସ୍ବପ୍ନ ପାଣି ଫୋଟକା ଭଳି ଫୁଟିଗଲା । ବାପା ମାଁ ଚାଲିଗଲେ ଆହା ବୋଲି କହିବା ପାଇଁ କେହି ରହିଲେ ନାହିଁ । ଏଭଳି ଏକ ସମୟରେ ସେ (ପିରୋ) ଚାକିରୀରୁ ବିଦା ହୋଇଗଲା । ତାର ଜାଲ ଦସ୍ତଖତ କରି ସେ ଇସ୍ତଫା ଦେଇଛି ବୋଲି କହି ବିଦ୍ୟାଳୟ କର୍ତ୍ତୃପକ୍ଷ ଅନ୍ୟ ଜଣଙ୍କୁ ତା ସ୍ଥାନରେ ନିଯୁକ୍ତି ଦେଇଦେଲେ । ଏଠାରୁ ଆରମ୍ଭ ହେଲା ପିରୋର କୋହଭରା କାହାଣୀ । ଇତିମଧ୍ୟରେ ୪/୫ଜଣ ଜିଲାପାଳ ମଧ୍ୟ ବଦଳି ଗଲେଣି । ଅଭିଯୋଗ କରି କରି ନିରାଶ ଓ ଥକି ଯାଇ ଶେଷରେ ପୁଣି ଫେରିଆସିଲା ପୂର୍ବତନ କାଉନସିଲର ହିମାଂଶୁ ଷଡ଼ଙ୍ଗୀଙ୍କ ପାଖକୁ । ନିଜ ଆପତ୍ତି ଅଭିଯୋଗକୁ ଦୋହରାଇବା ସହ କିପରି ପାଇବ ନ୍ୟାୟ କାକୁତି ମିନତୀ ହେଲା । ପୂର୍ବରୁ ମଧ୍ୟ ଏ ସଂପର୍କରେ ସେ ଶ୍ରୀ ଷଡ଼ଙ୍ଗୀଙ୍କୁ ଏ ବିଷୟରେ ଅବଗତ କରାଇଥିଲା ଓ ସେଥିପାଇଁ ଷଡ଼ଙ୍ଗୀ ମଧ୍ୟ ତତ୍କାଳୀନ ଜିଲାପାଳ ଓ ଜିଲା ଶିକ୍ଷାଧିକାରୀଙ୍କୁ ଜଣାଇ ପିରୋକୁ ଥଇଥାନ କରିବା ପାଇଁ ଅନୁରୋଧ କରିଥିଲେ । ପିରୋ ସଂପର୍କରେ ଯେଉଁ ତଦନ୍ତ ରିପୋର୍ଟ ଅଧିକାରୀ ଜଣକ ଦେଲେ ତାହା ସଂପୂର୍ଣ୍ଣ ଜାଲ ଓ ଷଡ଼ଯନ୍ତ୍ର ପୂର୍ଣ୍ଣ ବୋଲି ପିରୋ ଅଭିଯୋଗ କରିଛି । ଶେଷରେ ମୋ ଚାକିରୀ ମୋତେ ଫେରାଇ ଦିଅ, ନଚେତ ମୁଁ ଏଇଠି ଶୋଇ ରହିବି ବୋଲି ଜୋରରେ ଚିତ୍କାର କରୁଥିଲା ପିରୋ କିଷାନ । ତର୍‌ ତର୍‌ ହୋଇ ନିଜ କାର୍ଯ୍ୟାଳୟକୁ ପ୍ରବେଶ କରିବା ପାଇଁ ଯାଉଥିବା ଜିଲାପାଳ ନିଖିଲ ପବନ କଲ୍ୟାଣ ହଠାତ ଶୋଇ ରହିଥିବା ମହିଳାଙ୍କ ଉପରେ ନଜର ପଡ଼ିଗଲା ।

ଏତିକି ବେଳେ ଜିଲାର ପ୍ରାୟ ସମସ୍ତ ଜିଲାସ୍ତରୀୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଯାଇଥିଲେ । ଜିଲାପାଳ କଲ୍ୟାଣ ପିରୋକୁ ଅତ୍ୟନ୍ତ ଶ୍ରଦ୍ଧା ଓ ସମ୍ମାନର ସହ ଉଠାଇ ତୋ କଥା ନିଶ୍ଚିତ ଭାବେ ବିଚାର କରାଯିବ ବୋଲି କହି ଆରମ୍ଭ କରିଦେଇଥିଲେ ମନ୍ଥନ । ପିରୋ ମଝାପଡ଼ାର ସେହି ବିଦ୍ୟାଳୟରେ ନିଯୁକ୍ତି ଦିନ ଠାରୁ ପରବର୍ତ୍ତି ସମୟ ପର୍ଯ୍ୟନ୍ତ ସମସ୍ତ ଫାଇଲ ଓ ରିପୋର୍ଟ ଦୁଇ ଘଣ୍ଟା ମଧ୍ୟରେ ଆସିଗଲା ଜିଲାପାଳଙ୍କ ପାଖକୁ । ରିପୋର୍ଟରୁ ଜଣାପଡ଼ିଲା ପିରୋ କୁଆଡ଼େ ସେ ପଦବୀରୁ ଇସ୍ତଫା ଦେଇଛି ମାତ୍ର ପୂର୍ବରୁ ସମସ୍ତ ଘଟଣା ଜାଣିଥିବା ଷଡ଼ଙ୍ଗୀ ତାର ଜାଲ ଦସ୍ତଖତ ହୋଇଛି ଓ ସେ ଇସ୍ତଫା ଦେଇ ନାହିଁ ବୋଲି ଯୁକ୍ତି କରିବା ସହ ପିରୋ ମଧ୍ୟ ସେଠାରେ ଏହାର ତାର ଦସ୍ତଖତ ନୁହେଁ ବୋଲି ଜିଲାପାଳଙ୍କୁ ସ୍ପଷ୍ଟ ଭାବରେ କହି ୩୦ହଜାର ଟଙ୍କା ଲାଞ୍ଚ ମଗାଯାଇଥିଲା ମାତ୍ର ସେ ୧୫ ହଜାର ଟଙ୍କା ଲାଞ୍ଚ ଦେଇଥିଲି ବୋଲି ମଧ୍ୟ କହିଥିଲା । ପିରୋର ଏଭଳି ବୟାନ ଜିଲାପାଳଙ୍କୁ ଯେତିକି ଚିନ୍ତିତ କରିଥିଲା ସେତିକି ଆଚମ୍ବିତ ମଧ୍ୟ କରିଦେଇଥିଲା । ପଦସ୍ଥ ଅଧିକାରୀ(ଜିଲାପାଳଙ୍କ ଅଧିନସ୍ତ) ହୋଇ ଏଭଳି ମିଥ୍ୟା ଓ ଚଞ୍ଚକତା ପୂର୍ଣ୍ଣ ରିପୋର୍ଟ ପ୍ରଦାନ କରି ପିରୋର ଆଶା ଓ ଆକାଂକ୍ଷାକୁ ଧୂଳିସାତ କରି ଜିଲାରୁ ବଦଳି ହୋଇଯାଇଥିବା ଅଧିକାରୀ ଜଣଙ୍କ ନିସ୍ତାର ପାଇଯାଇଛନ୍ତି ହେଲେ ଏବେ ସତ୍ୟ ପଦାକୁ ଆସିବା ପରେ ପିରୋକୁ ନ୍ୟାୟ ଦେବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି । ଆଜି ପିରୋର ଏହି ଅଭିନବ ପ୍ରତିବାଦ ସହରରେ ଚର୍ଚ୍ଚାର ବିଷୟ ହୋଇପଡ଼ିଥିବା ବେଳେ ପିରୋର ଥଇଥାନକୁ ନେଇ ସନ୍ଧ୍ୟା ଯାଏ ତୁହାକୁ ତୁହା ବୈଠକ ବସି ଅତିରିକ୍ତ ଜିଲାପାଳ ବିଶ୍ବଜିତ ମହାପାତ୍ରଙ୍କ ନେତୃତ୍ବରେ ଏକ କମିଟି ତୁରନ୍ତ ରିପୋର୍ଟ ଦେବା ପାଇଁ ଜିଲାପାଳ ନିର୍ଦେଶ ଦେଇଥିବାର ଜଣାପଡ଼ିଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories