www.samajalive.in
Wednesday, December 10, 2025
23.1 C
Bhubaneswar

ଏପ୍ରିଲରୁ ଜୁନ୍‌ ଅସମ୍ଭାଳ ତାତି

ଭୁବନେଶ୍ବର : ଓଡ଼ିଶା ସମେତ ସମ୍ପ୍ରତି ଦେଶର ବିଭିନ୍ନ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇଯାଇଛି। ତେବେ ଆସନ୍ତା ଏପ୍ରିଲରୁ ଜୁନ ମଧ୍ୟରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବାର ସମ୍ଭାବନା ଥିବାରୁ ଗ୍ରୀଷ୍ମପ୍ରବାହ ଅସମ୍ଭାଳ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।
କେନ୍ଦ୍ର ଭୂବିଜ୍ଞାନ ମନ୍ତ୍ରାଳୟ ଅଧୀନସ୍ଥ ଭାରତୀୟ ପାଣିପାଗ ବିଭାଗ(ଆଇଏମଡ଼ି) ପକ୍ଷରୁ ଆଗାମୀ ଏପ୍ରିଲରୁ ଜୁନ ମଧ୍ୟରେ ଗ୍ରୀଷ୍ମପ୍ରବାହ ସହିତ ସର୍ବନିମ୍ନ ଓ ସର୍ବାଧିକ ତାପମାତ୍ରା ସଂକ୍ରାନ୍ତରେ ଭବିଷ୍ୟବାଣୀ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଭାରତର ପୂର୍ବାଞ୍ଚଳ, ଉତ୍ତର ପଶ୍ଚିମ ରାଜ୍ୟ ସମେତ ପଶ୍ଚିମ ଭାରତ ଉପଦ୍ବୀପ ଅଞ୍ଚଳ​ରେ ଗ୍ରୀଷ୍ମକାଳୀନ ତାପମାତ୍ରା ସ୍ବାଭାବିକଠାରୁ ୦.୫ଡ଼ିଗ୍ରୀରୁ ୧ଡ଼ିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ବିଶେଷ କରି ପ୍ରଚଣ୍ଡ ରୌଦ୍ର ଅନୁଭୂତ ହେଉଥିବା ଅଧିକାଂଶ ରାଜ୍ୟର ତାପମାତ୍ରା ସ୍ବାଭାବିକଠାରୁ ୧ଡ଼ିଗ୍ରୀ ସେଲସିୟସ ଅଧିକ ରହିବ। ଓଡ଼ିଶା ସମେତ ପଞ୍ଜାବ, ହରିୟାଣା, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟ ମହାରାଷ୍ଟ୍ର, ଉତ୍ତର ଓ ଦକ୍ଷିଣ କର୍ଣ୍ଣାଟକ, କେରଳ ଆଦି ରାଜ୍ୟରେ ଏପ୍ରିଲରୁ ଜୁନ ମଧ୍ୟରେ ହାରାହାରି ସ୍ବାଭାବିକ ସର୍ବନିମ୍ନ ତାପମାତ୍ରା ୧ଡ଼ିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। କେନ୍ଦ୍ରୀୟ ଭାରତ, ପ୍ରଚଣ୍ଡ ଗ୍ରୀଷ୍ମ ଅନୁଭୂତ ହେଉଥିବା ପ୍ରମୁଖ ଗ୍ରୀଷ୍ମମଣ୍ଡଳୀୟ ରାଜ୍ୟ ବା ଦେଶର କେନ୍ଦ୍ରୀୟ ଗ୍ରୀଷ୍ମପ୍ରବାହ ଅଞ୍ଚଳ (କୋର ହଟ ୱେଭ ଜୋନ)ରେ ଏପ୍ରିଲରୁ ଜୁନ୍‌ ଭିତରେ ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ଓଡ଼ିଶା, ଉପକୂଳ ଆନ୍ଧ୍ରପ୍ରଦେଶ ସମେତ ପଞ୍ଜାବ, ହିମାଚଳ ପ୍ରଦେଶ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ତେଲଙ୍ଗାନା ଆଦି ରାଜ୍ୟ ଏସବୁ ଜୋନ ଭିତରେ ଆସୁଛି। ଏସବୁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଯଦି ୧ଡ଼ିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତେବେ ସ୍ବାଭାବିକ ତାପମାତ୍ରା ଆହୁରି ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଏଣିକି ଆଇଏମଡ଼ି ୪ସପ୍ତାହ ପାଇଁ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା ସଂକ୍ରାନ୍ତରେ ୭ଦିନ ଆଗରୁ ଆକଳନ କରିବ ବୋଲି ସୂଚନା ମିଳିଛି। ଏହି ଭବିଷ୍ୟବାଣୀ ଆଇଏମଡ଼ି ୱେବସାଇଟରେ ଉପଲବ୍ଧ ହେବ।
ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ବଢ଼ିବାରେ ଲାଗିଛି। ରାଜ୍ୟର ସର୍ବାଧିକ ତାପମାତ୍ରା କ୍ରମାଗତ ଭାବେ ଚତୁର୍ଥ ଦିନ ପାଇଁ ମାଲକାନଗିରିରେ ୪୦ ଡ଼ିଗ୍ରୀ ଉପରେ ରହିଛି। ଅନୁଗୋଳରେ ୩୯ଡ଼ିଗ୍ରୀ ଏବଂ ବଲାଙ୍ଗୀର ଓ ଟିଟିଲାଗଡ଼ରେ ୩୮ଡ଼ିଗ୍ରୀ ଅତିକ୍ରମ କରିଛି। ଆସନ୍ତା ୩ଦିନ ଭିତରେ ରାଜ୍ୟର ସ୍ବାଭାବିକ ତାପମାତ୍ରା ୨ରୁ ୩ଡ଼ିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ବିଶେଷ କରି ଉପକୂଳ ଓଡ଼ିଶାରେ ଆସନ୍ତାକାଲିଠାରୁ ତାତି ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ସମୟରେ କିଛି ସ୍ଥାନରେ ପାରଦ ୪୦ଡ଼ିଗ୍ରୀ ଉପରେ ରହିବ ବୋଲି ସୂଚନା ମିଳିଛି।
ଗତ ୨୪ଘଣ୍ଟାରେ ରାଜ୍ୟର କେତେକ ଅଞ୍ଚଳରେ ଘୂର୍ଣ୍ଣିଝଡ଼ ସହିତ ବର୍ଷା ହୋଇଥିଲା। ଏହି ସମୟରେ ଦାରିଙ୍ଗବାଡ଼ିରେ ସର୍ବାଧିକ ୬୬ମିମି ବର୍ଷା ହୋଇଥିଲା। କୋରାପୁଟରେ ୨୦ମିମି ବର୍ଷିଥିଲା। ଆସନ୍ତା ୨୪ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଓ କନ୍ଧମାଳ ଜିଲାରେ ଘଡ଼ଘଡ଼ି ସହିତ ବର୍ଷା ହେବ। ପରବର୍ତ୍ତୀ ଦୁଇ ଦିନରେ ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି। ତେବେ ପୁନର୍ବାର ଆସନ୍ତା ୩ତାରିଖରେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ବର୍ଷା ହେବ। ବି​ଶେଷ କରି କଟକ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ଗଞ୍ଜାମ, କେନ୍ଦୁଝର, ଢ଼େଙ୍କାନାଳ ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି। ଏଥିପାଇଁ ସତର୍କ ରହିବା ନିମନ୍ତେ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ନିଂ ଜାରି କରାଯାଇଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories