ସୁବର୍ଣ୍ଣରେଖା କଲେଜରେ ପ୍ଲାଷ୍ଟିକ ପ୍ରଦୂଷଣ ପ୍ରତିହତ କର୍ମଶାଳା

ବାଲିଆପାଳ: ବାଲିଆପାଳସ୍ଥିତ ସୁବର୍ଣ୍ଣରେଖା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ପ୍ଲାଷ୍ଟିକ ପ୍ରଦୂଷଣ ପ୍ରତିହତ କର୍ମଶାଳା ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ବିକାଶ ଚନ୍ଦ୍ର ଜେନା ସଭାପତିତ୍ବ କରିବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରୋଗ୍ରାମ ଅଫିସର ପ୍ରେମାନନ୍ଦ ସେଠୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।

ମୁଖ୍ୟ ଅତିଥି ଭାବେ ବାଲେଶ୍ଵର ଜିଲା କାର‌୍ୟ୍ୟକ୍ରମ ଅଧିକାରୀ ଅଧ୍ୟାପକ ଗୌରାଙ୍ଗ ପଣ୍ଡା ଯୋଗଦେଇ କାର‌୍ୟ୍ୟକ୍ରମକୁ ଉଦଘାଟନ କରିବା ସହ ପ୍ଲାଷ୍ଟିକ ପ୍ରଦୂଷଣର କାରଣ, କୁପରିଣାମ, ପ୍ରତିକାର ଓ ପ୍ଲାଷ୍ଟିକ ପ୍ରଦୂଷଣକୁ ପ୍ରତିହତ କରିବାରେ ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ ମାନଙ୍କର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ ମନୋଜ କୁମାର ମହାପାତ୍ର, ଓଡ଼ିଶା ରକ୍ତଦାତା ସଂଘର ସମ୍ପାଦକ ଗୋପାଳ ଚନ୍ଦ୍ର ସାହୁ ଓ ତାପସ କୁମାର ପାତ୍ର ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ପ୍ଲାଷ୍ଟିକ ପ୍ରଦୂଷଣ ଆମ ଦୈନନ୍ଦିନ ଜୀବନରେ କିଭଳି କୁପ୍ରଭାବ ପକାଉଛି ଓ ଏହାର ସମାଧାନ ନିମିତ୍ତ ଯୁବପିଢୀ ଆଗଭର ହେବା ଉଚିତ ବୋଲି ଉପସ୍ଥିତ ସ୍ଵେଚ୍ଛାସେବୀ ମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ।

ସୁଧୀର କୁମାର ମୁଖୀ, ରାଜେନ୍ଦ୍ର ପ୍ରଧାନ, ପରେଶ ମାଣିକ, ବିଶ୍ଵନାଥ ସାମଲ ଓ ବିଜୟ କୁମାର ନାୟକ ପ୍ରମୁଖ କାର‌୍ୟ୍ୟକ୍ରମ ସଂଯୋଜନା କରିଥିଲେ। ଭୋଳାନାଥ ବେହେରା, ଆଶିଷ କୁମାର ଗିରି, ସାଇଶଙ୍କର ଜେନା, ଜ୍ୟୋତିର୍ମୟୀ ପଣ୍ଡା, ଚନ୍ଦନ କୁମାର ପାଲ, ଅନୁଭବ ମହାନ୍ତି ପ୍ରମୁଖ କାର‌୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସାଗର ଦାସ ଅଧିକାରୀ ଓ ସୁଷମା ଦାସ ସ୍ବରଚିତ ନିବନ୍ଧ ଉପସ୍ଥାନ କରିଥିବାବେଳେ ଜୟ ପ୍ରକାଶ ଦାସ ଏକକ ଅଭିନୟ ମାଧ୍ୟମରେ ପ୍ଲାଷ୍ଟିକ ପ୍ରଦୂଷଣ ବିଷୟରେ ସଚେତନତା ସୃଷ୍ଟି କରିଥିଲେ । ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅଧ୍ୟକ୍ଷ ଗୌରାଙ୍ଗ ରାଉତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ଓ ଚାରାରୋପଣ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ଅଧ୍ୟାପକ ପ୍ରେମାନନ୍ଦ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।(ଫୋଟ)

Comments are closed.