ସାଲେପୁର: କଟକ-ଚାନ୍ଦବାଲି ରାସ୍ତାର ନବୀକରଣ ଦାବିରେ ସାଲେପୁରରେ ଶନିବାର ଦିନିକିଆ ବନ୍ଦ ଡାକରା ଦିଆଯାଇଛି । ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବରେ ଦୋକାନ, ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ବନ୍ଦ ରହିଛି । ବିଭିନ୍ନ ସ୍କୁଲ, କଲେଜ ସହ ଅନ୍ୟାନ୍ୟ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ବନ୍ଦକୁ ସମର୍ଥନ କରାଯାଇଛି ।
ରାସ୍ତା ନବୀକରଣ ସହ ଡ୍ରେନେଜ ବ୍ୟବସ୍ଥା ଆଦି ୭ ଦଫା ଦାବି ନେଇ ବିଭିନ୍ନ ସାମାଜିକ ସଂଗଠନ ଆଜି ରାସ୍ତାକୁ ଓହ୍ଲାଇଛି । ସେମାନଙ୍କର ମୁଖ୍ୟତଃ ଦାବି ହେଲା କଟକ–ଚାନ୍ଦବାଲି ରାସ୍ତାର ପ୍ରଶସ୍ତିକରଣ । ଏନେଇ ବାରମ୍ବାର ପ୍ରଶାସନ ନିକଟରେ ଦାବି କରାଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନଥିବା ସ୍ଥାନୀୟ ସଙ୍ଗଠନ ଅଭିଯୋଗ କରିଛନ୍ତି । ଯାହା ଫଳରେ ବାଧ୍ୟ ହୋଇ ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆନ୍ଦୋଳକାରୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ସୁରକ୍ଷାକୁ ଦୃଷ୍ଟିରେ ରଖି ସହରରେ ପୁଲିସ ଫୋର୍ସ ମୁତୟନ କରାଯାଇଛି ।



