www.samajalive.in
Sunday, December 14, 2025
23.1 C
Bhubaneswar

ଆଦିବାସୀଙ୍କ ନୃତ୍ୟ ଓ ସଂଗୀତ ପରିବେଶ ସହିତ ଜଡ଼ିତ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଚଳିତ ବର୍ଷ ରାଜ୍ୟସ୍ତରୀୟ ଆଦିମ ଜନଜାତି ନୃତ୍ୟ ମହୋତ୍ସବ ଆୟୋଜିତ ହେଉଛି । ଏହି ନୃତ୍ୟ ମହୋତ୍ସବ ମଇ ୨୩ ଓ ୨୪ ତାରିଖ ସନ୍ଧ୍ୟା ୬.୩୦ରୁ ରାତି ୯ଟା ପର୍ଯ୍ୟନ୍ତ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରସ୍ଥ ରବିନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହେଉଅଛି ।
ଏହି ଆଦିମ ଜନଜାତି ନୃତ୍ୟ ମହୋତ୍ସବକୁ ଆଜି ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା ତାଙ୍କ ଅଭିଭାଷଣରେ କହିଥିଲେ ଯେ ଆଜି ଆମ ପାଇଁ ଏକ ଐତିହାସିକ ଦିନ । ଆଦିମ ଜନଜାତିଙ୍କୁ ନେଇ ଏକ ଅଲଗା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଆଗାମୀ ବର୍ଷଠାରୁ ଆମେ ଜାତୀୟସ୍ତରୀୟ ଆଦିମ ଜନଜାତି ନୃତ୍ୟ ମହୋତ୍ସବର ଆୟୋଜନ କରିବାକୁ ପ୍ରୟାସ କରିବୁ । ଆଦିମ ଜନଜାତିଙ୍କ ସଂସ୍କୃତିର ସଂରକ୍ଷଣ ଓ ମୌଳିକତା ବଜାୟ ରହିଛି । ସେମାନଙ୍କର ନୃତ୍ୟ ଓ ସଂଗୀତ ପରିବେଶ ସହିତ ଜଡ଼ିତ । ଆଦିମ ଜନଜାତିଙ୍କ ସଂସ୍କୃତିର ସଂରକ୍ଷଣ କରିବା ଆମର ପ୍ରମୁଖ ଲକ୍ଷ୍ୟ ।
ଏହି ଅବସରରେ ସ୍ୱାଗତ ଭାଷଣ ଦେଇ ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ଆଦିମ ଜନଜାତି ନୃତ୍ୟ ମହୋତ୍ସବର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଏଭଳି ଆଦିମ ଜନଜାତି ନୃତ୍ୟ ମହୋତ୍ସବ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି। ଜନଜାତିଙ୍କ ବିବିଧତାକୁ ଆଦିମ ଜନଜାତିଙ୍କ ନୃତ୍ୟ ସଂଦର୍ଶନ କରି ଆମେ ଉପଲବ୍ଧି କରିପାରିବା। ସମ୍ମାନିତ ଅତିଥି ଭାବେ ଓଡ଼ିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନୟନ ପ୍ରକଳ୍ପର ନିର୍ଦ୍ଦେଶକ ପି. ଅର୍ଥନାରୀ ଯୋଗଦେଇ କହିଥିଲେ ଯେ ଆଦିମ ଜନଜାତିଙ୍କ ଅନନ୍ୟ ନୃତ୍ୟଶୈଳୀ ଯେପରି ସମସ୍ତଙ୍କ ପାଖରେ ପହଞ୍ଚିପାରିବ ଆମେ ସେଥିପାଇଁ ପ୍ରୟାସ ଜାରି ରଖିଛୁ। ବିଭାଗୀୟ ନିର୍ଦ୍ଦେଶିକା ଗୁହା ପୁନମ ତାପସ କୁମାର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଦିମ ଜନଜାତି ନୃତ୍ୟ ମହୋତ୍ସବରେ ପ୍ରତିଦିନ ୮ ଗୋଟି ନୃତ୍ୟ ପରିବେଷିତ ହେବ।
ଆଜି ବଣ୍ଡା ଜନଜାତିଙ୍କ ଚଇତି ନୃତ୍ୟ, କୁଟିଆ କନ୍ଧଙ୍କ ଢାପ ନୃତ୍ୟ, ଡଙ୍ଗରିଆ କନ୍ଧଙ୍କ ବେଜୁନି ନୃତ୍ୟ, ଲାଞ୍ଜିଆ ସଉରାଙ୍କ କାନ୍ଦୁଲ ନୂଆ ନୃତ୍ୟ, ଚୁକୁଟିଆ ଭୁଞ୍ଜିଆଙ୍କ ନୂଆଖାଇ ନୃତ୍ୟ, ମାଙ୍କିରିଡ଼ିଆ ଜନଜାତିଙ୍କ ମାଘ ପରବ ନୃତ୍ୟ, ପାଉଡ଼ି ଭୂୟାଁଙ୍କ ବିହା ନୃତ୍ୟ, ଦିଦାୟୀ ଜନଜାତିଙ୍କ ଢେମ୍‌ସା ନୃତ୍ୟ ପରିବେଷିତ ହୋଇଥିଲା ।

ଆସନ୍ତାକାଲି ଲାଞ୍ଜିଆ ସଉରାଙ୍କ ବେଣ୍ଟ ନୃତ୍ୟ, ଲୋଧା ଜନଜାତିଙ୍କ ଝୁମର ନୃତ୍ୟ, ଡଙ୍ଗରିଆ କନ୍ଧଙ୍କ ଧାଙ୍ଗଡ଼ା-ଧାଙ୍ଗଡ଼ା ନୃତ୍ୟ, ଜୁଆଙ୍ଗମାନଙ୍କ ଚାଙ୍ଗୁ ନୃତ୍ୟ, ପାଉଡ଼ି ଭୂୟାଁଙ୍କ ବିସ୍ରି ନୃତ୍ୟ, କୁଟିଆ କନ୍ଧଙ୍କ ଧାଙ୍ଗଡ଼ା-ଧାଙ୍ଗଡ଼ୀ ନୃତ୍ୟ, ସଉରା ଜନଜାତିଙ୍କ ଚଇତି ନୃତ୍ୟ ପରିବେଷିତ ହେବାର କାର୍ଯ୍ୟକ୍ରମ ରହିଛି ।
ପ୍ରକାଶ ଥାଉ କି ଓଡ଼ିଶାରେ ବସବାସ କରୁଥିବା ୬୨ ପ୍ରକାର ଜନଜାତିଙ୍କ ମଧ୍ୟରେ ୧୩ ପ୍ରକାର ଆଦିମ ଜନଜାତି ବାସବାସ କରନ୍ତି । ସେମାନେ ହେଲେ ବଣ୍ଡା, ଦିଦାୟୀ, ଡଙ୍ଗରିଆ କନ୍ଧ, ଲାଞ୍ଜିଆ ସଉରା, ସଉରା, କୁଟିଆ କନ୍ଧ, ପାଉଡ଼ି ଭୂୟାଁ, ଚୁକୁଟିଆ ଭୁଞ୍ଜିଆ, ଜୁଆଙ୍ଗ, ପାହାଡ଼ି ଖଡ଼ିଆ, ମାଙ୍କିଡ଼ିଆ, ଲୋଧା ଓ ବିରହୋର । ସାରା ଭାରତରେ ଓଡ଼ିଶା ହିଁ ସଖ୍ୟାଧିକ ଆଦିମ ଜନଜାତିଙ୍କ ବାସସ୍ଥଳୀ । ଏମାନେ ଅନ୍ୟାନ୍ୟ ଜନଜାତିଙ୍କଠାରୁ ତୁଳନାତ୍ମକ ଭାବରେ ପଛୁଆ, ସାମାଜିକ ଓ ଆର୍ଥିକ ଦିଗରୁ ଅନଗ୍ରସର । ନିଜସ୍ୱ ପରିମଣ୍ଡଳ ମଧ୍ୟରେ ରହି ପ୍ରାଚୀନ ଜ୍ଞାନକୌଶଳକୁ ଅଦ୍ୟାବଧି ଜୀବନଜୀବିକା ଭାବରେ ପ୍ରୟୋଗ କରିଥାନ୍ତି । ସରକାର ଆଦିମ ଜନଜାତିଙ୍କ ଶୈକ୍ଷିକ ତଥା ସଂସ୍କୃତି ଆଧାରିତ ଅର୍ଥନୈତିକ ବିକାଶ ଓ ସଚେତନତା ପାଇଁ ବହୁବିଧ ପଦକ୍ଷେପ ନେଉଛନ୍ତି ।
ନୃତ୍ୟ ଓ ସଂଗୀତ ଆଦିମ ଜନଜାତିଙ୍କ ସହଜାତ ପ୍ରବୃତ୍ତି । କୌଣସି ପ୍ରାକ୍‌ ପ୍ରସ୍ତୁତି ନଥାଇ ସେମାନେ ଅବସର ସମୟକୁ ନୃତ୍ୟସଂଗୀତରେ ଅତିବାହିତ କରିଥାନ୍ତି । ବିକାଶ ଯାତ୍ରାରେ ଏମାନଙ୍କର ସଂସ୍କୃତିରେ ପରିବର୍ତ୍ତନ ଆସିଥିଲେ ସୁଦ୍ଧା ଆଜି ବି ତାଙ୍କ ନୃତ୍ୟ-ସଂଗୀତ ପ୍ରବାହମାନ । ସେହି ସାଂସ୍କୃତିକ ସଂପଦକୁ ପରିବେଷଣ କରିବା ସହ ପ୍ରଚାରପ୍ରସାର କରାଇବାକୁ ଚଳିତ ବର୍ଷ ରାଜ୍ୟସ୍ତରୀୟ ଆଦିମ ଜନଜାତି ନୃତ୍ୟ ମହୋତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହେଉଛି ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories