କଟକ: କଟକ ବାରବାଟୀ ଷ୍ଟାଡିଅମ ସ୍ଥିତ ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟର ରଜତ ଜୟନ୍ତୀ ବର୍ଷରେ ବିଦ୍ୟାଳୟ ଆନୁକୁଲ୍ୟରେ ହିନ୍ଦୀ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ କଟକ ବକଲି ବାଳିକା ଉଚ୍ଚ ବିଦ୍ୟାଳୟର ହିନ୍ଦୀ ସାହିତ୍ୟ ରତ୍ନ ଉପାଧି ପ୍ରାପ୍ତ ବରିଷ୍ଠ ଶିକ୍ଷୟିତ୍ରୀ ସ୍ୱପ୍ନା ମହାନ୍ତି ଯୋଗଦେଇ ପିଲାମାନଙ୍କୁ ହିନ୍ଦୀ ଭାଷାର ଉନ୍ମେଷ, ବିକାଶ ଓ ଗରିମା ବିଷୟରେ ଅବଗତ କରାଇଥିଲେ। ରାଷ୍ଟ୍ର ଭାଷା ଭାବରେ ହିନ୍ଦୀକୁ ସମୃଦ୍ଧ କରାଇବା ପାଇଁ ଆମେ ସଂକଳ୍ପ ବଦ୍ଧ ହେବା ବୋଲି ସେ ମତ ବ୍ୟକ୍ତ କରିଥିଲେ।
ବିଦ୍ୟାଳୟର ହିନ୍ଦୀ ବିଭାଗର ଶିକ୍ଷୟିତ୍ରୀ ମାନଙ୍କ ମିଳିତ ସହଯୋଗରେ ପ୍ରାୟ ପ୍ରତ୍ୟେକ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଆଜିର ଉତ୍ସବରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅଧ୍ୟକ୍ଷ ଡ. ପ୍ରିୟଦର୍ଶୀ ନାୟକ କବିତା ଆବୃତ୍ତି ସହ ନିଜର ବକ୍ତବ୍ୟ ରଖିଥିଲେ। ପରେ ଆୟୋଜିତ ହିନ୍ଦୀ କବିତା ପାଠୋତ୍ସବରେ ୧୫ ଜଣ ଛାତ୍ରଛାତ୍ରୀ ସ୍ୱରଚିତ ହିନ୍ଦୀ କବିତା ପାଠ କରିଥିଲେ।
କାର୍ଯ୍ୟକ୍ରମରେ ଏକ କ୍ଷୁଦ୍ର ନାଟିକାର ଅବତାରଣା କରାଯାଇ ହିନ୍ଦୀ ଭାଷା ପ୍ରତି ସମ୍ମାନ ପ୍ରଦର୍ଶନ କରାଯାଇଥିଲା। କୁନି କୁନି ପିଲା ମାନେ ସେମାନଙ୍କ ବକ୍ତବ୍ୟରେ ମଧ୍ୟ ହିନ୍ଦୀ ଭାଷା ପ୍ରତି ସେମାନଙ୍କ ମମତ୍ଵବୋଧ ପ୍ରକାଶ କରିଥିଲେ। ହିନ୍ଦୀ ଦିବସ ଅବସରରେ ହିନ୍ଦୀ ଭାଷା ଆଉ ସାହିତ୍ୟକୁ ନେଇ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଅଂଶ ଗ୍ରହଣ କରିଥିବା ସବୁ ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ଵାରା ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।



