ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଘରୋଇ କମ୍ପାନୀରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସୋମବାର ସୁପ୍ରିମକୋର୍ଟ ଘରୋଇ କମ୍ପାନୀର କର୍ମଚାରୀଙ୍କ ପେନସନ ବୃଦ୍ଧି ହେବାର ପଥ ପରିଷ୍କାର କରିଛନ୍ତି । କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି (ଇପିଏଫ୍ଓ) ଦ୍ବାରା କେରଳ ଉଚ୍ଚ ନ୍ୟାୟାଳୟ ବିରୋଧରେ ଦାଖଲ ହୋଇଥିବା ବିଶେଷ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରି କହିଛନ୍ତି, ଏହି ବିଶେଷ ପିଟିସନରେ କୌଣସି ମୂଲ୍ୟ ନାହିଁ । ତେଣୁ ଏହାକୁ ଖାରଜ କରାଯାଉଛି । ଏହା ସହ କେରଳ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ।
ଅବସର ନେଇଥିବା ଘରୋଇ ସଂସ୍ଥାର କର୍ମଚାରୀଙ୍କୁ ସେମାନଙ୍କର ସମ୍ପୂର୍ଣ୍ଣ ଦରମା ହିସାବରେ ପେନସନ ଦେବା ପାଇଁ କେରଳ ହାଇକୋର୍ଟ ଇପିଏଫ୍ଓ କୁ କହିଥିଲେ । ଏହି ଆଧାରରେ ଇପିଏଫ୍ଓ ସହ ଯୋଡି ହେବା ପାଇଁ ଘରୋଇ ସଂସ୍ଥାର କର୍ମଚାରୀଙ୍କ ଦରମା ପ୍ରତିମାସରେ ୧୫ ହଜାର ଟଙ୍କା ନିର୍ଦ୍ଧାରିତ କରାଯାଇଥିଲା । କିନ୍ତୁ କେରଳ ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ଇପିଏଫ୍ଓ ଦ୍ବାରା ସର୍ବୋଚ୍ଚ ନ୍ୟାୟଳୟରେ ଚ୍ୟାଲେଞ୍ଜ କରାଯାଇଥିଲା ।
ଗୋଟିଏ ପଟେ ଘରୋଇ କମ୍ପାନୀ କମଚାରୀଙ୍କ ପେନସନ ବୃଦ୍ଧି ହେବା ବେଳେ ଅନ୍ୟ ପକ୍ଷରେ ଭବିଷ୍ୟ ନିଧି ପାଣ୍ଠି (ଇପିଏଫ୍ଓ) କମ୍ ହୋଇଯିବ । ଏହାର ଅଧିକ ଅଂଶ ଇପିଏଫ୍ଓ ପରିବର୍ତ୍ତେ କର୍ମଚାରୀଙ୍କ ପେନସନ ଯୋଜନା (ଇପିଏସ୍)କୁ ଚାଲିଯିବ । ଏହି ନିୟମ ଅନୁସାରେ କର୍ମଚାରୀଙ୍କ ପେନସନ ଅପେକ୍ଷାକୃତ ଅଧିକ ବଢିଯିବ ।
ସୂଚନାଯୋଗ୍ୟ, ୧୯୯୫ ମସିହାରେ କେନ୍ଦ୍ର ସରାକର ଇପିଏସ୍ ବ୍ୟବସ୍ଥା ଆରମ୍ଭ କରିଥିଲେ । ନିୟମ ଅନୁସାରେ କର୍ମଚାରୀଙ୍କ ପ୍ରତି ମାସର ଦରମା ୬୫୦୦ ଟଙ୍କାର ହିସାବରେ (ମାସିକ ୫୪୧) ୮.୩୩ ପ୍ରତିଶତ ଇପିଏସରେ ଜମା ହେବ ।



