ବାଂଲାଦେଶକୁ ହରାଇ ସୁପର-୪ରେ ଶ୍ରୀଲଙ୍କା

ଦୁବାଇ : ଚଳିତ ଏସିଆ କପ୍‌ ଟ୍ବେଣ୍ଟି୨୦ରେ ୩ୟ ଦଳ ଭାବେ ସୁପର-୪ରେ ପହଞ୍ଚିଛି ଶ୍ରୀଲଙ୍କା । ଗୁରୁବାର ଏକ ରୋମାଞ୍ଚକର ଗ୍ରୁପ୍‌ ‘ବି’ ମ୍ୟାଚ୍‌ରେ ବାଂଲାଦେଶକୁ ୨ ୱିକେଟରେ ଶ୍ରୀଲଙ୍କା ପରାସ୍ତ କରିଛି। ଏକାଧିକ ବ୍ୟାଟ୍‌ସମ୍ୟାନଙ୍କ ଉପଯୋଗୀ ଯୋଗଦାନ ବଳରେ ପ୍ରଥମେ ବ୍ୟାଟିଂକରି ବାଂଲାଦେଶ ଦଳ ୭ ୱିକେଟରେ ୧୮୩ ରନ୍‌ କରିଥିଲା । ପରେ କୁଶଳ ମେଣ୍ଡିସ୍‌ ଓ ଦାସୁନ୍ ଶନକଙ୍କ ବିସ୍ଫୋରକ ଇନିଂସ ବଳରେ ୪ଟି ବଲ୍‌ ବାକିଥାଇ ୮ ୱିକେଟ ହରାଇ ଶ୍ରୀଲଙ୍କା ଜିତିଥିଲା। ଏହି ପରାଜୟ ପରେ ବାଂଲାଦେଶ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି। ଆଫ୍‌ଗାନିସ୍ତାନ ପଛକୁ ଶ୍ରୀଲଙ୍କା ଗ୍ରୁପ୍‌ ‘ବି’ରେ ୨ୟ ସ୍ଥାନରେ ରହି ସୁପର-୪ରେ ପହଞ୍ଚିଛି। ପାକିସ୍ତାନ-ହଂକଂ ମ୍ୟାଚ୍‌ର ବିଜେତା ୪ର୍ଥ ଦଳ ଭାବେ ସୁପର-୪ ଖେଳିବ।
୧୮୪ ରନ୍‌ ଲକ୍ଷ୍ୟରେ ଶ୍ରୀଲଙ୍କା ଦ୍ରୁତଗତିରେ ଇନିଂସ ଆରମ୍ଭ କରିଥିଲା। ୩୨ ବଲ୍‌ରୁ ୪୫ ରନ୍‌ର ଓପ୍‌ନିଂ ଭାଗିଦାରୀ ପରେ ପାଥୁମ୍ ନିଶଙ୍କା ଆଉଟ୍‌ ହୋଇଥିଲେ। ନିଶଙ୍କା ୧୯ ବଲ୍‌ରୁ ୨୦ ରନ୍‌ କରିଥିଲେ। ଏହାସହ ଶ୍ରୀଲଙ୍କା ୩୨ ରନ୍‌ରେ ୩ଟି ୱିକେଟ ହରାଇଥିଲା। ପ୍ରଥମ ୩ଟି ୱିକେଟ ପେସ୍ ବୋଲର ଇବାଦତ୍ ହୋସେନ୍‌ ନେଇଥିଲେ। ଚରିତ ଆସାଲଙ୍କା ୧, ଦନୁଷ୍କା ଗୁଣତିଳକ ୧୧ ଓ ଭାନୁକା ରାଜପକ୍ଷ ୨ ରନ୍‌ କରି ପାରିଥିଲେ। ତେବେ ଓପ୍‌ନର କୁଶଳ ମେଣ୍ଡିସ୍‌ ଆକ୍ରମଣ ଜାରି ରଖିଥିଲେ। ଅଧିନାୟକ ଦାସୁନ୍ ଶନକଙ୍କ ସହ ମେଣ୍ଡିସ୍‌ ୫ମ ୱିକେଟ ପାଇଁ ୫୪ ରନ୍‌ ଯୋଡ଼ିଥିଲେ। ମେଣ୍ଡିସ୍‌ ବିସ୍ଫୋରକ ବ୍ୟାଟିଂକରି ୩୭ ବଲ୍‌ରୁ ୩ଟି ଛକା ଓ ୪ଟି ଚୌକା ସହ ୬୦ ରନ୍‌ କରିଥିଲେ। ଦାସୁନ୍ ଶନକ ଶନକ ୩୩ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୪୫ ରନ୍‌ କରି ଆଉଟ୍‌ ହେବା ଶ୍ରୀଲଙ୍କା ପାଇଁ ଶକ୍ତ ଧକ୍କା ଥିଲା। କରୁଣାରତ୍ନେ ୧୦ ବଲ୍‌ରୁ ୧୬ ରନ୍‌କରି ଆଉଟ୍‌ ହୋଇଥିଲେ। ଶେଷ ଓଭରରେ ୮ ରନ୍‌ ଆବଶ୍ୟକ ଥିବା ବେଳେ ପ୍ରଥମ ୨ଟି ବଲ୍‌ରେ ଶ୍ରୀଲଙ୍କା ବିଜୟଲକ୍ଷ୍ୟରେ ପହଞ୍ଚିଥିଲା। ଆସିଥା ଫର୍ଣ୍ଣାଣ୍ଡୋ ୩ ବଲ୍‌ରୁ ଅପରାଜିତ ୧୦ ରନ୍‌ କରିଥିଲେ। ଇବାଦତ୍ ହୋସେନ୍‌ ୩ଟି ଓ ତାସ୍କିନ୍ ଅହମ୍ମଦ ୨ଟି ୱିକେଟ ନେଇଥିଲେ। କୁଶଳ ମେଣ୍ଡିସ୍ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ।
ଟସ୍ ଜିତି ଶ୍ରୀଲଙ୍କା ଫିଲ୍‌ଡିଂ ନେବା ପରେ ବାଂଲାଦେଶ ଓପ୍‌ନର ସବିର ଅହମ୍ମଦ ୫ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ମେହ୍‌ଦି ହାସନ୍ ମିରାଜ୍ ଓ ଅଧିନାୟକ ସାକିବ୍ ଅଲ୍‌ ହାସନ୍ ୪ ଓଭରରେ ୩୯ ରନ୍‌ ଯୋଡ଼ିଥିଲେ। ମିରାଜ୍ ୨୬ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୮ ରନ୍‌ କରିଥିଲେ। ଅଭିଜ୍ଞ ମୁସ୍‌ଫିକୁର ରହିମ୍ ୪ ରନ୍‌ କରିଥିଲେ। ସାକିବ୍ ୨୨ ବଲ୍‌ରୁ ୩ଟି ଚୌକା ସହ ୨୪ ରନ୍‌କରି ଆଉଟ୍‌ ହୋଇଥିଲେ। ପୂର୍ବତନ ଅଧିନାୟକ ମହମ୍ମଦୁଲ୍ଲା ୨୨ ବଲ୍‌ରୁ ଗୋଟିଏ ​‌େ‌ଲଖାଏଁ ଛକା ଓ ଚୌକା ସହ ୨୪ ରନ୍‌ କରିଥିଲେ। ଆଫିଫ୍ ହୋସେନ୍ ଓ ମୋସାଦେକ୍ ହୋସେନ୍‌ ୫ମ ୱିକେଟ ପାଇଁ ୩୭ ବଲ୍‌ରୁ ୫୭ ରନ୍‌ ଯୋଡ଼ିଥିଲେ। ଆଫିଫ୍ ହୋସେନ୍‌ ୨୨ ବଲ୍‌ରୁ ୨ଟି ଛକା ଓ ୪ଟି ​ ଚୌକା ସହ ୩୯ ରନ୍‌ କରିଥିଲେ। ଶେଷ ୧୧ ବଲ୍‌ରୁ ୨୪ ରନ୍‌ ହୋଇଥିଲା। ମୋସାଦେକ୍ ହୋସେନ୍‌ ୯ ବଲ୍‌ରୁ ୪ଟି ଚୌକା ସହ ୨୪ ଏବଂ ତାସ୍କିନ୍ ଅହମ୍ମଦ ୬ ବଲ୍‌ରୁ ୧୧ ରନ୍‌କରି ଅପରାଜିତ ଥିଲେ। ୱାନିନ୍ଦୁ ହସରଙ୍ଗା ଓ ଚାମିକା କରୁଣାରତ୍ନେ ୨ଟି ଲେଖାଏଁ ୱିକେଟ ନେଇଥିଲେ।

kalyan agarbati

Comments are closed.