www.samajalive.in
Wednesday, December 10, 2025
14.1 C
Bhubaneswar

ଧାୱନଙ୍କ ୯୯* ନିଷ୍ଫଳ ; ସନ୍‌ରାଇଜର୍ସର ପ୍ରଥମ ବିଜୟ

ହାଇଦରାବାଦ : ଚଳିତ ଆଇପିଏଲ୍‌ର ୧୪ଶ ମ୍ୟାଚ୍‌ରେ ବିଜୟୀ ହୋଇଛି ସନ୍‌ରାଇଜର୍ସ ହାଇଦରାବାଦ। ରାହୁଲ ତ୍ରିପାଠୀଙ୍କ ବିସ୍ଫୋରକ ଇନିଂସ ବଳରେ ରବିବାର ପଞ୍ଜାବ କିଙ୍ଗ୍‌ସ ଦଳକୁ ସହଜରେ ୮ ୱିକେଟରେ ପରାସ୍ତ କରିଛି ସନ୍‌ରାଇଜର୍ସ। ଓପ୍‌ନର ଶିଖର ଧାୱନଙ୍କ ଅପରାଜିତ ୯୯ ରନ୍‌ ବଳରେ ପ୍ରଥମେ ବ୍ୟାଟିଂକରି ପଞ୍ଜାବ କିଙ୍ଗ୍‌ସ ୯ ୱିକେଟରେ ୧୪୩ ରନ୍‌ କରିଥିଲା। ପରେ ୧୭ଟି ବଲ୍‌ ବାକିଥାଇ ୨ ୱିକେଟ ହରାଇ ସନ୍‌ରାଇଜର୍ସ ଜିତିଥିଲା। ୩ୟ ମ୍ୟାଚ୍‌ରେ ସନ୍‌ରାଇଜର୍ସର ଏହା ପ୍ରଥମ ବିଜୟ। ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗ୍‌ସ ୩ୟ ମ୍ୟାଚ୍‌ରେ ପ୍ରଥମ ପରାଜୟ ଭୋଗିଛି।
୧୪୪ ରନ୍‌ର ପିଛା କରିଥିବା ପୂର୍ବତନ ଚମ୍ପିଆନ୍‌ ସନ୍‌ରାଇଜର୍ସ ହାଇଦରାବାଦ ପାଇଁ ଇନିଂସ ଓପନ୍‌ କରିଥିଲେ ହ୍ୟାରି ବ୍ରୁକ୍‌। ତେବେ ୧୪ ବଲ୍‌ରୁ ୩ଟି ଚୌକାମାରି ବ୍ରୁକ୍‌ ୧୩ ରନ୍‌କରି ଆଉଟ୍‌ ହୋଇଥିଲେ। ମୟଙ୍କ ଅଗ୍ରୱାଲ ୨୦ ବଲ୍‌ରୁ ୩ଟି ଚୌକା ସହ ୨୧ ରନ୍‌କରି ବିଦାୟ ନେଇଥିଲେ। ରାହୁଲ ତ୍ରିପାଠୀ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଅଧିନାୟକ ଐଡେନ୍ ମାର୍କରାମ ମଧ୍ୟ ଦର୍ଶନୀୟ ଇନିଂସ ଖେଳିଥିଲେ। ଦୁହେଁ ବାଉଣ୍ଡରୀ ବର୍ଷାକରି ମାତ୍ର ୫୨ ବଲ୍‌ରୁ ଅବିଭାଜିତ ୩ୟ ୱିକେଟ ପାଇଁ ୧୦୦ ରନ୍‌ ଯୋଡ଼ି ଦଳକୁ ଜିତାଇଥିଲେ। ତ୍ରିପାଠୀ ୪୮ ବଲ୍‌ରୁ ୩ଟି ଛକା ଓ ୧୦ଟି ଚୌକା ସହ ୭୪ ଏବଂ ମାର୍କରାମ ମାତ୍ର ୨୧ ବଲ୍‌ରୁ ୬ଟି ଚୌକା ସହ ୩୭ ରନ୍‌କରି ଅପରାଜିତ ଥିଲେ। ପରାଜୟ ସତ୍ତ୍ବେ ଶିଖର ଧାୱନ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ସନ୍‌ରାଇଜର୍ସ ହାଇଦରାବାଦ ଟସ୍ ଜିତି ଫିଲ୍‌ଡିଂ ନେବା ପରେ ଇନିଂସର ପ୍ରଥମ ବଲ୍‌ରେ ପଞ୍ଜାବ କିଙ୍ଗ୍‌ସର ପ୍ରଭସିମ୍ରନ ସିଂହ ଆଉଟ୍‌ ହୋଇଥିଲେ। ପରେ ମାଥ୍ୟୁ ସର୍ଟ ୧ ଓ ଜିତେଶ ଶର୍ମା ୪ ରନ୍‌କରି ବିଦାୟ ନେଇଥିଲେ। ଇନିଂସକୁ ଏକା ସମ୍ଭାଳିଥିଲେ ଶିଖର ଧାୱନ। ଅଧିନାୟକ ଧାୱନ କ୍ରମାଗତ ୩ୟ ମ୍ୟାଚ୍‌ରେ ସଫଳ ହୋଇଥିବା ବେଳେ କ୍ରମାଗତ ୨ୟ ମ୍ୟାଚ୍‌ରେ ପୂରା ୨୦ ଓଭର ବ୍ୟାଟିଂ କରିଥିଲେ। ଫଳରେ ୩ଟି ମ୍ୟାଚ୍‌ରୁ ସର୍ବାଧିକ ୨୨୫ ରନ୍‌କରି ଧାୱନ ଅରେଞ୍ଜ୍‌ କ୍ୟାପ୍‌ର ଅଧିକାରୀ ହୋଇଛନ୍ତି। ଧାୱନ ଓ ସାମ୍‌ କରନ୍‌ ୪ର୍ଥ ୱିକେଟ ପାଇଁ ୪ ଓଭରରେ ୪୧ ରନ୍‌ ଯୋଡ଼ିଥିଲେ। ଆଇପିଏଲ୍‌ର ସବୁଠାରୁ ଦାମୀ ଖେଳାଳି ସାମ୍‌ କରନ୍‌ ୧୫ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୨ ରନ୍‌କରି ଆଉଟ୍‌ ହୋଇଥିଲେ। ଧାୱନ୍ ଓ କରନ୍‌ଙ୍କୁ ଛାଡ଼ି ସନ୍‌ରାଇଜର୍ସର କେହି ଦୁଇଅଙ୍କ ସ୍କୋର୍‌ କରି ପାରିନଥିଲେ। ତଥାପି ସନ୍‌ରାଇଜର୍ସ ୧୪୩ ରନ୍‌ କରି ପାରିଥିଲା। ଅନ୍ୟ ବ୍ୟାଟ୍‌ସମ୍ୟାନ୍‌ଙ୍କ ମଧ୍ୟରେ ସିକନ୍ଦର ରାଜା ୫, ଏମ୍. ଶାହ୍‌ରୁଖ୍‌ ଖାଁ ୪ ଓ ହରପ୍ରୀତ ବ୍ରାର ୧ ରନ୍‌ କରିଥିଲେ। ଶିଖର ଧାୱନ ବିସ୍ଫୋରକ ବ୍ୟାଟିଂକରି ୬୬ ବଲ୍‌ରୁ ୫ଟି ଛକା ଓ ୧୨ଟି ଚୌକା ସହ ୯୯ ରନ୍‌କରି ଅପରାଜିତ ଥିଲେ। ଶେଷ ଓଭରର କ୍ରମାଗତ ୩ଟି ବଲ୍‌ରେ ଧାୱନ୍‌ କୌଣସି ରନ୍ ନେଇ ନ ପାରିବାରୁ ଶତକ କରି ପାରିନଥିଲେ। ଶେଷ ବଲ୍‌ରେ ଛକାମାରି ଧାୱନ ୯୯ ରନ୍‌ରେ ରହି ଯାଇଥିଲେ। ଗତ ମ୍ୟାଚ୍‌ରେ ରାଜସ୍ଥାନ ବିପକ୍ଷରେ ଧାୱନ ମଧ୍ୟ ପୂରା ୨୦ ଓଭର ବ୍ୟାଟିଂକରି ୮୬ ରନ୍‌ରେ ଅପରାଜିତ ରହିଥିଲେ। ଲେଗ୍‌ସ୍ପିନର ମୟଙ୍କ ମାର୍କଣ୍ଡେ ୪ଟି ଏବଂ ମାର୍କୋ ୟାନ୍‌ସେନ୍ ଓ ଉମ୍ରାନ୍ ମାଲିକ୍‌ ୨ଟି ଲେଖାଏଁ ୱିକେଟ ପାଇଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories