ସୁପର କପ ଫୁଟବଲ : ଫାଇନାଲରେ ଇଷ୍ଟବେଙ୍ଗଲ

0

ଭୁବନେଶ୍ୱର : ନାଇଜେରୀୟ ଫରୱାର୍ଡ ଓମେଗ୍‍ବିମି ଡୁଡୁଙ୍କ ଦର୍ଶନୀୟ ଗୋଲ ବଳରେ ଇଷ୍ଟବେଙ୍ଗଲ ସୁପର କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ସୋମବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଇଷ୍ଟବେଙ୍ଗଲ ୧-୦ ଗୋଲରେ ଏଫସି ଗୋଆକୁ ପରାସ୍ତ କରିଛି। ଉନ୍ନତ ଖେଳ ପ୍ରଦର୍ଶନ ଲାଗି ଏଫସି ଗୋଆ ଗୋଲରକ୍ଷକ ଲକ୍ଷ୍ମୀକାନ୍ତ କାତିମଣି ‘ମ୍ୟାନ ଅଫ ଦି ମ୍ୟାଚ’ ବିବେଚିତ ହୋଇଛନ୍ତି। ମଙ୍ଗଳବାର ମୋହନବାଗାନ ଓ ବେଙ୍ଗାଲୁରୁ ଏଫସି ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚର ବିଜେତାଙ୍କୁ ଇଷ୍ଟବେଙ୍ଗଲ ଫାଇନାଲରେ ଭେଟିବ।
ଇଷ୍ଟବେଙ୍ଗଲ-ଗୋଆ ମ୍ୟାଚ ଆରମ୍ଭରୁ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମାର୍ଦ୍ଧର ୩ ମିନିଟ୍‍ରେ ଇଷ୍ଟବେଙ୍ଗଲ ପକ୍ଷରୁ ସାମଦ ଅଲ୍ଲୀ ମଲ୍ଲିକ ଗୋଲ ଦେବାର ସୁଯୋଗ ପାଇଥିଲେ ମଧ୍ୟ ବିଫଳ ହୋଇଥିଲେ। ୧୭ ମିନିଟ୍‍ରେ ଏଫସି ଗୋଆ ପକ୍ଷରୁ ମନ୍‍ଭୀର ସିଂହଙ୍କ ଏକ ସଟ୍‍ ଇଷ୍ଟବେଙ୍ଗଲ ଗୋଲପୋଷ୍ଟ ଉପରେ ଚାଲିଯାଇଥିଲା। ୧୯ ମିନିଟ୍‍ରେ ଇଷ୍ଟବେଙ୍ଗଲ ଗୋଲ ଦେବାର ଆଉ ଏକ ସୁଯୋଗରୁ ବଞ୍ଚିତ ହୋଇଥିଲା। ଜାପାନ ଖେଳାଳି କାସ୍ତୁମି ୟୁସାଙ୍କ ସଟ୍‍ ଅଳ୍ପକେ ଲକ୍ଷ୍ୟଭ୍ରଷ୍ଟ ହୋଇଥିଲା। ୨୧ ମିନିଟ୍‍ରେ ଡୁଡୁ ପ୍ରତିପକ୍ଷ ରକ୍ଷଣଭାଗ ଭେଦ କରିଥିଲେ ସୁଦ୍ଧା ଗୋଲ ଦେଇପାରିନଥିଲେ। ୩୪ ମିନିଟରେ ଇଷ୍ଟବେଙ୍ଗଲ ପକ୍ଷରୁ କାସ୍ତୁମି ୟୁସା ମଧ୍ୟ ଆଉ ଏକ ସୁଯୋଗକୁ ହାତଛଡ଼ା କରିଥିଲେ। ପ୍ରଥମାର୍ଦ୍ଧ ଖେଳରେ ଉଭୟ ଦଳ ଏକାଧିକ ଗୋଲ ଦେବା ନେଇ ସୁଯୋଗ ପାଇ ମଧ୍ୟ ହାତଛଡ଼ା କରିଥିଲେ। ଫଳରେ ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା।
ଦ୍ୱିତୀୟାର୍ଦ୍ଧ ଖେଳରେ ଏଫସି ଗୋଆ ଦଳକୁ ଆକ୍ରମଣାତ୍ମକ ମୁଦ୍ରାରେ ଦେଖିବାକୁ ମିଳିଥିଲା। ୫୯ ମିନିଟ୍‍ରେ ଏଫସି ଗୋଆ ଖେଳାଳି ମନ୍ଦାର ରାଓ ଦେଶାଇଙ୍କ ସଟ୍‍କୁ ଇଷ୍ଟବେଙ୍ଗଲ ଗୋଲରକ୍ଷକ ସି.କେ ଉବାଦି ରୋକିବାରେ ସଫଳ ହୋଇଥିଲେ। ୭୧ ମିନିଟ୍‍ରେ ଏଫସି ଗୋଆକୁ ଏକ ଫ୍ରି କିକ୍‍ ମିଳିଥିଲା। ଇଡୁ ବେଡ଼ିଆଙ୍କ ଫ୍ରି କିକ୍‍ ସଟ୍‍ ଇଷ୍ଟବେଙ୍ଗଲ ଗୋଲପୋଷ୍ଟ କ୍ରସବାରରେ ବାଜି ଫେରି ଆସିଥିଲା। ୭୮ ମିନିଟରେ କାସ୍ତୁମି ୟୁସାଙ୍କ ଚମତ୍କାର ପାସ୍‍କୁ ଓମେଗ୍‍ବିମି ଡୁଡୁ ଗୋଲରେ ପରିଣତ କରିବା ଫଳରେ ଇଷ୍ଟବେଙ୍ଗଲ ୧-୦ରେ ଆଗୁଆ ରହିଥିଲା। ଏଫସି ଗୋଆ ଗୋଲ ପରିଶୋଧ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲା। ଇଞ୍ଜୁରୀ ସମୟ ତଥା ୯୧ ମିନିଟରେ ଏଫସି ଗୋଆକୁ ଏକ ସୁବର୍ଣ୍ଣ ସୁଯୋଗ ମିଳିଥିଲେ ସୁଦ୍ଧା ତାହା ବିଫଳ ହୋଇଥିଲା। ଫିରାମ କ୍ରୋମିନାନ୍ସଙ୍କ ଶକ୍ତିଶାଳୀ ସଟ୍‍ ସିଧାସଳଖ ଇଷ୍ଟବେଙ୍ଗଲ ଗୋଲରକ୍ଷକଙ୍କ ହାତକୁ ଯାଇଥିଲା। ଅନ୍ତିମ ଲଗ୍ନରେ ଗୋଆ ଦଳର ଏକାଧିକ ସୁଯୋଗ ହାତଛଡା ହେବାଫଳରେ ଇଷ୍ଟବେଙ୍ଗଲ ଶେଷରେ ୧-୦ରେ ଜିତି ଫାଇନାଲରେ ସ୍ଥାନ ପକ୍କା କରିପାରିଥିଲା। ଅତିଥି ଭାବେ ସାଂସଦ ରବୀନ୍ଦ୍ର କୁମାର ଜେନା ଯୋଗଦେଇ ଏଫସି ଗୋଆ ଗୋଲରକ୍ଷକ ଲକ୍ଷ୍ମୀକାନ୍ତ କାତିମଣିଙ୍କୁ ‘ମ୍ୟାନ ଅଫ ଦି ମ୍ୟାଚ’ ପୁରସ୍କାର ପ୍ରଦାନ କରିଥିଲେ।

Leave A Reply